
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ହମ୍ଲା ପରେ ଗତକାଲି ରାତିରେ ଫିଙ୍ଗଲନରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ ଚାରି ଜଣ ସହିଦ ହୋଇଛନ୍ତି। ତେବେ ଯବାନଙ୍କ ପ୍ରତିଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ବି ନିହତ ହୋଇଛନ୍ତି।
ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏ ଦୁଇ ଜଣ ହେଉଛନ୍ତି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଦୁଇ ଜଣ ପ୍ରମୁଖ କମାଣ୍ଡର କାମ୍ରାନ୍ ଓ ଗାଜୀ ରଶିଦ। ଆଉ ଏହି ଦୁଇ ଜଣ ହିଁ ଥିଲେ ପୁଲୱାମାରେ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ।
ଏହି ଦୁଇ ଆତଙ୍କବାଦୀ ପିଙ୍ଗଲନରେ ଏକ ଘରେ ଲୁଚି ରହିଥିଲେ। ବହୁ ସମୟ ଧରି ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ପରେ ସେନା ପକ୍ଷରୁ ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ଉଡ଼ାଇ ଦିଆଯାଇଥିଲା।
ପିଙ୍ଗଲନ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇବା ପରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେନା, ସ୍ଥାନୀୟ ପୁଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ବେଳେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି।
ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଡି.ଏସ୍ ଡାଣ୍ଡିଆଲ୍। ଅନ୍ୟମାନେ ହେଲେ ହେଡ୍ କନଷ୍ଟେବଳ ସେବା ରାମ୍, ଅଜୟ କୁମାର ଓ ହରି ସଂ।
ଆଉ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ଗୁଲଜାର ମହମ୍ମଦ। ତାଙ୍କୁ ଶ୍ରୀନଗରରେ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଗତ ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥରେ ଆତ୍ମଘାତୀ ଆତଙ୍କବାଦୀ ହମ୍ଲା ହୋଇଥିଲା। ଏଥିରେ ସିଆର୍ପିଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ୍କୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ୪୦ ଜଣ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଅପରପକ୍ଷରେ ଏ ଘଟଣା ପରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛି ଭାରତ।
from Odisha Reporter http://bit.ly/2X3Pdrr
No comments:
Post a Comment