
ପୁରୀ (ମଧୁସୂଦନ ମିଶ୍ର): ପୁରୀରେ ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ୍ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ପ୍ରଥମେ ସେ ଗଜପତି ମହାରାଜାଙ୍କୁ ଭେଟି ଆଲୋଚନା କରିଛନ୍ତି। ଆମିକସ୍ କ୍ୟୁରିଙ୍କ ସହ ବୈଠକ ପରେ ଗଜପତି ମହାରାଜା ନିଜ ପ୍ରତିକ୍ରିୟା ରଖଇବା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଗଜପତି କହିଛନ୍ତି, “ଶ୍ରୀମନ୍ଦିରରେ ମୁଖ୍ୟତଃ ତିନୋଟି କ୍ଷେତ୍ର ପ୍ରଶାସନିକ, ସେବକ ଓ ଧାର୍ମିକ ସଂସ୍କାର ଆବଶ୍ୟକ ରହିଛି। ଏହାକୁ ନେଇ ଆଜି ଆମିକସ୍ କ୍ୟୁରିଙ୍କ ସହ ଆଲୋଚନା କରାଯାଇଛି। ଏହି କ୍ଷେତ୍ରରେ ସଂସ୍କାର ଆସିବା ପରେ ହିଁ ଅନ୍ୟ ଦିଗରେ ସୁଧାର ଆସିବ।”
ସେ ଆହୁରି କହିଛନ୍ତି, “୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଇଥିଲେ। ସେବେଠୁ ସରକାର ଶ୍ରୀମନ୍ଦିର ସମ୍ପର୍କରେ ବିଶେଷ ଧ୍ୟାନ ଦେଇନାହାନ୍ତି। ଦେଶର ଅନ୍ୟ ଧାର୍ମିକ ପୀଠକୁ ସରକାର ନିଜ ହାତକୁ ନେବା ପରେ ଥିବା ସମସ୍ୟାକୁ ଦୂର କରିଛନ୍ତି। ହେଲେ ଶ୍ରୀମନ୍ଦିରର ସମସ୍ୟା ଉପରେ ଧ୍ୟାନ ଦିଆଯାଇନାହିଁ।”
ଆମିକସ୍ କ୍ୟୁରି ଓ ଗଜପତି ମହାରାଜଙ୍କ ସହ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ, ଆଇନ ବିଭାଗ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ସକାଳେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟାରେ ସେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/2GZdJ7i
No comments:
Post a Comment