
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପରେ ବଦଳିବ କି ବିଜେଡିର ସମଦୂରତା ନୀତି ? ବଦଳୁଥିବା ରାଜନୀତିକ ହାଓ୍ୱାକୁ ଦେଖି ନୂଆ ଯୋଜନାରେ ଅଛି କି ଦଳ? ଜାତୀୟ ଗଣମାଧ୍ୟମକୁ ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ଦେଇଥିବା ପ୍ରତିକ୍ରିୟା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି।
ତଥାଗତ କହିଛନ୍ତି, ନବୀନ ପଟ୍ଟନାୟକ ସ୍ଥିର ସରକାର ସପକ୍ଷରେ ରହିବେ। ସେହି ଦୃଷ୍ଟିରୁ ଦେଶର ହିତ ଓ ଓଡ଼ିଶାର ସ୍ୱାର୍ଥ ପ୍ରତି ଯେଉଁ ଦଳ ଧ୍ୟାନ ଦେବ, ବିଜେଡି ତାକୁ ସମର୍ଥନ କରିବ। ତଥାଗତଙ୍କ ଏହି ବୟାନ୍ ବିଜେଡି ରାଜନୀତିର ଆଭ୍ୟନ୍ତରୀଣ ଷ୍ଟ୍ରାଟେଜି ବୋଲି କୁହାଯାଉଛି। ଆଗକୁ ଜାତୀୟ ରାଜନୀତିରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ଭିତରେ ତଥାଗତଙ୍କ ମନ୍ତବ୍ୟ ଆହୁରି ଖୋରାକ୍ ଯୋଗାଇଦେଇଛି। ଏବେ ଏନ୍ଡିଏ ହେଉ କି ବିଗତ ଦିନରେ ୟୁପିଏ, ସବୁବେଳେ ସେଫ୍ କାର୍ଡ ଖେଳି ଆସିଛନ୍ତି ନବୀନ।
କୁହାଯାଉଛି, ଜାତୀୟ ଦଳ ସହ ମୂଲଚାଲ କରିବା ପାଇଁ ବିକଳ୍ପ ଖୋଲା ରଖିବା ବିଜେଡିର ଏକ ଚିରାଚରିତ ଷ୍ଟ୍ରାଟେଜି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପୂର୍ବରୁ ତଥାଗତ ହିଁ କହିଥିଲେ, ନିର୍ବାଚନରେ ସଫଳତା ପାଇଲେ ନବୀନ ଚାହିଁ ପାରନ୍ତି, ତାଙ୍କ ଦଳ କେନ୍ଦ୍ରରେ ଶାସନ କରୁ।
କିନ୍ତୁ ଜାତୀୟ ଗଣମାଧ୍ୟମରେ ଏପରି ଆଲୋଚନାକୁ ବିଜେଡି ସମର୍ଥନ କରିନି। ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି-“ମୁଖ୍ୟମନ୍ତ୍ରୀ ସବୁକିଛି ସ୍ପଷ୍ଟ କରିଦେଇଛନ୍ତି। ଏହା ପରେ ଆଉ କାହାର କିଛି କହିବାର ଆବଶ୍ୟକତା ନାହିଁ।”
ସେପଟେ ତଥାଗତଙ୍କ ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି। କଂଗ୍ରେସ କହିଛି ସମଦୂରତା ଓ ରାଜ୍ୟ ସ୍ୱାର୍ଥ କଥା କେବଳ ଏକ ବାହାନା। ନବୀନ ନିଜ ସୁରକ୍ଷା ପାଇଁ କିଛି ବି କରିପାରନ୍ତି। ବିଜେପି କହିଛି ବିଜେଡି ହେଉଛି ନବୀନଙ୍କ ବ୍ୟକ୍ତିଗତ ମାଲିକାନାର ଦଳ। ତେଣୁ ତଥାଗତଙ୍କ ମତର ପ୍ରାସଙ୍ଗିକତା କିଛି ନାହିଁ। କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି-“ବିଜେଡିର ସମଦୂରତା ଏକ ବାହାନା। ନିଜକୁ ସୁରକ୍ଷିତ ରଖିବା ପାଇଁ ନବୀନ ବାବୁ ସବୁପ୍ରକାର ପଦକ୍ଷେପ ନେବେ ଓ ନେଉଛନ୍ତି।”
ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି-“୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ଯେତିକି ସଂଖ୍ୟା ଗରିଷ୍ଠତା ମିଳିଥିଲା, ତାହାଠାରୁ ଅଧିକ ଏଥର ମିଳିବ। ତେଣୁ ତଥାଗତବାବୁଙ୍କ ସାକ୍ଷାତକାରର ବହୁ ପ୍ରାସଙ୍ଗିକତା ଥିଲା ପରି ଲାଗୁନି।”
ତେବେ ତଥାଗତ କେଉଁ ସନ୍ଦର୍ଭରେ ଏଭଳି ମନ୍ତବ୍ୟ ଦେଲେ, ସେନେଇ କୌଣସି ପ୍ରତିକ୍ରିୟା ଦେବାକୁ ସେ ମନାକରିଦେଇଛନ୍ତି। ତେବେ ସମଦୂରତା ନେଇ ତଥାଗତଙ୍କ ମନ୍ତବ୍ୟ ସହ ପ୍ରକୃତରେ ବିଜେଡିର ରଣନୀତିର କେତେ ସାମଞ୍ଜସ୍ୟ ରହିଛି, ତାହା ଆଗକୁ ସ୍ପଷ୍ଟ ହେବ।
from Odisha Reporter http://bit.ly/2S2Vf7X
No comments:
Post a Comment