
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଆଜି ମନି ଲଣ୍ଡିରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି। ବେଆଇନ୍ ଭାବେ ବିଦେଶରେ ଏକାଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଶ୍ରୀ ଭଦ୍ରାଙ୍କୁ ଇଡି ଏଭଳି ମାରାଥନ ଜେରା କରିଛି।
ଆଜି ଇଡିରେ ହାଜାର ହେବା ପାଇଁ ଶ୍ରୀ ଭଦ୍ରାଙ୍କୁ ପୂର୍ବରୁ ନୋଟିସ୍ ହୋଇଥିଲା। ଅପରାହ୍ଣ ପ୍ରାୟ ୩.୪୭ରେ ଶ୍ରୀ ଭଦ୍ରା ଇଡି ଅଫିସରେ ପହଞ୍ଚିଥିଲେ। ସେ ଏକ ଧଳା ଟୟୋଟାରେ ଏଠାକୁ ଆସିଥିଲେ। ଯେଉଁଥିରେ ତାଙ୍କ ପତ୍ନୀ ତଥା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରା ରହିଥିଲେ। ପ୍ରିୟଙ୍କା ହିଁ ରବର୍ଟ ଭଦ୍ରାଙ୍କୁ ଇଡି ଅଫିସରେ ଛାଡ଼ିଥିଲେ। ଏହି ଗାଡ଼ିରେ ଶ୍ରୀ ଭଦ୍ରାଙ୍କର ଦୁଇଜଣ ଏସ୍ପିଜି ମଧ୍ୟ ରହିଥିଲେ। ଏମାନେ ଟୟୋଟା ଗାଡ଼ିରେ ଭଦ୍ରାଙ୍କୁ ଆଣି କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଜମନଗର ହାଉସଠାରେ ଥିବା ଇଡି ଅଫିସ ବାହାରେ ଛାଡ଼ିଥିଲେ। ଏହାପରେ ଶ୍ରୀ ଭଦ୍ରା ଅଫିସ ମଧ୍ୟକୁ ଯାଇଥିଲେ। ଭଦ୍ରା ଇଡିରେ ପହଞ୍ଚିବା ପୂର୍ବରୁ ତାଙ୍କ ଓକିଲ ସେଠାରେ ଉପସ୍ଥିତ ରହିଥିଲେ।
କୌଣସି ମାମଲାରେ ଏଭଳି ତଦନ୍ତକାରୀ ସଂସ୍ଥା ନିକଟରେ ଶ୍ରୀ ଭଦ୍ରା ହାଜର ହେବା ପ୍ରଥମ ଘଟଣା। ଇଡି ମନୋଜ ଅରୋରାଙ୍କ ଥିବା ତାଙ୍କ ସମ୍ପର୍କ ବିଷୟରେ ଜେରା କରିଛି। ମନୋଜ ଅରୋରା ହେଉଛନ୍ତି ଭଦ୍ରାଙ୍କ ସ୍କାଏଲାଇଟ୍ ହସପିଟାଲିଟି କମ୍ପାନୀର ଜଣେ କର୍ମଚାରୀ। ସେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାର ପ୍ରମୁଖ କର୍ପାଟଦାର ବୋଲି ଇଡି କହିଛି।
ଏହା ବ୍ୟତୀତ ଶ୍ରୀ ଭଦ୍ରାଙ୍କୁ ୟୁପିଏ ସରକାର ଅମଳରେ ପ୍ରତିରକ୍ଷା ଓ ପ୍ରେଟ୍ରୋଲିୟମ ଡିଲ୍ରେ ମିଳିଥିବା କିକ୍ବ୍ୟାକ୍ ସମ୍ପର୍କରେ ମଧ୍ୟ ଇଡି ପ୍ରଶ୍ନ କରିଥିବା ଜଣାପଡ଼ିଛି।
ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲେ ହେଁ ଶ୍ରୀ ଭଦ୍ରା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ରାଜନୀତିକ ଦୃଷ୍ଟି କୋଣରୁ ତାଙ୍କୁ ଏଭଳି ହଇରାଣ କରାଯାଉଥିବା ସେ କହିଛନ୍ତି। ତେବେ ଭଦ୍ରାଙ୍କୁ ତଦନ୍ତରେ ସହଯୋଗ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତାଙ୍କ ଫେବୃଆରୀ ୧୬ ଯାଏ ଇଡି କିମ୍ବା ସିବିଆଇ ଗିରଫ କରିପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି।
ଲଣ୍ଡନରେ ଥିବା ଏକ ଜମିକୁ ଶ୍ରୀ ଭଦ୍ରା ୧.୯ ମିଲିୟନ ପାଉଣ୍ଡରେ କିଣିଛନ୍ତି। ତେବେ ସେ ଏହାକୁ ବେଆଇନ୍ ଭାବେ କିଣିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଇଡି ମାମଲାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2SfYde8
No comments:
Post a Comment