ଗୋଟିଏ ଦଳରେ ୨ ପାରମ୍ପରିକ ବିରୋଧୀ: କିଏ ହେବେ ସନ୍ତୁଷ୍ଟ, ଜତୀନ୍ଦ୍ର ନା ରାଜେନ୍ଦ୍ର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଗୋଟିଏ ଦଳରେ ୨ ପାରମ୍ପରିକ ବିରୋଧୀ: କିଏ ହେବେ ସନ୍ତୁଷ୍ଟ, ଜତୀନ୍ଦ୍ର ନା ରାଜେନ୍ଦ୍ର ?

ଖୋର୍ଦ୍ଧା(ବଳରାମ ଲେଙ୍କା): ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ପ୍ରମୁଖ। ଜିଲା ମୁଖ୍ୟାଳୟ ହୋଇଥିବାରୁ ଏଠାକାର ରାଜନୈତିକ ସମୀକରଣ ରାଜ୍ୟ ରାଜନୀତିକୁ ଢେର୍‌ ପ୍ରଭାବିତ କରିଥାଏ। ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ବାଜିମାତ୍‌ ହୋଇଥିଲା। ୬,୫୯୭ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲା ବିଜେପି। ହେଲେ ଏଥର ସ୍ଥିତି ଅଲଗା। ଏଣେ କାହାକୁ ଟିକେଟ ମିଳିବ ଓ କିଏ ନିର୍ବାଚନ ଲଢିବ ସେ ନେଇ ବି କିଛି ସୁରାକ୍‌ ମିଳୁନି।

ଏହି ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା କୁହାଯାଉଥିବା ବେଳେ ମୁଖ୍ୟ ଲଢେଇ ବିଜେପି ଓ ବିଜେଡି ମଧ୍ୟରେ ହେବ। ହେଲେ ପ୍ରାର୍ଥିତ୍ୱକୁ ନେଇ ଅଡୁଆରେ ପଡିଛନ୍ତି ଏହି ୨ ପ୍ରମୁଖ ଦଳ। ଦୀର୍ଘଦିନ ଧରି ବିଜେପି ସଙ୍ଗଠନରେ ରହି ଦଳ ସଜାଡୁଥିବା ଟାଣୁଆ ତଥା ପୁରୁଖା ରାଜନୀତିଜ୍ଞ ଜତୀନ୍ଦ୍ର ନାଥ ମିତ୍ର ଓରଫ୍‌ ଜିତୁ ମିତ୍ରଙ୍କ ପାଇଁ ସବୁ ଅଙ୍କ ଓଲଟ ପାଲଟ ହୋଇଯାଇଛି। ନିର୍ବାଚନ ପୂର୍ବରୁ ବିଜେପିର ପ୍ରଭାବଶାଳୀ ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସହ ମିଶି ନିଜ ଅଞ୍ଚଳରେ ଜୋରଦାର ପ୍ରଚାର ଚଳାଇଥିବା ଜିତୁ, କିଛି ଦିନ ତଳେ ବିଜେପି ଛାଡି ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏଣୁ ଟିକେଟ ଆବଣ୍ଟନରେ ଏବେ ବିଜେଡି ଓ ବିଜେପି ଉଭୟ ଶିବିରରେ ଦ୍ୱନ୍ଦ୍ୱ ଦେଖାଦେଇଛି।

ବିଜେଡି ଟିକେଟ ଦୌଡରେ କିଏ ?

ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କ ଭାଗ୍ୟ ଏଥର ସୁତା ଖିଅରେ ଝୁଲୁଛି। କାରଣ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବୋଲାଉଥିବା ରାଜନେତା ଜଣକ ଏବେ ତାଙ୍କରି ଦଳ, ମାନେ ବିଜେଡିରେ ସାମିଲ ହୋଇଛନ୍ତି। ଜିତୁ ମିତ୍ର ପୂର୍ବରୁ ବିଜେଡିରେ ଥାଇ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ପରବର୍ତ୍ତି ସମୟରେ ସେ ବିଜେପିରେ ଯୋଗ ଦେଲେ । ୨୦୧୪ ବେଳକୁ ସ୍ଥିତି ରାଜୁଙ୍କ ସପକ୍ଷରେ ଥିଲା କିନ୍ତୁ ଏଥର ସ୍ଥିତି ଓଲଟି ଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ଜିତୁ ମିତ୍ର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବେଳେ ୬୫,୭୦୨ ଖଣ୍ଡ ଭୋଟ ତାଙ୍କ ଖାତାକୁ ଯାଇଥିଲା। ଶ୍ରୀ ମିତ୍ରଙ୍କଠାରୁ ଅଧିକ ୬,୫୯୭ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିଲା ରାଜେନ୍ଦ୍ର ସାହୁ। କିନ୍ତୁ କିଛି ଦିନ ତଳେ ନବୀନ ନିବାସରେ ବିଜେଡିରେ ପୁନଃ ପ୍ରବେଶ କରିଥିବା ଜିତୁ ଏବେ ରାଜେନ୍ଦ୍ରଙ୍କ ପାଇଁ କଣ୍ଟା। ଯଦି ବିଜେଡି ସୁପ୍ରିମୋ ଜିତୁଙ୍କୁ ବିଧାୟକ ଟିକେଟ ଦିଅନ୍ତି ତେବେ ରାଜେନ୍ଦ୍ର ନିରାଶ ହେବେ। ଏପରି ବି ଶୁଣିବାକୁ ମିଳୁଛି ଯେ, ତାଙ୍କୁ ବେଗୁନିଆ ଆସନରେ ଲଢିବା ପାଇଁ ଟିକେଟ ମିଳିପାରେ। କିନ୍ତୁ ଯଦି ଜିତୁଙ୍କୁ ଅନ୍ୟ କିଛି ସାଙ୍ଗଠନିକ ଦାୟିତ୍ୱ ଦିଆଯାଇ ସନ୍ତୁଷ୍ଟ କରାଇ ଦିଆଯାଏ, ତେବେ ହୁଏତ ରାଜେନ୍ଦ୍ର ପୁଣି ଏଠାରୁ ଲଢିପାରନ୍ତି।

ବିଜେପିରୁ କିଏ ?

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା କାଳୁ ଚରଣ ଖଣ୍ଡାୟତରାୟ୍‌ ବିଜେପି ଟିକେଟରୁ ନିର୍ବାଚନ ଲଢିବାକୁ ପ୍ରମୁଖ ଦାବିଦାର। ଖୋର୍ଦ୍ଧା ଏବଂ ଟାଙ୍ଗୀ ବ୍ଲକରେ ତାଙ୍କ ପତିଆରା ଅନ୍ୟ ବିଜେପି ନେତାଙ୍କ ତୁଳନାରେ ଅଧିକ ବୋଲି କୁହାଯାଇପାରେ। ହେଲେ ଏଠାରୁ ମଧ୍ୟ ଅନ୍ୟ ୩ ଦାବିଦାର ଖୋର୍ଦ୍ଧା ବିଧାନସଭାକୁ ପ୍ରତିନିଧିତ୍ୱ କରିବାକୁ ଚାହାନ୍ତି। ସେହି ୩ ନେତା ହେଉଛନ୍ତି ରଶ୍ମୀ ମହାପାତ୍ର, ସୁବାସ ଗନ୍ତାୟତ ଓ ଶକ୍ତିଶଙ୍କର ମିଶ୍ର। ଏ ସମସ୍ତ ନେତା ବିଜେପି ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ପ୍ରତ୍ୟକ୍ଷ ସାମିଲ ରଖିଛନ୍ତି। ଏଣୁ ଏଠାରେ କାହାକୁ ଟିକେଟ ମିଳିବ ତାହା ଆଗାମୀ ଦିନରେ ଜଣାପଡ଼ିବ।

କଂଗ୍ରେସ୍‌ରୁ ସ୍ୱାଗତିକା ନା ରାମଚନ୍ଦ୍ର ?

ରାଜ୍ୟସ୍ତରରେ କଂଗ୍ରେସର ସ୍ଥିତି ଭଲ ନ ଥିଲେ ମଧ୍ୟ ଦଳ ସବୁଠି ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ଏହି କ୍ରମରେ ଦେଖିବାକୁ ଗଲେ ଟାଙ୍ଗୀ ବ୍ଲକର ପୂର୍ବତନ ଚେୟାରମ୍ୟାନ୍‌ ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ହେବାକୁ ପ୍ରମୁଖ ଦାବିଦାର। ଏବେ ସେ ବିଭିନ୍ନ ୱାର୍ଡ ବୁଲି ଜନସମ୍ପର୍କ ସୁଧାରୁଛନ୍ତି। ଅପରପକ୍ଷେ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସ୍ୱାଗତିକା ପଟ୍ଟନାୟକ ମଧ୍ୟ ଏଠାରୁ ନିର୍ବାଚନ ଲଢିବାକୁ ଇଚ୍ଛୁକ ଅଛନ୍ତି। ଏଣୁ ଏଠାରେ କାହାକୁ ଟିକେଟ ଦେଇ ଦଳ ସନ୍ତୁଷ୍ଟ କରୁଛି ତାହା କିଛି ଦିନ ଭିତରେ ସ୍ପଷ୍ଟ ହେବ। କାରଣ ରାମଚନ୍ଦ୍ର ଜଣେ ଟାଣୁଆ ନେତା ହୋଇଥିଲେ ହେଁ ଯେହେତୁ ବିଜେଡି ମହିଳା କାର୍ଡ ଖେଳି ସାରିଛି, ଏଣୁ ସ୍ୱାଗତିକାଙ୍କ ପ୍ରାର୍ଥିତ୍ୱକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।      



from Odisha Reporter https://ift.tt/2ClPD3G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages