
ହ୍ୟାମିଲଟନ୍: ଭାରତ ବିପକ୍ଷ ଦିନିକିଆ ସିରିଜ୍କୁ ୧-୪ରେ ହାରିଥିବା ନ୍ୟୁଜିଲ୍ୟାଣ୍ଡ ଏବେ ଆସନ୍ତା ୬ରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛି। ତେବେ ଏହି ସିରିଜ୍ ପୂର୍ବରୁ ଘରୋଇ କିୱି ଦଳକୁ ଜବରଦସ୍ତ ଝଟ୍କା ଲାଗିଛି। ଦଳର ସବୁଠାରୁ ବଡ଼ ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ମାର୍ଟିନ୍ ଗପ୍ଟିଲ ଆହତ ଥିବା କାରଣରୁ ଭାରତ ବିପକ୍ଷ ଟି-୨୦ ସିରିଜ୍କୁ ବାଦ ପଡ଼ିଛନ୍ତି।
ଆହତ ଥିବାରୁ ଗପ୍ଟିଲ ଭାରତ ବିପକ୍ଷ ୫ମ ଦିନିକିଆ ମଧ୍ୟ ଖେଳି ନଥିଲେ। ଅଣ୍ଟାରେ ଆଘାତ ପାଇଥିବାରୁ ଗପ୍ଟିଲ ସିରିଜ୍ରୁ ବାଦ ପଡ଼ିଥିବା ଆଜି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି। ନ୍ୟୁଜିଲ୍ୟାଣ୍ଡର କୋଚ ଗ୍ୟାରି ଷ୍ଟେଡ୍ କହିଛନ୍ତି, “ଏବେ ଗପ୍ଟିଲ ଫିଟନେସ ଟେଷ୍ଟ୍ରେ ବିଫଳ ହୋଇଛନ୍ତି।
ତେବେ ଟିମ୍ର ଏହି ଜବରଦସ୍ତ ଓପନ୍ର ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ ବେଳକୁ ଫିଟ୍ ହୋଇଯାଇଥିବେ ବୋଲି ଆଶା କରୁଛୁ। ୧୩ ଫେବୃଆରୀରୁ ବାଂଲାଦେଶ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦୁର୍ଭାଗ୍ୟବଶତଃ ସେ ଭାରତ ବିପକ୍ଷ ଟି-୨୦ ସିରିଜ୍ରେ ଖେଳି ପାରିବେ ନାହିଁ। ୫ ଦିନ ମଧ୍ୟରେ ୩ଟି ମ୍ୟାଚ୍ ଖେଳିବା ତାଙ୍କ ପାଇଁ ଏଭଳି ସ୍ଥିତିରେ ସମ୍ଭବ ନୁହେଁ।”
ଭାରତ ଆସନ୍ତା ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ। ଏହାପରେ ଶୁକ୍ରବାର ଦ୍ୱିତୀୟ ଓ ରବିବାର ୩ୟ ଟି-୨୦ ମ୍ୟାଚ୍ ଖେଳିବ।
from Odisha Reporter http://bit.ly/2S9Ff9b
No comments:
Post a Comment