
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ହମ୍ଲା ପରେ ଚାରିଆଡ଼ୁ ପାକିସ୍ତାନ ସହ ସମ୍ପର୍କ ଚ୍ଛିନ୍ନ କରିବାକୁ ଭାରତ ସରକାରଙ୍କ ଉପରେ ଚାପ ପଡ଼ୁଛି। ଏହି କ୍ରମରେ ଆସନ୍ତା ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହେବ କି ନାହିଁ ତାକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଅନେକ କ୍ରିକେଟ୍ ଫ୍ୟାନ୍ ଓ ପୂର୍ବତନ କ୍ରିକେଟରମାନେ ଭାରତ ବିଶ୍ୱକପ୍ରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି।
ତେବେ ପୂର୍ବରୁ ଏକ ସ୍ୱୟଂଚାଳିତ ସଂସ୍ଥା ଭାବେ ସବୁ କଥାରେ ନିଜେ ନିଷ୍ପତ୍ତି ନେଉଥିବା ବିସିସିଆଇ କିନ୍ତୁ ଏ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିନାହିଁ। ଭାରତ ଆସନ୍ତା ବିଶ୍ୱକପ୍ରେ ପାକିସ୍ତାନ ସହ ଖେଳିବ କି ନାହିଁ, ତା’ର ନିଷ୍ପତ୍ତି ସରକାର ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ଏ ସମ୍ପର୍କରେ ସ୍ଥିତି ବହୁତ ଶୀଘ୍ର ସ୍ପଷ୍ଟ ହେବ। ଆଇସିସିର ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ। ଏଭଳି ନିଷ୍ପତ୍ତି ଆଇସିସି ନେଇପାରିବ ନାହିଁ। ତେଣୁ ଯଦି ଭାରତ ସରକାର କହିବେ ଟିମ୍ ଇଣ୍ଡିଆ ପାକିସ୍ତାନ ସହ କ୍ରିକେଟ ଖେଳିବା ଠିକ୍ ନୁହେଁ, ତା’ହେଲେ ମ୍ୟାଚ୍ ଖେଳିବୁ ନାହିଁ।”
ଯଦି ବିଶ୍ୱକପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନ ସହ ନ ଖେଳିବ, ତା’ହେଲେ ଏହି ମ୍ୟାଚ୍ର ପଏଣ୍ଟ ପାକିସ୍ତାନ ପାଖକୁ ଚାଲିଯିବ। ସେହିପରି ଫାଇନାଲ ଓ ସେମି ଫାଇନାଲ୍ରେ ଯଦି ଭାରତ ପାକିସ୍ତାନ ମ୍ୟାଚ୍ ପଡ଼େ, ତା’ହେଲେ ପାକିସ୍ତାନ ମ୍ୟାଚ୍ ନ ଖେଳି ଚାମ୍ପିୟନ କିମ୍ବା ଫାଇନାଲ୍ରେ ପ୍ରବେଶ କରିଯିବ। ଏପରି ସ୍ଥିତିରେ ଭାରତର ହିଁ କ୍ଷତି ହେବ। ତେବେ ଦେଶର ସ୍ୱାର୍ଥ ଆଗରେ କ୍ରିକେଟ ମ୍ୟାଚ୍ କିମ୍ବା ବିଶ୍ୱକପ୍ କିଛି ନୁହେଁ ବୋଲି ଅନେକ ମତ ଦେଇଛନ୍ତି।
ଇଂଲଣ୍ଡରେ ଭାରତ ଓ ପାକିସ୍ତାନ ଶେଷଥର ପାଇଁ ମୁହାଁମୁହିଁ ହୋଇଥିଲେ। ଆଇସିସି ଚାମ୍ପିୟନସ ଟ୍ରଫି ଫାଇନାଲ୍ରେ ପାକିସ୍ତାନ ଟିମ୍ ଇଣ୍ଡିଆକୁ ହରାଇ ବିଜେତା ହୋଇଥିଲା। ଏହାପରେ ଏସିଆ କପ୍ରେ ଭାରତ ଦୁଇ ଥର ପାକିସ୍ତାନକୁ ହରାଇଛି।
ଆସନ୍ତା ୨୭ ତାରିଖରେ ଦୁବାଇ ଠାରେ ଆଇସିସି ବୈଠକ ହେବ। ଏହି ସମୟରେ ବିସିସିଆଇ ବିଶ୍ୱକପ୍ରେ ଭାରତ-ପାକ୍ ମ୍ୟାଚ୍ ସମ୍ପର୍କରେ ଉଠାଇ ପାରେ। ଜୁନ୍ ୧୬ରେ ଭାରତ ଓ ପାକିସ୍ତାନ ବିଶ୍ୱକପ୍ରେ ମୁହାଁମୁହିଁ ହେବାର କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/2TXC9lt
No comments:
Post a Comment