
ନବରଙ୍ଗପୁର (ନବଘନ ବିଷୋୟୀ): ରାଜ୍ୟରେ ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏଥର ଏ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ।
ଗର୍ଭବତୀ ନାବାଳିକାଙ୍କୁ ୧୭ ବର୍ଷ ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା।
ଏହି ନାବାଳିକା ଜଣଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଥିବା ଏକ ଆଶ୍ରମ ସ୍କୁଲ୍ରେ ପଢ଼ୁଥିଲେ। ଗତବର୍ଷ ସେ ସ୍କୁଲ୍ରୁ ଫେରୁଥିବା ବେଳେ ଲକ୍ଷ୍ମଣ ଭଦ୍ରା ନାମକ ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଓ ଧମକଚମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା। ଏହାପରେ ସେ ଜୁନାପାଣି ପଞ୍ଚାୟତ ଅଞ୍ଚଳରେ ଥିବା ତାଙ୍କ ମାଉସୀଙ୍କ ଘରେ ରହୁଥିବା ବେଳେ ଲକ୍ଷ୍ମଣ ତାଙ୍କୁ ଘର ପଛ ପଟକୁ ଡାକି ବାରମ୍ବାର ଦୁଷ୍କର୍ମ କରିଥିଲେ।
କିଛି ଦିନ ପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଘର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ଜଣାପଡ଼ିଲା ଯେ ସେ ଗର୍ଭବତୀ ଅଛନ୍ତି। ପରେ ଦଣ୍ଡ ଭୟରେ ଲକ୍ଷ୍ମଣ ତାଙ୍କୁ ନିଜ ଘରେ ରଖିବାକୁ ରାଜି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେଇଥିଲା। ତେଣୁ ନାବାଳିକା ଜଣଙ୍କ ପୁଣି ତାଙ୍କ ବାପ ଘରକୁ ଫେରି ଆସିଥିଲେ।
ଆଜି ସେ ସ୍ୱେଚ୍ଛାସେବୀ ସଙ୍ଗଠନ ‘ମା’ ଘର’ର ନବରଙ୍ଗପୁର ଶାଖାର ଅଧ୍ୟକ୍ଷାଙ୍କ ସହାୟତାରେ ଏସ୍ପିଙ୍କୁ ସାକ୍ଷାତ କରି ନ୍ୟାୟ ମାଗିଥିଲେ।
ଏ ଘଟଣାରେ ମାମଲା ରୁଜୁ କରିବା ପାଇଁ ଏସ୍ପି ଉମରକୋଟ ଥାନା ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2Xb7N0H
No comments:
Post a Comment