ଓଡ଼ିଶାରେ ବିଜେପିର ଗତି କୁଆଡ଼େ? ୫ ବର୍ଷ ଧରି ‘ନବୀନ’ଙ୍କ ପ୍ରତି ଅନୁକମ୍ପା କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଓଡ଼ିଶାରେ ବିଜେପିର ଗତି କୁଆଡ଼େ? ୫ ବର୍ଷ ଧରି ‘ନବୀନ’ଙ୍କ ପ୍ରତି ଅନୁକମ୍ପା କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯ ବର୍ଷର ବିଜେଡି ସରକାରକୁ ହଟାଇ ଓଡ଼ିଶାରେ ମିଶନ ୧୨୦+ ଲକ୍ଷ୍ୟ ହାସଲ କରିବାକୁ ବିଜେପି ବାହାସ୍ଫୋଟ ମାରୁଥିଲେ ମଧ୍ୟ ଦଳର ଜାତୀୟ ନେତାଙ୍କ କୋହଳ ଆଭିମୁଖ୍ୟ ନିର୍ବାଚନୀ ବର୍ଷରେ ସାଧାରଣ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ନବୀନ ପଟ୍ଟନାୟକ ସରକାର ପ୍ରତି ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ସମ୍ବଳ କରି ବିଜେପି ରାଜ୍ୟରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ଜାତୀୟ ନେତାମାନଙ୍କ ନବୀନଙ୍କ ପ୍ରତି ଦୁର୍ବଳତା ରାଜ୍ୟରେ ବିଜେପି ସଂଗଠନକୁ ଏବେ ବଢ଼ିବା ପରିବର୍ତ୍ତେ ଛିଡ଼ିବା ଆଡ଼କୁ ନେବାରେ ଲାଗିଛି।

ବିଜେପିର ଫାୟାରବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଓଡ଼ିଶାରେ ଦୁଇଟି ବିଶାଳ ସମାବେଶକୁ ସମ୍ବୋଧନରୁ ଏହାର ସ୍ଫଷ୍ଟ ଆଭାସ ମିଳିଛି। ରାଜ୍ୟ ବିଜେପି ନେତାମାନେ ରାତି ପାହିଲେ ନବୀନଙ୍କ ବିରୁଦ୍ଧରେ ଗର୍ଜନ କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଯୋଗୀ ଆଦିତ୍ୟନାଥଙ୍କ ଭଳି ଶୀର୍ଷ ନେତାମାନଙ୍କ ଦ୍ୱାରା ଓଡ଼ିଶାରେ ନିଜର ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଭାଷଣ ଆପାତତଃ ଏହି ଦିଗର ସଙ୍କେତ ଦେଉଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି। ତା’ଛଡ଼ା ଗତ ୫ବର୍ଷ ମଧ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ନବୀନଙ୍କ ବିଜେଡିର ଅଯାଚିତ ସମର୍ଥନ ଓ ଏକାଧିକ ଦୁର୍ନୀତି ମାମଲାରେ ସିବିଆଇ ହାତ ବାନ୍ଧି ବସିବା ହିଁ ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ଏକ ମଧୁଚନ୍ଦ୍ରିକାର ସଙ୍କେତ ଦେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟଶୈଳୀ ଓ ବାକ୍‌ପଟୁତା ତାଙ୍କୁ ଜଣେ ଫାୟାରବ୍ରାଣ୍ଡ ନେତା ଭାବେ ପରିଚିତ କରାଇଛି। ମୁଖ୍ୟମନ୍ତ୍ରୀ ହେବାପରେ ମଧ୍ୟ ତାଙ୍କର ଏହି ସ୍ୱଭାବ ଅକ୍ଷୂର୍ଣ୍ଣ ରହିଛି। ନିଜର ତୃଣମୂଳସ୍ତରର ସାଂଗଠନିକ କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧି ଓ ସେମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ରାଜ୍ୟ ବିଜେପି ଆଜି ଭବାନୀ ପାଟଣା ଓ ଖୋର୍ଦ୍ଧାରେ ଯୋଗୀ ଆଦିତ୍ୟନାଥଙ୍କ ଦୁଇଟି ସମାବେଶ କରିଥିଲା। କିନ୍ତୁ ଦୁଇଟି ଯାକ ସଭାରେ ଯୋଗୀଙ୍କ ଭାଷଣ ଅତ୍ୟନ୍ତ ମାର୍ଜିତ ଓ ମପାଚୁପା ଥିଲା। ଓଡ଼ିଶାରେ ବିଜେଡି ସହ ସିଧାସଳଖ ବିଜେପି ଲଢ଼ୁଥିଲେ ମଧ୍ୟ ଯୋଗୀ ତାଙ୍କର ଭାଷଣରେ କୌଣସି ଗୋଟିଏ ସ୍ଥାନରେ ବି ନବୀନଙ୍କ ବିଜେଡି ପ୍ରତି କଡ଼ା ରାଜନୀତିକ ଭାଷା ପ୍ରୟୋଗ କରିନଥିଲେ। ଏପରିକି ନବୀନ ସରକାରକୁ ଘେରିବା ପାଇଁ ସେ ପୁରୁଣା କ୍ୟାସେଟ୍ (ଯଥା ଗରିବଙ୍କ ପାଇଁ ବାସଗୃହ ଓ ଶୌଚାଳୟ ନିର୍ମାଣ, ଆୟୁଷ୍ମାନ ଓ ପିଏମ-କିଷାନରେ ଓଡ଼ିଶା ସାମିଲ ନହେବା, ପାଇକ ବିଦ୍ରୋହ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଓଡ଼ିଶା ଜମି ନଦେବା ଆଦି)କୁ ଦୋହରାଇଥିଲେ । ନିର୍ବାଚନୀ ବର୍ଷରେ ଯୋଗୀଙ୍କ ଭଳି ଫାୟାରବ୍ରାଣ୍ଡ ନେତାଙ୍କ ଭାଷଣରେ କୌଣସି ନୂତନତ୍ୱ ଦେଖିବାକୁ ମିଳିନଥିଲା। ଯୋଗୀ ନିଜର ଷ୍ଟାଇଲର ବିପରୀତରେ ଯାଇ ଅତ୍ୟନ୍ତ ମାର୍ଜିତ ଢଙ୍ଗରେ ଦୁଇ-ଚାରିପଦ କହି ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ଅବଶ୍ୟ ସେହି ଦୁଇଟି ସଭାରେ ନବୀନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନଇଚ୍ଛା ବର୍ଷିଥିଲେ।

ତେବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟ ବିଜେପି ନେତାମାନେ ରାତି ପାହିଲେ ନବୀନ ବିରୋଧୀ ଆଭିମୁଖ୍ୟ ବ୍ୟକ୍ତ କରି କଡ଼ା ଭାଷାରେ ସମାଲୋଚନା କରୁଛନ୍ତି, ତା’ହେଲେ ସେମାନଙ୍କ ଜାତୀୟସ୍ତରର ନେତାମାନେ ଏହାର ସମ୍ପୂର୍ଣ୍ଣ ଓଲଟା ଆଭିମୁଖ୍ୟ ଆପଣାଇବା ପଛରେ କ’ଣ କାରଣ ରହିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶାରେ ବିଜେପି ଜାତୀୟ ନେତୃତ୍ୱଙ୍କ ସ୍ୱର ସେତିକି ଧିମା ହେବାରେ ଲାଗିଛି। ଆଉ ରାଜ୍ୟ ବିଜେପି ନେତାମାନଙ୍କ ସମସ୍ତ ବୟାନ ଓ କାର୍ଯ୍ୟକ୍ରମ ଏବେ କେବଳ ‘ରାଜନୀତିକ ଡ୍ରାମାର ଅଂଶବିଶେଷ’ ପାଲଟିଥିବା ପ୍ରତି ପ୍ରତୀୟମାନ ହେଲାଣି। ବିଜେଡି ଓ ବିଜେପି ଅଘୋଷିତ ଚୁକ୍ତିକୁ ଆଧାର କରି ରାଜ୍ୟରେ ଯେଭଳି ରାଜନୀତିକ ଡ୍ରାମାବାଜି କରୁଛନ୍ତି ସେଥିରୁ ଭବିଷ୍ୟତରେ ଅବା ନିର୍ବାଚନ ପରେ ପରସ୍ପରର ବାଧ୍ୟବାଧକତା ଦୁଇ ଦଳକୁ ପୁଣିଥରେ ଏକାଠି ଇନିଂସ ଆରମ୍ଭ କରିବାର ସମ୍ଭାବନା ସୃଷ୍ଟି କରାଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପି ଓ ବିଜେଡି ଶୀର୍ଷ ନେତୃତ୍ୱ ନିଶ୍ଚିତ ଭାବେ ପରସ୍ପରର ସ୍ୱାର୍ଥ ରକ୍ଷା ପାଇଁ କୌଣସି ଏକ ଗୋପନ ଏଜେଣ୍ଡାରେ କାମ କରୁଛନ୍ତି। କାରଣ ୨୫ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ବ୍ଲାକରୋଜ୍ ଜାହାଜ ବୁଡ଼ି, ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ଓ କୋଲ୍ ବ୍ଲକ୍ ଆବଣ୍ଟନ ଅନିୟମିତତା ଭଳି ମାମଲାରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କରିବାରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସକ୍ଷମ ହୋଇନି । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଅତ୍ୟନ୍ତପକ୍ଷେ ଏସବୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଚାପ ସୃଷ୍ଟି କରିପାରିଥାନ୍ତା। ବ୍ଲାକରୋଜ୍ ବୁଡ଼ି ଓ ଟିଟୋ ପେଟ୍ରୋଲ ପମ୍ପର ସିବିଆଇ ତଦନ୍ତ ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ୬ବର୍ଷ ପୁରୁଣା ଚିଟଫଣ୍ଡ ଠକେଇର ପ୍ରୋତ୍ସାହନକାରୀମାନେ ଏବେ ବି ଖୋଲାରେ ବୁଲୁଛନ୍ତି। ଲକ୍ଷ ଲକ୍ଷ ଗରିବ କ୍ଷତିଗ୍ରସ୍ତଙ୍କୁ ଟଙ୍କାଟିଏ ବି ମିଳିପାରିନି। ଖଣି ଓ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତିରେ ନବୀନଙ୍କ ସମ୍ପୃକ୍ତିର ଚର୍ଚ୍ଚା ସତ୍ତେ୍ୱ ବିଜେପି ନିରବ ରହିଛି। ତେଣୁ ଏସବୁ ଘଟଣା ଓ ପରିସ୍ଥିତିକୁ ଦେଖିଲେ ବିଜେପି ଏଠି ବିଜେଡି ସହ ଜିତିବା ପାଇଁ ଲଢ଼ୁନି ବରଂ ଗୋଟିଏ ରାଜନୀତିକ ଦଳ ଭାବେ କେବଳ ଲଢ଼େଇ କରି ନିଜର ଅସ୍ତିତ୍ୱ ରକ୍ଷା କରିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା।



from Odisha Reporter https://ift.tt/2NgTsex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages