
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଯାତ୍ରା ନାଟକକୁ ଲୋକକଳା ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଉ। କଳାକାରଙ୍କୁ ମାସକୁ ୧୨୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ। ସେହିପରି ପ୍ରତି ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ନାଟକକୁ ମଧ୍ୟ ସାମିଲ କରାଯାଉ। ଯାତ୍ରା କଳାକାର ଓ କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ଏଭଳି ଦାବି କରାଯାଇଛି। ଏଥିସହିତ ମୋଟ ୧୨ ଦଫା ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭା ଓ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁସାରେ ସଂଘ ଦାବି କରିଛି ଯେ, ଯାତ୍ରା ଲେଖକମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଉ। ରାଜା ରାମମୋହନ ରାୟ ଲାଇବ୍ରେରୀରେ ଯାତ୍ରା ପୁସ୍ତକ ଉପଲବ୍ଧ କରିବା ସହିତ ଅନ୍ୟ ବେସରକାରୀ ଶ୍ରମିକମାନଙ୍କୁ ଯେଭଳି ସରକାରୀ ସୁବିଧା ଓ ସହାୟତା ମିଳୁଛି, ଠିକ୍ ସେମିତି ଯାତ୍ରା କଳାକାର ଓ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଉ।
ସଂଘର ମୋଟ ୧୨ ଦଫା ଦାବିରେ, ରାଜ୍ୟସ୍ତରୀୟ ଯାତ୍ରାନାଟକ ଉତ୍ସବ ଆୟୋଜନ, ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ପାଇଁ ମାଗଣାରେ ଘର ପ୍ରଦାନ, ଯାତ୍ରା ଅନୁଷ୍ଠାନ ଗଢ଼ିବା ପାଇଁ ରିହାତି ଦରରେ ଋଣ ଆବଣ୍ଟନ, କଳାକାରଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଆଦି ଦାବି ସାମିଲ ରହିଛି।
ଯାତ୍ରାକଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା ଏବଂ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପରୋକ୍ତ ଦାବି କରିଛନ୍ତି।
from Odisha Reporter http://bit.ly/2BGumRH
No comments:
Post a Comment