
ଇସ୍ଲାମାବାଦ: ପୁଲୱାମା ହମ୍ଲା ପରେ ବ୍ୟାକ୍ଫୁଟ୍ରେ ଥିବା ପାକିସ୍ତାନ ଏବେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଉପରେ କଟକଣା ଲଗାଇବାକୁ ଅଣ୍ଟା ଭିଡ଼ିଛି। ଆଜି ପାକିସ୍ତାନ ସରକାର ହାଫିଜ୍ ଦ୍ୱାରା ପରିଚାଳିତ ଜାମାତ-ଉଦ-ଦାୱା(ଜେୟୁଡି) ଓ ଏହାର ସହଯୋଗୀ ଚ୍ୟାରିଟି ଫଲାହା ଇ-ଇନାସାନିଅତ ଫାଉଣ୍ଡେସନ(ଏଫ୍ଆଇଏଫ୍)କୁ ଅସିଦ୍ଧ ଘୋଷଣା କରିଛନ୍ତି।
ପୁଲୱାମା ଆକ୍ରମଣରେ ୪୦ ଜଣ ବିଏସ୍ଏଫ୍ ଯବାନ ସହିଦ ହୋଇଥିଲେ। ଏହାପରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲିଟିଥିବା ପାକିସ୍ତାନ ଉପରେ ସମଗ୍ର ବିଶ୍ୱର ଚାପ ପଡ଼ିଥିଲା। ଏହି କାରଣରୁ ପାକିସ୍ତାନ ହାଫିଜ୍ର ସଂଗଠନ ଉପରେ ବ୍ୟାନ୍ ଲଗାଇଥିବା କୁହାଯାଉଛି।
ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖ୍ୟପାତ୍ର କହିଛନ୍ତି, “ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଅଧ୍ୟକ୍ଷତାରେ ବିସିଥିବା ଜାତୀୟ ସୁରକ୍ଷା କମିଟି(ଏନ୍ଏସ୍ସି) ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଇନ୍ ଦ୍ୱାରା ନିଷେଧ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେଣୁ ଜେୟୁଡି ଏବଂ ଏଫ୍ଆଇଏଫ୍ ସଂଗଠନ ଅବୈଧ ହୋଇଥିବାରୁ ପାକ୍ ସରକାର ଏହାକୁ ବ୍ୟାନ୍ କରିଛନ୍ତି।” ପୂର୍ବରୁ ଏହି ଦୁଇ ସଂଗଠନ ଉପରେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନଜର ରଖିଥିଲା।
ସୂଚନାଯୋଗ୍ୟ, ଜେୟୁଡି ଅଧୀନରେ ୩୦୦ ସେମିନାରିଜ୍ ଓ ସ୍କୁଲ, ହସ୍ପିଟାଲ, ଗୋଟିଏ ପବ୍ଲିଶିଂ ହାଉସ୍ ଏବଂ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା ରହିଛି। ଏହି ଦୁଇ ସଂଗଠନର ୫୦ ହଜାର ସ୍ୱେଚ୍ଛାସେବୀ ଓ ହଜାର ହଜାର ସଂଖ୍ୟାର ଦେୟ ଯୁକ୍ତ କର୍ମଚାରୀ ରହିଛନ୍ତି।
ଲସ୍କର-ଇ-ତାଏବାର ସହଯୋଗୀ ଭାବେ ଜେୟୁଡି କାର୍ଯ୍ୟ କରୁଥିଲା। ଲସ୍କର ୨୬/୧୧ ମୁମ୍ବାଇ ଆକ୍ରମଣର ମସୁଧା କରିଥିଲା। ଏହି ସଂଗଠନକୁ ଆମେରିକା ୨୦୧୪ ଜୁନ୍ରେ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ସେହିପରି ଆମେରିକା ୨୦୧୨ରୁ ହାଫିଜ ସୟିଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିଛି। ତା’ ମୁଣ୍ଡ ଉପରେ ୧୦ ମିଲିୟନ ଡଲାରର ପୁରସ୍କାର ମଧ୍ୟ ଲଗାଇଛି।
from Odisha Reporter https://ift.tt/2TeuHW5
No comments:
Post a Comment