
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୋଟରଙ୍କ ଆଗରେ ଛବି ସୁଧାରିବା ପାଇଁ ଆତ୍ମଜୀବନୀ ଉପରେ ଆଧାରିତ ଫିଲ୍ମର ସାହାରା ନିଆଯାଉଛି କି? ନିର୍ବାଚନୀ ବର୍ଷରେ ଚର୍ଚ୍ଚିତ ନେତାଙ୍କର ଗୋଟିଏ ପରେ ଗୋଟିଏ ଆତ୍ମଜୀବନୀ ଉପରେ ଆଧାରିତ ଫିଲ୍ମକୁ ନେଇ ଏବେ ଏଭଳି ଚର୍ଚ୍ଚା ହେଉଛି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ହଲ୍ରୁ ନଯାଉଣୁ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି ରାହୁଲ ଗାନ୍ଧିଙ୍କ ବାୟୋପିକ୍ ‘ମାଇଁ ନେମ୍ ଇଜ୍ ରାଗା’ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଘର୍ଷମୟ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ- ‘ପିଏମ୍ ନରେନ୍ଦ୍ର ମୋଦି’। ଆଉ ଏ ରାସ୍ତାରେ ମଧ୍ୟ ଅଛି ବିଜୁ ପଟ୍ଟନାୟକ ଓ ବାଲ୍ ଠାକ୍ରେଙ୍କ ବାୟୋପିକ୍।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଶୈଶବର ନିରୀହ ଆଖିରେ ଦେଖିଥିଲେ ନିଜ ଜେଜେ ମାଆ ଓ କୈଶୋରରେ ବାପାଙ୍କୁ ଦେଶ ପାଇଁ ସହିଦ ହେବାର କରୁଣ ଚିତ୍ର। ରାଜନୀତି ଗଣିତର ଗୋଲକଧନ୍ଦାରେ ଯିଏ ଫେଲ୍ ଭିତରେ ବି ଚାଖିଛନ୍ତି ସଫଳତାର ସ୍ୱାଦ। ଏହା ଉପରେ ଆଧାରିତ ଫିଲ୍ମ ହେଉଛି ‘ମାଇଁ ନେମ୍ ଇଜ୍ ରାଗା’। ଏହି ଫିଲ୍ମର ଟ୍ରେଲର୍ରେ ରାହୁଲଙ୍କ ଚରିତ୍ରକୁ ବେଶ୍ ପଜିଟିଭ୍ ଭାବେ ଉପସ୍ଥାପନ କରାଯାଇଛି।
କିଛି ଦିନ ତଳେ ରିଲିଜ୍ ହୋଇଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’। ଯେଉଁଥିରେ ଦେଖିବାକୁ ମିଳିଥିଲା ସୋନିଆ ଓ ରାହୁଲଙ୍କ ସମ୍ପର୍କରେ କିଛି ନେଗେଟିଭ୍ ସିକ୍ୱେନ୍ସ। ଚର୍ଚ୍ଚା ହେଉଛି, ସେହି ମଳିନ ଛବିକୁ ସୁଧାରିବା ଉଦ୍ଦେଶ୍ୟରେ ‘ରାଗା’ ନିର୍ମାଣ କରାଯାଇନି ତ? ସେପଟେ ରାହୁଲଙ୍କୁ କାଉଣ୍ଟର ଲାଗି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ବାୟୋପିକ୍। ଉମଙ୍ଗ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇସାରିଛି। ଯେଉଁଥିରେ ବିବେକ ଓବରୟ ମୋଦିଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।
କୁହାଯାଉଛି ବାୟୋପିକ୍ ସିନେମା କେବଳ ଏକ ବାହାନା। ନିର୍ବାଚନ ରଣଭୂମିରେ ନିଜର ପଜିଟିଭ୍ ଓ ପ୍ରତିପକ୍ଷଙ୍କ ନେଗେଟିଭ୍ ଛବିକୁ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ରାଜନୀତିକ ନେତା ଓ ଦଳମାନେ ଆପଣାଇଛନ୍ତି ଏହି ବାଟ। ଯେଉଁ ଧାରାରେ ବହୁ ଛୋଟ ବଡ଼ ଆଞ୍ଚଳିକ ଦଳ ମଧ୍ୟ ସାମିଲ ହେଲେଣି।
ମହାରାଷ୍ଟ୍ର ରାଜନୀତିରେ ଦବଦବା ରହିଥିବା ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜୀବନୀ ଉପରେ ବି ଆସୁଛି ଫିଲ୍ମ ‘ଠାକରେ’।
ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କ ଜୀବନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର ‘କଳିଙ୍ଗପୁତ୍ର’। ସେପଟେ ‘ନିମ୍କି’ ନାମକ ଫିଲ୍ମ ଜରିଆରେ ନବୀନ ସରକାରଙ୍କ ଯୋଜନାର ସୁଫଳକୁ ରୁପେଲି ପରଦା ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ହୋଇଛି ପ୍ରୟାସ।
from Odisha Reporter http://bit.ly/2I04Ah3
No comments:
Post a Comment