
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) କଠିଣ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି, ସାହସ ଓ ଆତ୍ମବିଶ୍ୱାସ ବଳରେ ସବୁକିଛି ସମ୍ଭବ। ଆଉ ଏହାକୁ ପ୍ରମାଣ କରିଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ୍ ହୋତା । କେତେବେଳେ ମ୍ୟାଜିକ ତ’ ଆଉ କେତେବେଳେ ବକ୍ତୃତା ପାଇଁ ଚର୍ଚ୍ଚାରେ ଥିବା ଏହେସାସ୍ ଏବେ ପୁଣି ସୁବର୍ଣ୍ଣ ସୁଯୋଗ ପାଇ ଚର୍ଚ୍ଚାକୁ ଆସିଛନ୍ତି।
ବିଶ୍ୱ ତାଇକୋଣ୍ଡୋ ଚମ୍ପିୟନସିପ୍ରେ ଭାଗନେବାର ସୁଯୋଗ ପାଇଛନ୍ତି ଏହେସାସ୍ । ପୁଣିଥରେ ବିଦେଶ ମାଟିରେ ନିଜର ପ୍ରତିଭା ଦେଖାଇବେ ଏହେସାସ୍। ଆସନ୍ତା ୨୮ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଇରାନରେ ହେବାକୁ ଥିବା ତୃତୀୟ ପ୍ରେସିଡେଣ୍ଟ କପ୍ ଏବଂ ୩୦ତମ ଫାଜର୍ କପ୍ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗନେବାକୁ ମନୋନିତ ହୋଇଛନ୍ତି ସେ । ଏହି ପ୍ରତିଯୋଗିତାରେ ବିଶ୍ୱର ୪୬ଟି ଦେଶ ଭାଗନେଉଥିବାବେଳେ ଦେଶର ୧୭ ଜଣିଆ ଟିମ୍ରୁ ଓଡିଶାରୁ ଏକମାତ୍ର ଏବଂ ପ୍ରଥମ ଖେଳାଳି ଭାବରେ ଏହେସାସ୍ ସ୍ଥାନ ପାଇଛନ୍ତି।
ଏହା ପୂର୍ବରୁ ସେ ଗତ ବର୍ଷ ମେ ମାସରେ ନେପାଳଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ ଦେଶ ପଇଁ ୨ଟି ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି । ଏହେସାସ୍ ଏବେ ପୁଣିଥରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ସେ ବେଶ ଆଶାବାଦୀ ଅଛନ୍ତି। ଏହି ପ୍ରତିଯୋଗୀତାରେ ପୁଣିଥରେ ସ୍ୱର୍ଣ୍ଣ ପଦକ ଜିଣି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିବେ ବୋଲି କହିଛନ୍ତି। ଏହେସାସଙ୍କୁ ମିଳିଚାଲିଛି ଗୋଟଏ ପରେ ଗୋଟିଏ ସଫଳତା । ପୁର୍ବରୁ ସେ ୯ଥର ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ସେହିପରି ଗୋଟଏ ଅନ୍ତର୍ଜତୀୟ ପ୍ରତିଯୋଗିତାରେ ଭାଗନେଇ ମଧ୍ୟ ୨ଟି ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଆଗକୁ ଅଲିମ୍ପିକ ଖେଳିବାର ସ୍ୱପ୍ନ ଦେଖୁଥିବା ଏହେସାସ୍ ଏଥର ମଧ୍ୟ ନିଶ୍ଚୟ ସଫଳ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ହେଲେ ଦେଶ ପାଇଁ ଲଗାତାର ଗୌରବ ଆଣୁଥିବା ଏଭଳି ଖେଳାଳିଙ୍କ ପାଇଁ ସରକାରୀସ୍ତରରେ ଅର୍ଥିକ ସହାୟତା କରାଯାଉନଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚଖରି ଖେଳିବା ସମ୍ଭବ ହେଉ ନଥିବା ଅଭିଯୋଗ ହେଉଛି ।
ଅପରପକ୍ଷରେ ଏହେସାସ୍ଙ୍କ ଭଳି ପ୍ରତିଭାବାନ ଖେଳାଳି ପାଇଁ କ’ଣ ବ୍ୟବସ୍ଥା କରାଯାଇପାରିବ ସେନେଇ ଜିଲ୍ଲା ପ୍ରଶାସନ ଚେଷ୍ଟା କରିବ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ କହିଛନ୍ତି । ଏହେସାସଙ୍କ ସ୍ୱପ୍ନ ସାକାର ହେଉ। ବିଶ୍ୱ ତାଇକୋଣ୍ଡୋରେ ତାଙ୍କୁ ପୁଣିଥରେ ସଫଳତା ମିଳୁ । ରାଜ୍ୟ ତଥା ଦେଶ ପାଇଁ ସେ ଗୌରବ ଆଣନ୍ତୁ । ଏହା ହେଉଛି ସମସ୍ତଙ୍କର କାମନା।
from Odisha Reporter https://ift.tt/2GO0aIT
No comments:
Post a Comment