
ନୂଆଦିଲ୍ଲୀ: ପାଇଲଟ ଓ ଇଞ୍ଜିନିୟରଙ୍କ ଦରମା ଦେଇନପାରି ଦେବାଳିଆ ସ୍ଥିତିରେ ଥିବା ଜେଟ୍ ଏୟାରୱେଜ୍ କମ୍ପାନୀକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ନିୟନ୍ତ୍ରଣକୁ ନେଇ ଏକ ଅଭିଜ୍ଞ ବ୍ୟବସାୟିକ ଟିମ୍ ଦ୍ୱାରା ଜେଟ୍ ଏୟାରୱେଜକୁ ପରିଚାଳନା କରିବ ବୋଲି ଜଣାପଡ଼଼ିଛି। ଆର୍ଥିକ ଦୁଃସ୍ଥିତିରୁ ମୁକୁଳାଇବା ପାଇଁ ଜେଟ୍ ଏୟାରୱେଜର ଅଧ୍ୟକ୍ଷ ନରେଶ ଗୋଏଲ କମ୍ପାନୀର ମୁଖ୍ୟ ଅଂଶଧନ ଥିବା ଆବୁଧାବିର ଏତିହାଦ ବିମାନ କମ୍ପାନୀ ସହ କଥାବାର୍ତ୍ତା କରିଥିଲେ, ହେଲେ କୌଣସି ନିର୍ଭର ପ୍ରତିଶ୍ରୁତି ନମିଳିବାରୁ ଏସବିଆଇ ଜେଟ୍ ଏୟାରୱେଜକୁ ନିଜ ନିୟନ୍ତ୍ରଣକୁ ଆଣି ଚଳାଇବ ବୋଲି ଜଣାପଡ଼ିଛି। ଏଥିପାଇଁ ମାସ ଶେଷ ସୁଦ୍ଧା ଏହି ମର୍ମରେ ଏକ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ,ଜେଟ୍ ଏୟାରୱେଜରେ ଏତିହାଦ କମ୍ପାନୀର ୨୪ ପ୍ରତିଶତ ଅଂଶଧନ ରହିଛି।
ତେବେ ଏସବିଆଇ ଅଧ୍ୟକ୍ଷ ନରେଶ ଗୋଏଲ, ତାଙ୍କ ପତ୍ନୀ ଅନୀତା ଗୋଏଲ ଏବଂ ଦୁଇ ନିର୍ଦ୍ଦେଶକଙ୍କୁ ଇସ୍ତଫା ଦେବା ପାଇଁ କହିଥିବା ଜଣାପଡ଼ିଛି। ଏବେ ଏହି କମ୍ପାନୀକୁ ଦେବାଳିଆ ସ୍ଥିତିରୁ ମୁକୁଳାଇବା ପାଇଁ ଋଣ ଦେଇଥିବା ବ୍ୟାଙ୍କ ପାଖାପାଖି ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଜେଟ୍ ଏୟାରୱେଜରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସବୁଠୁ ଅଧିକ ଲୋନ ଦେଇଛନ୍ତି।
ସେପଟେ ୩ ମାସ ହେବ ବିମାନର ପାଇଲଟ ଏବଂ ଇଞ୍ଜିନିୟର ଦରମା ପାଇନଥିବାରୁ ପ୍ରଧାନମନ୍ତ୍ରୀ ଓ ବିମାନଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି ଜେଟ୍ ଏୟାରୱେଜର ପଞ୍ଜିକୃତ ପାଇଲଟ ଟ୍ରେଡ୍ ୟୁନିଅନ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ(ଏନଏଜି)। ୩ ମାସର ଦରମା ନପାଇଲେ ଏପ୍ରିଲ ପହିଲାରୁ ଆଉ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ଏହାପରେ କମ୍ପାନୀ ତରଫରୁ କୌଣସି ନିର୍ଭର ପ୍ରତିଶ୍ରୁତି ନମିଳିବାରୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି଼ଛନ୍ତି ଜେଟ୍ ଏୟାୱେଜ କମ୍ପାନୀର ପାଇଲଟ୍।
ଦୀର୍ଘ ୨୫ବର୍ଷ ଧରି ଜେଟ୍ ଏୟାରୱେଜ କମ୍ପାନୀ ବିମାନ ସେବାଯୋଗାଇ ଆସୁଥିବାବେଳେ ପ୍ରଥମଥର ପାଇଁ ଏଭଳି ଆର୍ଥିକ ସ୍ଥିତି ଦେଇ ଗତି କରୁଛି। ତେବେ ଏହି ଘରୋଇ ବିମାନ କମ୍ପାନୀକୁ ବଞ୍ଚାଇବା ପାଇ ଏହାକୁ ଋଣ ଦେଇଥିବା ବ୍ୟାଙ୍କ ଗୁଡ଼ିକ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି। ଆଜି ଏ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପିଏମଓ ସେକ୍ରେଟେରୀଙ୍କୁ ଭେଟି ଅବଗତ କରାଇଥିବା ଜଣାପଡ଼ିଛି। ୪ହଜାର କୋଟି ଟଙ୍କା ଋଣରେ ଏହି ବିମାନ କମ୍ପାନୀ ବୁଡ଼ି ରହିଥିବାରୁ କେହି ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଉ ନଥିବା ଏସବିଆଇ ଚେୟାରମ୍ୟାନ କହିଛନ୍ତି।
ଯଦି ଜେଟ ଏୟାରୱେଜ କମ୍ପାନୀ ବନ୍ଦ ହୋଇଯାଏ ତାହେଲେ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ବେକାରୀ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଅନ୍ୟ ବିମାନ କମ୍ପାନୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଏନଏଜି ଆଶଙ୍କା କରିଛି।
ସୂଚନାଯୋଗ୍ୟ, କମ୍ପାନୀ ପାଇଲଟ ଏବଂ ଇଞ୍ଜିନିୟରଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେଉଥିବା ଜଣାପଡ଼ିଛି। ଏମିତିକି ଦରମା ନପାଇ ଜେଟ ଏୟାରୱେଜ କମ୍ପାନୀରେ ପାଇଲଟ ମାନେ ଅନ୍ୟ ବିମାନ କମ୍ପାନୀରେ ଚାକିରୀ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।
from Odisha Reporter https://ift.tt/2CtbDty
No comments:
Post a Comment