
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଥିବା କୋର୍ଟ ଗୁଡ଼ିକରେ କାମ ପ୍ରଭାବିତ ହୋଇଛି। କେତେକ ଦାବିରେ ଆଜିଠାରୁ କୋର୍ଟ ଷ୍ଟାମ୍ପପେପର ଭେଣ୍ଡରମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୪ ହଜାର ଷ୍ଟାମ୍ପପେପର ଭେଣ୍ଡର ଏହି ଆନ୍ଦୋଳନରେ ସାମିଲ୍ ହୋଇ କାମ ବନ୍ଦ କରିଛନ୍ତି।
‘ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍ସ ଆସୋସିଏସନ୍’ ଏକ ପ୍ରମୁଖ ଦାବିରେ ଏହି ଆନ୍ଦୋଳନ ଡାକରା ଦେଇଛି। ସଂଗଠନର ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ଅନନ୍ତ ପ୍ରସାଦ ଜେନାଙ୍କ ସୂଚନା ଅନୁଯାୟୀ, ୫ ଲକ୍ଷ ଟଙ୍କା ଉପରେ କୋର୍ଟ ଷ୍ଟାମ୍ପପେପର କାରବାର ହେଲେ ଈ-ଷ୍ଟାମ୍ପିଂ ବ୍ୟବସ୍ଥା ଲାଗୁ କରିବାକୁ ସଂଘ ଦାବି କରିଆସୁଛି। ତେବେ ୨ ଲକ୍ଷ ଟଙ୍କାର ଷ୍ଟାମ୍ପପେପର କାରବାର ଉପରେ ଈ-ଷ୍ଟାମ୍ପିଂ ବ୍ୟବସ୍ଥା ଲାଗୁ କରିବାକୁ ସରକାର ନିଜେ ୨୦୧୮ ମସିହା ଡିସେମ୍ବର ୧ ତାରିଖରେ ଘୋଷଣା କରିଥିଲେ।
ଏ ସଂପର୍କିତ ଏକ ସରକାରୀ ନୋଟିଫିକେସନ୍ ମଧ୍ୟ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସରକାର ଘୋଷଣା କରିଥିବା ସେଇ ୨ ଲକ୍ଷ ଟଙ୍କାର ଇ-ଷ୍ଟାମ୍ପିଂ ସୀମାକୁ ମଧ୍ୟ କେହି ମାନୁନାହାଁନ୍ତି। ଫଳରେ ଆର୍ଥିକ ଦୁର୍ବଳ ଷ୍ଟାମ୍ପପେପର ଭେଣ୍ଡରମାନେ ଏହାଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ସରକାରୀ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ‘ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍ସ ଆସୋସିଏସନ୍’ ଦାବି କରିଛି।
ସୂଚନାଯୋଗ୍ୟ ଯେ, ଏବେ ଓଡ଼ିଶାର ବିଭିନ୍ନ କୋର୍ଟରେ ପାଖାପାଖି ୪ ହଜାରରୁ ଅଧିକ ଷ୍ଟାମ୍ପପେପର ଭେଣ୍ଡର ଅଛନ୍ତି, ଯେଉଁମାନଙ୍କ ଉପରେ ପାଖାପାଖି ୨୦ ହଜାର ପରିବାର ଲୋକ ନିର୍ଭର କରିଥାନ୍ତି। ଷ୍ଟାମ୍ପ ଭେଣ୍ଡରମାନେ କାମ ବନ୍ଦ କରିବାରୁ ଏବେ ରାଜ୍ୟ ସାରା କୋର୍ଟ ଗୁଡ଼ିକରେ କେଶ୍ ଫାଇଲ୍ ହୋଇପାରୁନି କିମ୍ବା ଏଗ୍ରିମେଣ୍ଟ, ଜମି ରେଜିଷ୍ଟ୍ରେସନ୍ ପ୍ରଭୃତି କାମ ବନ୍ଦ ହୋଇଯାଇଛି। ଗାଁ ଗାଉଁଲିରୁ ଆସୁଥିବା ଲୋକେ ବିନା କାମରେ ଫେରୁଛନ୍ତି।
ତେବେ ଏ ସଂପର୍କରେ ସରକାରଙ୍କ ତରଫରୁ କୌଣସି ତତ୍ପରତା ପ୍ରକାଶ କରାଯାଇନାହିଁ। ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ ମଧ୍ୟ ‘ଓଡ଼ିଶା ଷ୍ଟାମ୍ପ ଭେଣ୍ଡର୍ସ ଆସୋସିଏସନ୍’ ସହ କଥା ହେବାକୁ ଆଗ୍ରହ ପ୍ରକାଶ କରିନି।
from Odisha Reporter http://bit.ly/2SM8HlJ
No comments:
Post a Comment