
ଖୋର୍ଦ୍ଧା (ବଳରାମ ଲେଙ୍କା): ମଦ ବିରୋଧରେ ତାତିଲେ ଲୋକେ। ଟାୟାର ଜାଳି ରାସ୍ତା ଅବରୋଧ ସହିତ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି। ଆଜି ଏପରି ଦୃଶ୍ୟ ଖୋର୍ଦ୍ଧା ଟାଉନ ଥାନା ହଳଦିଆ ବଜାରରେ ଦେଖିବାକୁ ମିଳିଛି।
ଉତ୍ତ୍ୟକ୍ତ ଲୋକେ ଦୁଇଟି ମଦ ଦୋକାନକୁ ଭାଙ୍ଗି ଦେଇଛନ୍ତି। ପେଟି ପେଟି ମଦ ଆଣି ରାସ୍ତାରେ କଚାଡ଼ି ଦେଇଛନ୍ତି। ଗତ ରାତିରେ ଚୂଆରେ ପଡ଼ି ନୃସିଂହ ପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆଜି ଲୋକଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା। ହଳଦିଆ ହସ୍ପିଟାଲରେ ଡାକ୍ତର ଓ ଆମ୍ବୁଲାନ୍ସ ଅଭାବରୁ ନୃସିଂହଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ।
ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବାରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତଥାପି ମାନିନଥିଲେ ଲୋକେ। ପୁଲିସ ସହିତ ମଧ୍ୟ ସେମାଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ସିଡିଏମ୍ଓ, ଏସ୍ପିଓ, ତହସିଲଦାର ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଛି।
ଆନ୍ଦୋଳନକାରୀ ଜ୍ୟୋତ୍ସ୍ନାରାଣୀ ଲେଙ୍କା କହିଛନ୍ତି-“ମଦ ପିଇ ଗତକାଲି ଜଣେ ଲୋକଙ୍କ ମୃତ୍ୟୁ ହୋଇଛି। ମଦ ପାଇଁ ପିଲା ଛୁଆଙ୍କ ସାଂସାର ବରବାଦ ହେଲାଣି। ପାରିବାରିକ ହିଂସାକାଣ୍ଡ ଘଟୁଛି। ତେଣୁ ଆମେ ଚାହୁଁଛୁ, ଏଠାରୁ ମଦ ଦୋକାନ ଉଠାଇ ନିଆଯାଉ। ମଦ ଦୋକାନ ନହଟିଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ।”
ବବି ମାଝି କହିଛନ୍ତି-“ଆଦର୍ଶ ପଞ୍ଚାୟତ ଅର୍ଥ ନିଶା ମୁକ୍ତ ପଞ୍ଚାୟତ। ଏଠି ମଣିଷ ଖରାପ ନୁହେଁ, ମାତ୍ର ମଦ ପିଇଦେଲେ ମଣିଷ ଖରାପ ହୋଇଯାଏ। ଯେଉଁଥିପାଇଁ ଝିଅ ଓ ବୋହୂଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଏ ନାହିଁ। ତେଣୁ ଆମେ ଚାହୁଁଛୁ, ଏହି ୨ଟି ମଦ କାଉଣ୍ଟରକୁ ବନ୍ଦ କରାଯାଉ। ସେହିପରି ମେଡ଼ିକାଲ୍ ଓ ସ୍କୁଲ ପାଖରେ ଥିବା ମଦ ଦୋକାନ ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଉ।”
from Odisha Reporter https://ift.tt/2GKlwXc
No comments:
Post a Comment