
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେଉଁ ଗାଁରେ ଜନ୍ମ ହୋଇ ଜୀବନକୁ ଚିହ୍ନିଥିଲେ, ଆଜି ସେଠି ଜଳିବ ସେମାନଙ୍କ ଜୁଈ। ସବୁଦିନ ପାଇଁ ଜନ୍ମମାଟି କୋଳରେ ଚିରନିଦ୍ରାରେ ଶୋଇଯିବେ ଦୁଇ ବୀର ଯବାନ। ସେମାନଙ୍କୁ ବିଦାୟ ଦେବା ପାଇଁ ପୂରା ଗାଁ ଶୋକରେ ଭାସୁଛି। ଆଉ ଜନ୍ମ ଦେଇଥିବା ମାଆ ଆଖିରୁ ଶୁଖୁନି ଲୁହ। ପତ୍ନୀ ଓ ପିଲାମାନେ ଦାଣ୍ଡ ଦୁଆରରେ ବାହୁନି ହେଉଛନ୍ତି। ଶେଷ ଦର୍ଶନ କରିବା ପାଇଁ ପ୍ରିୟଜନ ଓ ସାଧାରଣ ଲୋକେ ଅନାଇ ବସିଛନ୍ତି।
ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରେ ଦୁଇ ସହିଦ୍ ସିଆର୍ପିଏଫ୍ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କୁ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ସେମାନଙ୍କୁ ଗାର୍ଡ଼ ଅଫ୍ ଅନର ସମ୍ମାନ ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୁଲିସ୍ ଡିଜି ଆପି ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି, ସିଆର୍ପିଏଫ୍ ଆଇଜି, ଡିଆଇଜି ପ୍ରମୁଖଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତା’ପରେ କଟକ ଜିଲ୍ଲା ନିଆଳି ରତନପୁରର ରତ୍ନ ଓ ଜଗଜସିଂହପୁର ଜିଲ୍ଲା ନାଉଗାଁ ପାରିଶିଖରର ହୀରାଙ୍କୁ ଗାଁ ମାଟିକୁ ନିଆଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଶୋକାକୁଳ ଜନତା ସହିଦଙ୍କୁ ଶେଷ ସଲାମ ଜଣାଉଛନ୍ତି। ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯାଦା ସହ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
କଟକ ଜିଲ୍ଲା ନିଆଳିର ରତନପୁର ଗାଁ ମନୋଜ କୁମାର ବେହେରା। ୨ ବର୍ଷ ତଳେ ତାଙ୍କର ବାଜିଥିଲା ସାହାନାଇ। ଗଢ଼ି ଉଠିଥିଲା ସଂସାର। କୋଳକୁ ଆସିଥିଲା କୁନି ଝିଅଟିଏ। ଜୀବନରେ କେତେ କଣ ସ୍ୱପ୍ନ ଦେଖିଥିଲେ ମନୋଜ। ଦେଢ଼ ମାସର ଛୁଟି କାଟିବା ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଗତ ୬ ତାରିଖରେ ଡ୍ୟୁଟିରେ ଯୋଗଦେବାକୁ ଯାଇଥିଲେ। ଗଲା ବେଳେ ଅଧାଗଢ଼ା ଘରକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଥିଲେ। ଆଉ ଗୁରୁବାର ଦିନ ଗୋଟାଏରେ ପତ୍ନୀଙ୍କ ସହ କଥା ହୋଇ ଶ୍ରୀନଗର ବେସ୍ କ୍ୟାମ୍ପକୁ ଯାଉଥିବା ଜଣାଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ଆତଙ୍କୀଙ୍କ ହମ୍ଲାରେ ସହିଦ ହୋଇଗଲେ ୨୦୦୬ରେ ସିଆର୍ପିଏଫ୍ରେ ଯୋଗଦେଇଥିବା ମନୋଜ।
ଏପଟେ କୋଳାହଳରେ ପୂରି ଉଠିଛି ଜଗତସିଂହପୁର ଜିଲ୍ଲା ନାଉଁଗା ବ୍ଲକ ପାରିଶିଖର ଗାଁ। ଲୁହ ଆଉ ଶୋକର ଛାଇ ହୋଇଯାଇଛି ସମଗ୍ର ପରିବେଶ। ଏହି ଶୋକାକୁଳ ନୀରବତା ହିଁ ବଖାଣୁଛି ବୀରତ୍ୱର ଗାଥା। କାରଣ ସିଆରପିଏଫ୍ -୬୧ ବାଟାଲିୟନ୍ର ହାବିଲଦାର ପ୍ରସନ୍ନ କୁମାର ସାହୁ ଦେଶପାଇଁ ପ୍ରାଣବଳି ଦେଇଛନ୍ତି। ଆତଙ୍କବାଦୀଙ୍କ ବର୍ବରକାଣ୍ଡରେ ୨୭ ବର୍ଷ ଧରି ସିଆରପିଏଫ୍ରେ ଥିବା ପ୍ରସନ୍ନ ପୁଅଙ୍କ ଷୋଳପୂଜା ପାଇଁ ଗତ ନଭେମ୍ବରରେ ଘରକୁ ଆସିଥିଲେ। ଆସନ୍ତା ଅଗଷ୍ଟରେ ଆସିବେ କହିଥିଲେ। କିନ୍ତୁ ଫେରିଲା ତାଙ୍କ ମରଶରୀର। ଲୁହରେ ଭାସୁଥିଲା ପୂରା ପରିବାର। ଶେଷଥର ପାଇଁ ସହିଦ ବାପାକୁ ଦେଖିବାକୁ ଝିଅ ଅପେକ୍ଷା କରିଛି। ଗାଁର ଗର୍ବକୁ ମଶାଣୀ ମାଟି ଯାଏ ସଙ୍ଖୋଳିବାକୁ ଲୁହଭରା ନୟନରେ ଅପେକ୍ଷାରେ କରିଛନ୍ତି ଜନତା।
from Odisha Reporter http://bit.ly/2IfU2KY
No comments:
Post a Comment