
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ପଶ୍ଚିମ ଓଡ଼ିଶାରେ ତୀବ୍ରତର ହେଉଥିବାବେଳେ ରାଜ୍ୟ ସରକାର ଆଜି ବିଧାନସଭାରେ ଏକ ବିବୃତି ରଖି ସାଧାରଣ ନିର୍ବାଚନରେ ନିଜର ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ କହିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଆବଶ୍ୟକ ଲଜିଷ୍ଟିକ୍, ଭିତ୍ତିଭୂମି ଓ ଆର୍ଥିକ ସହାୟତା ଯୋଗାଇ ଦେବେ। ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିବା ମାତ୍ରେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିବେ।
ତେବେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଏହି ଘୋଷଣା ଯେ କେବଳ ‘ଧର୍ମକୁ ଆଖିଠାର’ ଭଳି, ତାହା ସ୍ପଷ୍ଟ ହୋଇଯାଇଛି। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁୟାରୀ ୧୧ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜବାବରେ କେନ୍ଦ୍ର ଆଇନମନ୍ତ୍ରୀ ଶ୍ରୀ ପ୍ରସାଦ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦିଗରେ ରହିଥିବା ପ୍ର୍ରକ୍ରିୟାକୁ ସମ୍ପୂର୍ଣ୍ଣ କରାଯିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହାସହିତ ହାଇକୋର୍ଟଙ୍କ ସୁପାରିସ, ରାଜ୍ୟପାଳଙ୍କ ଅନୁମୋଦନ ସହ ଆବଶ୍ୟକ ଫର୍ମାଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ଶ୍ରୀ ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ମାତ୍ର ରାଜ୍ୟ ସରକାର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏସବୁ ପ୍ରକ୍ରିୟାକୁ ପୂରଣ ନକରି ଓଲଟା କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ ଫିଙ୍ଗି ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଦୀର୍ଘଦିନ ଧରି ଓକିଲ ଆନ୍ଦୋଳନ, ଅର୍ଥନୀତିକ ଅବରୋଧ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ଭଳି ଘଟଣା ସତ୍ତ୍ୱେ ରାଜ୍ୟ ସରକାର ଥରୁଟିଏ ଏ ଦିଗରେ ଆନ୍ତରିକତାର ସହ ଉଦ୍ୟମ କରିଥିବାର କୌଣସି ପ୍ରମାଣ ନାହିଁ। ଓଲଟା ରାଜନୀତିକ ଫାଇଦା ନେବା ପାଇଁ ଆନ୍ଦୋଳନକୁ ସରକାର ଭଣ୍ଡୁର କରିବାର ନଜିର ରହିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ପାଞ୍ଚ ବର୍ଷ ପରେ ପୁଣି ସେଇ ବାହାନା ନେଇ କେନ୍ଦ୍ର ମୁଣ୍ଡରେ ଅଠା ବୋଳିବାର ଚେଷ୍ଟା ଆଇନଜୀବୀ ପଶ୍ଚିମ ଓଡ଼ିଶାର ଆଇନଜୀବୀ ତଥା ଜନସାଧାରଣ କେତେଦୂର ଗ୍ରହଣ କରିବେ, ତାହା ଦେଖିବାର କଥା।
from Odisha Reporter http://bit.ly/2MVCh25
No comments:
Post a Comment