
କଟକ: ଚଳିତ ସୟଦ ମୁସ୍ତାକ୍ ଅଲି ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚ୍ରେ ଓଡ଼ିଶା କ୍ରିକେଟ୍ ଟିମ୍ ଦୁର୍ବଳ ମିଜୋରାମକୁ ୯ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶା ୪ ପଏଣ୍ଟ ହାସଲ କରି ଖାତା ଖୋଲିଛି। ଏହା ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ଛତିଶଗଡ଼ ଓ ହରିୟାଣା ନିକଟରୁ ପରାସ୍ତ ହୋଇଥିଲା।
ଆଜି ଅନୁଷ୍ଠିତ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମିଜୋରାମ ପୂରା ୨୦ ଓଭର ଖେଳିପାରି ନଥିଲା। ଓଡ଼ିଶା ବୋଲରଙ୍କ ଦମ୍ଦାର ବୋଲିଂ ଆଗରେ ଭ୍ରମଣକାରୀ ଦଳ ୧୯.୧ ଓଭରରେ ମାତ୍ର ୯୧ ରନ୍ରେ ସୀମିତ ରହିଯାଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ଓଡ଼ିଶା ୧୨.୫ ଓଭରରେ ମାତ୍ର ୧ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶା ତା’ର ଇନିଂସ୍ର ଦ୍ୱିତୀୟ ବଲରେ ହିଁ ଓପନର ସ୍ୱସ୍ତିକ ସାମଲ (୦)ଙ୍କୁ ହରାଇଥିଲା। କିନ୍ତୁ ଅନ୍ୟତମ ଓପନର ରାଜେଶ ଧୂପର ଓ ସନ୍ଦୀପ ପଟ୍ଟନାୟକ ଘରୋଇ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ୨ୟ ୱିକେଟ୍ ପାଇଁ ଅପରାଜିତ ୯୫ ରନ୍ ଯୋଡ଼ି ଓଡ଼ିଶାକୁ ସହଜ ବିଜୟ ଦେଇଥିଲେ। ରାଜେଶ ୩୬ ବଲର ସାମ୍ନା କରି ୫ ଚୌକା ଦ୍ୱାରା ୩୬ ଓ ସନ୍ଦୀପ ୩୯ ବଲ୍ରେ ୮ ଚୌକା ଓ ୧ ଛକା ବଳରେ ୫୪ ରନ୍ କରିଥିଲେ। ମିଜୋରାମର ଏକମାତ୍ର ୱିକେଟ୍ ସିନାନ୍ ନେଇଥିଲେ।
ଏହା ପୂର୍ବର ଟସ୍ ହାରିବା ଓଡ଼ିଶା ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା। ଓଡ଼ିଶାର ଦୁଇ ଷ୍ଟ୍ରାଇକ ବୋଲର ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମରୁ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ସେହିପରି ମଧ୍ୟଭାଗରେ ପପ୍ପୁ ରୟ ମଧ୍ୟ ନିଜର ସ୍ପିନ୍ ଯାଦୁରେ ମିଜୋରାମ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ। ମିଜୋରାମ ପକ୍ଷରୁ ଅଧିନାୟକ ତରୁୱର କୋହଲି (୩୭) ଓ ସିନାନ୍ (୧୭)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଓଡ଼ିଶାର ସଫଳ ବୋଲର ଭାବେ ପପ୍ପୁ ନିଜର ୪ ଓଭର କୋଟାରେ ୮ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ୧୨ ରନ୍ ଦେଇ ୨ଟି, ସୂର୍ଯ୍ୟକାନ୍ତ, ଦେବବ୍ରତ ପ୍ରଧାନ ଓ ବିପ୍ଳବ ସାମନ୍ତରାୟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଆସନ୍ତାକାଲି ଓଡ଼ିଶା ତା’ର ଚତୁର୍ଥ ମୁକାବିଲାରେ ଅରୁଣାଚଳ ପ୍ରଦେଶକୁ ଭେଟିବ। ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।
from Odisha Reporter https://ift.tt/2tzudev
No comments:
Post a Comment