ଶେଷ ବଲ୍‌ରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଶେଷ ବଲ୍‌ରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

ବିଶାଖାପଟ୍ଟନମ୍: ନାଥନ କୁଲ୍ଟର-ନାଇଲ୍‌ଙ୍କ ସଫଳ ବୋଲିଂ ଓ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ୱାଇଏସ୍ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଲୋ’ ସ୍କୋରିଂ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୬ ରନ୍ କରିବାକୁ ସମର୍ଥ ହୋଇଥିଲା।

ଟିମ୍ ଇଣ୍ଡିଆ ଦ୍ରୁତ ଆରମ୍ଭ କରିଥିଲା, କିନ୍ତୁ ମଝି ଓଭରଗୁଡ଼ିକରେ ଅଚାନକ୍ ୱିକେଟ୍ ପତନ କାରଣରୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୫୦ ରନ୍ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନି ୨୯ ରନ୍ କରି ଅପରାଜିତ ଥିଲେ। ଅଧିନାୟକ ବିରାଟ କୋହଲି ୨୪ ରନ୍‌ର ଇନିଂସ୍ ଖେଳିଥିଲେ। ଏହାବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ।

ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୭ ରନ୍ କରି ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଓପନ୍ କରିବାକୁ ଆସିଥିବା ମାର୍କସ୍ ଷ୍ଟୋଇନିସ୍ (୧) ରନ୍ ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଆରୋନ୍ ଫିଞ୍ଚ୍ (୦)ଙ୍କୁ ଜସପ୍ରୀତ୍‌ ବୁମ୍ରା ଆଉଟ୍ କରିଥିଲେ। ଡାର୍ସି ଶର୍ଟ ଓ ମ୍ୟାକ୍ସୱେଲ୍‌ ତୃତୀୟ ୱିକେଟ୍‌ ପାଇଁ ୮୪ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ବିଜୟ ନିକଟତର କରାଇଥିଲେ। ମ୍ୟାକ୍ସୱେଲ୍‌ ୪୩ ବଲ୍‌ରେ ୬ ଚୌକା ଓ ୨ ଛକା ସହ ୫୬ ରନ୍ କରି ଆଉଟ୍‌ ହୋଇ‍ଥିବା ବେଳେ ଶର୍ଟ ୩୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଦୁହିଁଙ୍କୁ ଆଉଟ୍ କରି ଭାରତ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲା।

ଏହା ପରେ ବୁମରା ଜବରଦସ୍ତ ବୋଲିଂ ନିଜର ଶେଷ ଓଭରରେ ପିଟର ହ୍ୟାଣ୍ଡସ୍କମ୍ବ୍ (୧୩) ଓ କୁଲ୍ଟର୍-ନାଇଲ୍ (୪)ଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ଶେଷ ଓଭରରେ ଭ୍ରମଣକାରୀ ଦଳକୁ ୧୪ ରନ୍ ଆବଶ୍ୟକ ହେଉଥିବା ବେଳେ ଉମେଶ ଯାଦବ ଖରାପ ବୋଲିଂ କରି ଭାରତର ବିଜୟ ଆଶାକୁ ଧୂଳିସାତ୍‌ କରିଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ (୭) ଓ ଝାଇ ରିଚାର୍ଡସନ୍ (୭) ଅପରାଜିତ ଥିଲେ। ଭାରତ ପକ୍ଷରୁ ବୁମ୍ରା ୩ଟି ୱିକେଟ୍‌ ନେଇଥିଲେ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ଓପ୍ନର୍‌ ରୋହିତ୍‌ ଶର୍ମା ମାତ୍ର ୫ ରନ୍‌ କରି ଜେସନ୍‌ ବେରେନ୍‌ଡର୍ଫଙ୍କ ଶିକାର ହୋଇଥିଲେ। ଏହାପରେ ରାହୁଲ ଓ କୋହଲି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍‌ ପାଇଁ ୫୫ ରନ୍‌ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଏହି ଯୋଡି ସେଟ୍‌ ହୋଇଆସୁଥିବା ବେଳେ ବିରାଟ୍‌ଙ୍କୁ ଆଡାମ୍‌ ଜାମ୍ପା ପ୍ୟାଭିଲିୟନ୍‌ ପଠାଇ ଅଷ୍ଟ୍ରେଲିଆକୁ ବଡ଼ ସଫଳତା ଦେଇଥିଲେ। ବିରାଟ୍‌ ୧୭ ବଲ୍‌ରେ ୩ ଚୌକା ସହ ୨୪ ରନ୍ କରିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ (୩) ନିଜ ଭୁଲ୍ କାରଣରୁ ରନ୍ ଆଉଟ୍‌ ହୋଇଥିଲେ।

ଅର୍ଦ୍ଧଶତକ ମାରିବା ପରେ ରାହୁଲ୍‌ ମଧ୍ୟ ନିଜ ୱିକେଟ୍ ଦେଇ ବସିଥିଲେ। ସେ ନିଜର ଅର୍ଦ୍ଧଶତକୀୟ ଇନିଂସ୍‌ରେ ୩୬ ବଲ୍‌ର ସାମ୍ନା କରି ୬ ଚୌକା ଓ ୧ ଛକା ମାରିଥିଲେ। ରାହୁଲଙ୍କୁ ଆଉଟ୍ କରିବା ପରେ କୁଲ୍ଟର-ନାଇଲ୍‌ ଦିନେଶ କାର୍ତ୍ତିକ (୧) ଓ କୃନାଲ୍‌ ପାଣ୍ଡ୍ୟା (୧)ଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ। ଏହାପରେ ଧୋନି ଧିମା ବ୍ୟାଟିଂ କରିଥିଲେ, ଯେଉଁ କାରଣରୁ ଭାରତ ଶେଷ ୧୧ ଓଭରରେ ମାତ୍ର ୫୦ ରନ୍ କରିବାକୁ ସମର୍ଥ ହୋଇଥିଲା। ଧୋନି ୩୭ ବଲ୍‌ରେ ୧ଛକା ସହ ମାତ୍ର ୨୯ ରନ୍ କରି ଅପରାଜିତ ଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କୁଲ୍ଟର-ନାଇଲ୍ ସର୍ବାଧିକ ୩ଟି, ବେରେନ୍‌ଡର୍ଫ, ଜାମ୍ପା ଓ ପ୍ୟାଟ୍ କମିନ୍ସ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।

ସଂକ୍ଷିପ୍ତ ସ୍କୋର୍

ଭାରତ ୧୨୬/୭, ୨୦ ଓଭର (ଲୋକେଶ ରାହୁଲ୍ ୫୦, ମହେନ୍ଦ୍ର ସିଂ ଧୋନି ୨୯, ବିରାଟ କୋହଲି ୨୪, ନାଥନ୍ କୁଲ୍ଟର-ନାଇଲ୍ ୩/୨୬)।

ଅଷ୍ଟ୍ରେଲିଆ ୧୨୭/୭, ୨୦ ଓଭର ଓଭର (ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୫୬, ଡାର୍ସି ଶର୍ଟ ୩୭, ଜସପ୍ରୀତ ବୁମ୍ରା ୩/୧୬)।



from Odisha Reporter https://ift.tt/2SUTa3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages