
ଇସଲାମାବାଦ୍: ପୁଲ୍ୱାମା ଆକ୍ରମଣକୁ ନେଇ ସମଗ୍ର ବିଶ୍ୱ ପାକିସ୍ତାନକୁ ଘେରିବାକୁ ଆରମ୍ଭ କରିଥିବାବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍ ମୁଶାରଫ୍। ସେ ଭାରତକୁ ଧମକାଇବା ଶୈଳୀରେ କହିଛନ୍ତି, ପାକିସ୍ତାନ ଉପରେ ଆକ୍ରମଣ କଲେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହଙ୍ଗା ପଡ଼ିବ। ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି, ପୁଲ୍ୱାମା ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ୍ ଯବାନଙ୍କ ପ୍ରତି ମୋଦିଙ୍କର ‘ବାସ୍ତବ ଦରଦ’ ନାହିଁ।
ସୂଚନାଯୋଗ୍ୟ ଯେ ଗତ ୧୪ ତାରିଖରେ ପୁଲ୍ୱାମାଠାରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ଇସଲାମାବାଦ୍ର ସମ୍ପୃକ୍ତି ଜଳ ଜଳ ଦିଶୁଥିଲେ ମଧ୍ୟ ପାକିସ୍ତାନୀ ନେତାଙ୍କ ମୁହଁ ଟାଣ ବନ୍ଦ ହେଉନାହିଁ। ଏପରିକି ଏହି ପ୍ରସଙ୍ଗରେ ଗତ ୧୯ ତାରିଖରେ ଇମ୍ରାନ ଭିଡିଓ ବାର୍ତ୍ତା ଜାରି କରିଥିଲେ ମଧ୍ୟ ଏଥିରେ ଆକ୍ରମଣକୁ ନିନ୍ଦା କିମ୍ବା ସମବେଦନାର ଗୋଟିଏ ବି ଶବ୍ଦ ଉଚ୍ଚାରଣ କରିନଥିଲେ।
ଏହି ଆକ୍ରମଣ ଘଟଣାକୁ ମୁଶାରଫ ଯଦିଓ ନିନ୍ଦା କରିଛନ୍ତି, ସେ ସଫେଇ ଦେଇ କହିଛନ୍ତି ଏଥିରେ ପାକିସ୍ତାନ ସରକାରଙ୍କ କୌଣସି ଭୂମିକା ଥିବା ନେଇ ସେ ବିଶ୍ୱାସ କରିବାର କୌଣସି କାରଣ ନାହିଁ। ସେ କହିଥିଲେ, “ଏହା ଦୁଃଖଦ ଏବଂ ଅତି ଭୟଙ୍କର ଘଟଣା, ଏଥିରେ ସନ୍ଦେହ ନାହିଁ। ମୋର ଜୈଶ୍ କିମ୍ବା ଏହାର ମୁଖ୍ୟ ମାସୁଦ ଆଝାରଙ୍କ ପ୍ରତି କୌଣସି ସମବେଦନା ନାହିଁ। ସେ ମୋତେ ମଧ୍ୟ ମାରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ପାକିସ୍ତାନ ସରକାରଙ୍କର କୌଣସି ଭୂମିକା ନାହିଁ।”
ସେ ଆହୁରି ମଧ୍ୟ କହିଥିଲେ, ମୁଁ କାଇଁ ଭାବୁନି ଇମ୍ରାନ୍ ଖାନଙ୍କର ଜୈଶ୍ ପ୍ରତି କୌଣସି ସମବେଦନା ଥିବ।
ମୋଦିଙ୍କ ବାବଦରେ ସେ କହିଥିଲେ, “ମୋଦିଙ୍କ ହୃଦୟରେ ସିଆରପିଏଫ୍ଙ୍କ ପାଇଁ କୌଣସି ନିଆଁ ନାହିଁ। ସତରେ ଯଦି ଥାଆନ୍ତା, ତାହାଲେ ପ୍ରଥମେ କଶ୍ମୀର ସମସ୍ୟାର ସମାଧାନ କରିଥାନ୍ତେ।”
ପାକିସ୍ତାନ ଭାରତର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ପ୍ରସଙ୍ଗରେ ସେ କହିଥିଲେ, କୁହନି ଯେ ପାକିସ୍ତାନ ହସ୍ତକ୍ଷେପ କରୁଛି। ଭାରତ କ’ଣ ପାକିସ୍ତାନର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁନି? ତୁମେ ପାକିସ୍ତାନକୁ ଦୁଇଖଣ୍ଡ କାହିଁକି କଲ? ତୁମେ ଫ୍ରାନ୍ସ ଆଉ ଆମେରିକା ସହିତ ହାତ ମିଶାଇ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଚାହଁ।
from Odisha Reporter https://ift.tt/2DVoepc
No comments:
Post a Comment