
ନୂଆଦିଲ୍ଲୀ: ଫିଲ୍ମ ତାରକା ଜୟାପ୍ରଦା ଶେଷରେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କୁ ନେଇ ଦୀର୍ଘଦିନ ହେଲା ଯେଉଁ ଚର୍ଚ୍ଚା ଜାରି ରହିଥିଲା, ତାହା ସତ ପ୍ରମାଣିତ ହୋଇଛି। ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।
ଦଳ ତାଙ୍କୁ ଉତ୍ତର ପ୍ରଦେଶର ରାମପୁରରୁ ପ୍ରାର୍ଥୀ କରିବ। ଏଠାରେ ସେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ବିରୋଧରେ ଲଢ଼େଇ କରିବେ। ଉଲ୍ଲେଖଯୋଗ୍ୟ, ଏହି ଆସନରୁ ସେ ୨୦୦୪ରୁ ୨୦୧୪ ଯାଏ ସାଂସଦ ରହିଥିଲେ।
ବିଜେପିରେ ଯୋଗଦେବା ପରେ ଜୟାପ୍ରଦା କହିଛନ୍ତି, “ ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ମୁଁ ଗୋଟିଏ ଜାତୀୟ ପାର୍ଟିରେ ରହିଛି। ଏହି ପାର୍ଟିର ନେତା ସର୍ବଦା ଜାତୀୟ ସୁରକ୍ଷାକୁ ଗୁରୁତ୍ୱ ଦେଇଥାଆନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ କାର୍ଯ୍ୟ କରିବା ମୋ ପାଇଁ ସୌଭାଗ୍ୟର ବିଷୟ।
ଜୟାପ୍ରଦା ଦୀର୍ଘ ବର୍ଷ ଅଭିନୟ କରିବା ପରେ ୧୯୯୪ରେ ଟିଡିପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମତ ପାର୍ଥକ୍ୟ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ।
ଟିଡିପିରୁ ବାହାରି ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିଲା। ତାଙ୍କ ସହ ଦଳ ଅମର ସିଂହଙ୍କୁ ମଧ୍ୟ ପାର୍ଟିରୁ ବିଦା କରିଥିଲା। ଅମର ସିଂହ ହେଉଛନ୍ତି ଜୟାପ୍ରଦାଙ୍କ ଘନିଷ୍ଠ ସହଯୋଗୀ। ୨୦୧୪ରେ ଜୟାପ୍ରଦା ଆରଏଲ୍ଡିରେ ଯୋଗଦେଇଥିଲେ। ୨୦୦୪ରୁ ନିର୍ବାଚନ ଜିତି ଆସୁଥିବା ଜୟାପ୍ରଦା କିନ୍ତୁ ୨୦୧୪ରେ ପରାସ୍ତ ହୋଇଥିଲେ।
from Odisha Reporter https://ift.tt/2URvp94
No comments:
Post a Comment