
ପୁରୀ (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ଗବେଷଣା ପାଇଁ ପ୍ରତିଷ୍ଠା କରାଯିବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏହାର ଭୂମି ପୂଜନ ଉତ୍ସବ ବହୁ ଆଡ଼ମ୍ୱରରେ କରାଗଲା। ଶୀଘ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ବୁଦ୍ଧିଜୀବୀ ଆଶାବ୍ୟକ୍ତ କରିଥିଲେ। ହେଲେ ଏହା ଯେମିତି ଦୂରେଇ ଦୂରେଇ ଯାଉଛି। କାରଣ ଶିଳାନ୍ୟାସର ୪ ମାସ ପରେ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମିକୁ ଅକ୍ତିଆର କରିପାରି ନାହାନ୍ତି ସରକାର। ଯାହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି।
ସତ୍ୟବାଦୀର ପଞ୍ଚସଖାଙ୍କ କର୍ମଭୂମିରେ ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୂଳଦୁଆ ପକାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ ଏହା ଗୌରବମୟ ଅଧ୍ୟାୟ ଯୋଡ଼ିବ ବୋଲି ସେତେବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଉଦ୍ଦେଶ୍ୟ ଥିଲା, ଦେଶ ବିଦେଶରେ ଓଡ଼ିଶା ଭାଷାର ପ୍ରଚାର ପ୍ରସାର ସାଙ୍ଗକୁ ଗବେଷଣା କରାଯିବ। ଆଉ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ମାଟିରେ ଛାତ୍ର ଓ ବିଦ୍ୱାନଙ୍କ ଗହଳି ଲାଗିବ। ହେଲେ ସେ ସବୁ ଯେମିତି କେବଳ ଫଳକରେ ସୀମିତ ରହିଗଲା ଭଳି ଲାଗୁଛି। ଶିଳାନ୍ୟାସର ୪ ମାସ ପରେ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଚିହ୍ନଟ ହୋଇଥିବା ଜମିରେ ମୁଠାଏ ମାଟି ପଡ଼ିନି।
ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସତ୍ୟବାଦୀ ଅଞ୍ଚଳର ଆରାଧ୍ୟ ଗୋପୀନାଥ ଦେବଙ୍କ ୨୯ ଏକର ଜମିକୁ ଚିହ୍ନଟ କରାଯାଇଛି। ଯାହାକି ସତ୍ୟବାଦୀ ତହସିଲର ଫୁଲଅଳସା ମୌଜାରେ ରହିଛି। ଠାକୁରଙ୍କ ଏତେ ପରିମାଣର ଜମି ନେଇ ତା’ ବଦଳରେ ମନ୍ଦିର ଟ୍ରଷ୍ଟକୁ ୩୫କୋଟି ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଘୋଷଣାର ୪ ମାସ ପରେ ମଧ୍ୟ ସେ ବାବଦ ଟଙ୍କା ପୈଠ ହୋଇନାହିଁ। ଟଙ୍କା ମିଳିଲେ ଯାଇ ଜମି ରେଜିଷ୍ଟ୍ରି କରାଯିବ ବୋଲି ମନ୍ଦିର ଟ୍ରଷ୍ଟର ସଦସ୍ୟ କହିବା ପରେ ଜମି ଅଧିଗ୍ରହଣର ଅସଲ କେଁ ପଦାକୁ ଆସିଛି।
ଆଉ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟାକୁ ସ୍ୱୀକାର କରିଥିବା ବେଳେ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି।
from Odisha Reporter http://bit.ly/2tc2ZdS
No comments:
Post a Comment