
ମୁମ୍ୱାଇ: ଭେଟେରାନ୍ ଅଭିନେତା ରଣଧୀର କପୁର୍ ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମ ମୁମ୍ବାଇଠାରେ ୧୯୪୭ ମସିହା ଫେବ୍ରୁୟାରୀ ୧୫ ତାରିଖରେ ହୋଇଥିଲା। ପୃଥ୍ୱୀରାଜ କପୁର୍ଙ୍କର ନାତି ଓ ରାଜ କପୁର୍ଙ୍କର ପୁଅ ରଣଧୀର ଜଣେ ଶିଶୁ କଳାକାର ଭାବରେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଅଭିନୟ ଜୀବନର କିଛି ଅଜଣା କଥା।
ରାଜ କପୁର୍ଙ୍କ ଫିଲ୍ମ ‘ଶ୍ରୀ ୪୨୦’ରେ ରଣଧୀର୍ କପୁର୍ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ୧୯୭୧ରେ ହୋଇଥିବା ଫିଲ୍ମ ‘କଲ୍ ଆଜ୍ ଔର୍ କଲ୍’ରେ ରଣଧୀର୍ ମୁଖ୍ୟ କଳାକାର ଭାବରେ ଅଭିନୟ କରିଥିଲେ।
ଏହା ପରେ ରଣଧୀର୍ ଜଣେ ଲୋକପ୍ରିୟ ଅଭିନେତା ଭାବେ ସଫଳତା ଅର୍ଜନ କରିଥିଲେ। ରଣଧୀର୍ଙ୍କ ଫିଲ୍ମ ମଧ୍ୟରେ ରହିଛି ‘ଜୱାନୀ ଦିୱାନୀ’, ‘ରାମପୁର କା ଲକ୍ଷ୍ମଣ’, ‘ହମରାହୀ’, ‘ପୋଙ୍ଗା ପଣ୍ଡିତ’, ‘ମାମା ଭାନ୍ଜା’, ‘କସ୍ମେ ୱାଦେ’ ଓ ‘ହାଉସ୍ ଫୁଲ୍’ ।
ସେହି ସମୟରେ ଅଭିନେତ୍ରୀ ବବିତାଙ୍କ ସହିତ ତାଙ୍କର ଆଫୟାର୍ ଥିଲା ଚର୍ଚ୍ଚାରେ। ପ୍ରଥମ ଫିଲ୍ମ ‘କଲ ଆଜ ଔର୍ କଲ୍’ରେ ଅଭିନୟ କରିବା ସମୟରେ ଦୁହିଁଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରଣଧୀର୍ ପଞ୍ଜାବୀ ଥିଲେ ଏବଂ ବବିତା ସିନ୍ଧି। ଦୁହିଁଙ୍କ ବିବାହ କଥା ଶୁଣିବା ପରେ ପରିବାର ଲୋକ ଏହାକୁ ସ୍ୱୀକାର କରି ନ ଥିଲେ।
କପୁର୍ ବଂଶର ଝିଅ ସେହି ସମୟରେ ଫିଲ୍ମରେ କାମ କରୁ ନ ଥିଲେ ଏବଂ ପୁଅମାନେ କୌଣସି ଅଭିନେତ୍ରୀ ସହିତ ବିବାହ କରୁ ନ ଥିଲେ। ରଣଧୀର୍ କପୁର୍ ପିତା ରାଜ୍ କପୁର୍ଙ୍କୁ ବବିତା ଓ ତାଙ୍କର ବିବାହ କଥା କହିଥିଲେ। ରାଜ କପୁର୍ ତାଙ୍କ ଫିଲ୍ମରେ ବବିତାଙ୍କୁ ହିରୋଇନ୍ କରିବା ପାଇଁ ରାଜିଥିଲେ ସତ କିନ୍ତୁ ବବିତାଙ୍କୁ ନିଜ ଘରର ବୋହୂ କରିବା ପାଇଁ ସେ ରାଜି ନ ଥିଲେ।
ପରିବାର ବିରୋଧରେ ଯାଇ ରଣଧୀର୍ କପୁର୍ ୧୯୭୧ ମସିହାରେ ବବିତାଙ୍କୁ ବିବାହ କଲେ। କପୁର୍ ପରିବାର ପରମ୍ପରାକୁ ରକ୍ଷା କରିବାକୁ ଯାଇ ବବିତା ମଧ୍ୟ ଫିଲ୍ମରେ ଅଭିନୟ କରିବା ଛାଡ଼ି ଦେଇଥିଲେ।
ବିବାହ ପରେ ୧୯୭୪ ମସିହାରେ କରିସ୍ମା ଓ ୧୯୮୦ ମସିହାରେ କରିନା କପୁର୍ଙ୍କର ଜନ୍ମ ହୋଇଥିଲା। ବବିତା ଫିଲ୍ମ କ୍ୟାରିୟରରୁ ଦୂରେଇ ରହିଥିଲେ ମଧ୍ୟ ନିଜର ଦୁଇ ଝିଅଙ୍କୁ ଅଭିନେତ୍ରୀ କରିବା ପାଇଁ ଚାହୁଁଥିଲେ। କିନ୍ତୁ ରଣଧୀର୍ କପୁର୍ କେବେ ବି ଚାହୁଁ ନ ଥିଲେ ତାଙ୍କର ଦୁଇ ଝିଅ ଅଭିନୟ କରନ୍ତୁ। କରିସ୍ମା କପୁର୍ ଯେବେ ବଲିଉଡ୍ରେ ଅଭିନୟ କରିଥିଲେ ଏହାର ପ୍ରଭାବ ବବିତା ଓ ରଣଧୀରଙ୍କ ସମ୍ପର୍କ ଉପରେ ପଡ଼ିଥିଲା। ୧୯୮୮ରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା ଏବଂ ଦୁଇ ଝିଅଙ୍କୁ ଧରି ବବିତା ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ।
୨୦୦୭ରେ ବବିତା ଓ ରଣଧୀର୍ ପୁଣି ଥରେ ଏକାଠି ହୋଇଥିଲେ। ପାଖାପାଖି ୧୯ ବର୍ଷ ଅଲଗା ରହିବା ପରେ ଦୁହେଁ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଗୁରୁବାର ରାତିରେ ରଣଧୀର୍ ତାଙ୍କର ପୂରା ପରିବାର ସହିତ ସ୍ୱତନ୍ତ୍ର ଭାବରେ ଜନ୍ମଦିନକୁ ପାଳନ କରିଛନ୍ତି। ଜନ୍ମଦିନରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଯେଉଁଥିରେ କରିସ୍ମା, କରିନା, ବବିତା, ରଣଧୀର୍, ସୈଫ୍ ଅଲ୍ଲୀ ଖାନ୍ ଓ ତାଙ୍କ ପରିବାର ଏକାଠି ଡିନର୍ କରିଥିଲେ।
from Odisha Reporter http://bit.ly/2BBlvB1
No comments:
Post a Comment