ଭରସା ପାଇଲାନି, ନବୀନ ନିଜେ କଲେ ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଭରସା ପାଇଲାନି, ନବୀନ ନିଜେ କଲେ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାବିରୋଧୀ ହାୱା ଓ ଦ୍ରୁତଗତିରେ ଲୋକପ୍ରିୟତା ହ୍ରାସ ଏବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇଛି। ଖାସ୍ ଏଇଥିପାଇଁ ଗତ ୧୯ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନବୀନ ନିଜେ ରାଜ୍ୟବ୍ୟାପୀ ନିଜର ଓ ଦଳର ସ୍ଥିତି ତଥା ଲୋକପ୍ରିୟତା ଆକଳନ କରିବା ନିମନ୍ତେ ଉଦ୍ୟମ କରିଥିବା ଜଣାପଡ଼ିଛି। ତା’ପୁଣି ଅତ୍ୟନ୍ତ ଗୋପନୀୟ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ବିଜେଡି ଏବେ ବିଭିନ୍ନ ମାଧ୍ୟମରେ ସର୍ଭେ କାର୍ଯ୍ୟକ୍ରମ ଜାରି ରଖିଛି। ବିଭିନ୍ନ ନିରପେକ୍ଷ ସଂସ୍ଥା ଦ୍ୱାରା ଇତିମଧ୍ୟରେ ବିଜେଡି ନବମ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଶେଷ କରିଛି। ଏହାବ୍ୟତୀତ ଗୁଇନ୍ଦା ରିପୋର୍ଟ ଓ ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟକୁ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

ତେବେ ଏସବୁ ମଧ୍ୟରେ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦିଲ୍ଲୀର ଏକ ସଂସ୍ଥାକୁ ରାଜ୍ୟବ୍ୟାପୀ ସର୍ଭେ କରିବା ପାଇଁ ଦାୟିତ୍ୱ ଦେଇଥିଲେ ବୋଲି ଜଣାପଡ଼ିଛି। ଏହି ସଂସ୍ଥାକୁ ନିଜର ସର୍ଭେ ରିପୋର୍ଟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁସାରେ ସର୍ଭେ ସଂସ୍ଥା ନିଜର ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡିରେ ଏବେ ସମସ୍ତ ଟିକିନିଖି ଦାୟିତ୍ୱ ସମ୍ଭାଳିଥିବା କ୍ଷମତାକେନ୍ଦ୍ରଙ୍କୁ ଏହି ସର୍ଭେ ସମ୍ପର୍କରେ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖାଯାଇଥିଲା। ଯଦିଓ ରାଜ୍ୟରେ ସେହି ସଂସ୍ଥା ସର୍ଭେ କରିବାବେଳେ କ୍ଷମତାକେନ୍ଦ୍ରଙ୍କୁ ଏହାର ଆଭାସ ମିଳିଥିଲା, କିନ୍ତୁ ତାହା ନିଜେ ମୁଖ୍ୟମନ୍ତ୍ରୀ କରାଉଥିବାରୁ ସେ ଚୁପ୍ ରହିବାକୁ ଉଚିତ୍ ମଣିଥିବା ଜଣାପଡ଼ିଛି।

ତେବେ ପ୍ରଶ୍ନ ଉଠୁଛି, ନବୀନ ନିଜେ ରାଜନୀତିକ ଓ ପ୍ରଶାସନିକ ବ୍ୟାପାରରେ କ୍ଷମତାକେନ୍ଦ୍ରଙ୍କ ଉପରେ ଶତପ୍ରତିଶତ ନିର୍ଭରଶୀଳ ରହୁଥିବାବେଳେ ତାଙ୍କୁ ଅନ୍ଧାରରେ ରଖି ଏଭଳି ସର୍ଭେ କରାଇଲେ କାହିଁକି? ଗୋଟିଏପଟେ କ୍ଷମତାକେନ୍ଦ୍ରଙ୍କ ବିନା ଅଗୋଚରରେ ନବୀନ କୌଣସି ଜଣେ ବି ବ୍ୟକ୍ତିଙ୍କୁ ଭେଟୁନଥିବାବେଳେ ଏହି ସର୍ଭେରୁ ତାଙ୍କୁ ଦୂରେଇ ରଖିବା ପଛରେ କ’ଣ କାରଣ ରହିଛି?

ବିଜେଡି ପାୱାର କରିଡର ସହ ଜଡ଼ିତ ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଏହା ସତ୍ୟ ଯେ, କ୍ଷମତାକେନ୍ଦ୍ରଙ୍କ ବିନା ପରାମର୍ଶରେ ନବୀନ ଏବେ କୌଣସି କାର୍ଯ୍ୟ କରୁନାହାନ୍ତି। ଦଳ ଓ ସରକାରର ଯେକୌଣସି ପ୍ରଭାବଶାଳୀ ନେତା ଓ ଅଫିସରଙ୍କ ଭେଟିବାଠୁ ଆରମ୍ଭ କରି ରାଜନୀତିକ ଓ ପ୍ରଶାସନିକ ନିଷ୍ପତ୍ତି ସବୁଥିରେ କ୍ଷମତାକେନ୍ଦ୍ର ହିଁ ଚୂଡ଼ାନ୍ତ ଭୂମିକା ତୁଲାଉଛନ୍ତି। ଅବଶ୍ୟ ଏବେ ଗତ କିଛିମାସ ହେବ ଦଳର ବଡ଼ଧରଣର ପାଣ୍ଠି ଦେଣନେଣ ସମ୍ପର୍କରେ ନବୀନଙ୍କୁ ଅବଗତ କରାଯାଉଛି ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ଗୋଲାପୀ ଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା ଓ ସେ ତାକୁ ଭରସା କରି ପ୍ରଚାର ଅଭିଯାନରୁ ଦୂରେଇ ରହିଥିଲେ। ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ତାହା ମୁଖ୍ୟମନ୍ତ୍ରୀଙ୍କୁ ବେଶ୍ କ୍ଷୁବ୍ଧ କରିଥିଲା। ତେଣୁ ଏବେ ସାଧାରଣ ନିର୍ବାଚନ ସମୟରେ ତାଙ୍କୁ ରାଜ୍ୟର ରାଜନୀତିକ ସ୍ଥିତି ସମ୍ପର୍କରେ ଗୋଲାପୀ ଚିତ୍ର ଦିଆଯାଉଥିବାର ଆଶଙ୍କା କରି ସେ ନିଜେ ଏଭଳି ସର୍ଭେ କରିଥାଇପାରନ୍ତି।

ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ସମ୍ପର୍କରେ ତତକାଳୀନ ଗୁଇନ୍ଦା ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯେଉଁ ରିପୋର୍ଟ ପ୍ରସ୍ତୁତ କରୁଥିଲେ ତାହା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ସର୍ଭେ ଓ ଅନ୍ୟାନ୍ୟ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିଲେ। ମାତ୍ର ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦୁର୍ବଳ ପ୍ରଦର୍ଶନ ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ଦାୟୀ କରିବା କରିବାକୁ କିଛି ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର ସଫଳ ହେବାପରେ ଏବେ ତାଙ୍କୁ ପାୱାର କରିଡରରୁ ସମ୍ପୂର୍ଣ୍ଣ ଆଉଟ୍ କରାଯାଇଛି। ତେଣୁ ଏସବୁ ଦୃଷ୍ଟିରୁ ନବୀନ ନିଜର ଓ ଦଳର ଲୋକପ୍ରିୟତା ତଥା ରାଜନୀତିକ ପରିଦୃଶ୍ୟକୁ ଆକଳନ କରିବା ନିମନ୍ତେ ସିଧାସଳଖ ଏଭଳି ସର୍ଭେ କରିଥିବା ଚର୍ଚ୍ଚା ହେଉଛି। ତେଣୁ ଆଗାମୀ ଦିନରେ ନବୀନଙ୍କୁ ଗୋଲାପୀ ଚିତ୍ର ଦେଖାଇ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କୁ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍ ହାତେଇବାର ସମ୍ଭାବନା କ୍ଷୀଣ।



from Odisha Reporter https://ift.tt/2TaUo9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages