
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିର ଆନ୍ଦୋଳନକୁ ପୁଣିଥରେ ଭଣ୍ଡୁର କରିଛନ୍ତି ରାଜ୍ୟ ସରକାର। କଳ, ବଳ ଓ କୌଶଳ ଖଟାଇ ଭୁବନେଶ୍ୱର ଆସିବାକୁ ଥିବା ହଜାର ହଜାର ଚାଷୀଙ୍କୁ ଅଧା ବାଟରେ ଅଟକାଇଛି ପୁଲିସ। ଏହାକୁ ନେଇ କେଉଁଠି ଧସ୍ତାଧସ୍ତି ତ ଆଉ କେଉଁଠି ଠେଲାପେଲା ପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଦିନ ତମାମ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ଓ ଛକ ଗୁଡ଼ିକରେ ଚାଷୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏହାର ଜବାବ ଆଗାମୀ ନିର୍ବାଚନରେ ଦିଆଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଦୁନିଆକୁ ଦାନା ଯୋଗାଉଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ସେମାନେ ଏବେ ଋଣ ବୋଝରେ ବୁଡ଼ି ରହିଛନ୍ତି। ତେଣୁ ନିଜର ହକ୍ ଜାହିର କରିବା ପାଇଁ ଚାଷୀମାନେ ରାଜଧାନୀକୁ ଆସୁଥିଲେ। କିନ୍ତୁ କ୍ଷମତାରେ ଅନ୍ଧ ହୋଇଯାଇଥିବା ରାଜ୍ୟ ସରକାର, ପୁଲିସ ଲଗାଇ ସେମାନଙ୍କୁ ଅଧା ବାଟରେ ଅଟକାଇଲେ। ଏହାକୁ ନେଇ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏପରିକି ଚାଷୀଙ୍କୁ ପୁଲିସ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଆଜି ଭୁବନେଶ୍ୱରର ଲୋୟର ପିଏମ୍ଜି, ରେଲୱେ ଷ୍ଟେସନ ଓ ତମାଣ୍ଡୋର ଜାତୀୟ ରାଜପଥରେ ଛକାପଞ୍ଝା ଚାଲିଥିଲା ଚାଷୀ ଓ ପୁଲିସ ମଧ୍ୟରେ। ହକ୍ରେ ଆନ୍ଦୋଳନ ପାଇଁ ଟ୍ରେନ୍ରେ କିଛି ଚାଷୀ ଭୁବନେଶ୍ୱରରେ ପହଞ୍ଚି ଲୋୟର ପିଏମ୍ଜିକୁ ଆସୁଥିବା ବେଳେ ପୁଲିସ ସେମାନଙ୍କୁ ବଳପ୍ରୟୋଗ କରି ଅଟକାଇଥିଲା। ଏହାସତ୍ତ୍ୱେ ଚାଷୀ ପୁଲିସକୁ ଚକ୍ମା ଦେଇ ଲୋୟର ପିଏମ୍ଜିରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି ନେଇ ଦୀର୍ଘଦିନ ହେଲା ଆନ୍ଦୋଳନ କରିଆସୁଛି ‘ନବନିର୍ମାଣ କୃଷକ ସଂଗଠନ’। ଗତ ନଭେମ୍ବର ମାସରେ ସମାନ ଦାବି ନେଇ ରାଜଧାନୀରେ ଆନ୍ଦୋଳନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ଚାଷୀଙ୍କୁ ଅଟକାଇ ଆନ୍ଦୋଳନକୁ ଭଣ୍ଡୁର କରିଥିଲା ପୁଲିସ। ସେହିପରି “ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନାର ନାରା” ଦେଇଥିଲା କୃଷକ ସଂଗଠନ।
ଚାଷୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୩ ଜଣିଆ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆନଯିବାରୁ ଆଜିଠୁ ଅର୍ଥନୈତିକ ଅବରୋଧର ଡାକରା ଦେଇ ଆନ୍ଦୋଳନ କରିବାକୁ ଯୋଜନା କରିଥିଲା କୃଷକ ସଂଗଠନ। କିନ୍ତୁ ଏଥର ମଧ୍ୟ ପୂର୍ବଥର ଭଳି ବଳପ୍ରୟୋଗ କରି ରାଜଧାନୀରୁ ଚାଷୀଙ୍କୁ ତଡ଼ି ଦେଇଛନ୍ତି ରାଜ୍ୟ ସରକାର। ତେବେ ଏହାର ଜବାବ ଆସନ୍ତା ନିର୍ବାଚନରେ ଭୋଟ ବାକ୍ସରେ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ନବନିର୍ମାଣ କୃଷକ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

from Odisha Reporter http://bit.ly/2ShV8u3
No comments:
Post a Comment