ବିଜେପି ନେତାଙ୍କ ବିଜେଡି ମୋହ ଏଥର ଅଡୁଆ କରିବନି ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବିଜେପି ନେତାଙ୍କ ବିଜେଡି ମୋହ ଏଥର ଅଡୁଆ କରିବନି ତ ?

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲାର ୨୪ ନଂ. ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି କେନ୍ଦୁଝର ସଦର। ଏହି ନିର୍ବାଚନ ମଣ୍ଡଳୀଟି ୩ଟି ବ୍ଲକର ୪୩ ପଞ୍ଚାୟତ ଓ କେନ୍ଦୁଝରଗଡ଼ ପୌରାଞ୍ଚଳକୁ ନେଇ ଗଠିତ। ଏହା ଅଧିନରେ ରହିଛି ୬ ଜିଲ୍ଲା ପରିଷଦ ଜୋନ୍। ଯାହାର ସମୁଦାୟ ଭୋଟର ସଂଖ୍ୟା ହେଉଛି ୨,୦୧,୮୯୩। ୨୦୧୪ ନିର୍ବାଚନରେ ଏଠାରେ ୭୭ ପ୍ରତିଶତ ମତଦାନ ହୋଇଥିଲା। ଯେଉଁଥିରେ ୮ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ବିଜେଡି ପ୍ରାର୍ଥୀ ଅଭିରାମ ନାଏକ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମୋହନ ଚରଣ ମାଝୀଙ୍କୁ ୬ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

ରାଜନୈତିକ ଦୃଶ୍ୟପଟ୍ଟ ଓ ସମସ୍ୟା

ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀଟି ବିଜେପିର ଗଡ଼ ବୋଲାଉଥିଲା। ୨୦୦୯ ପୂର୍ବରୁ ଏଠାରେ ବିଜେପି ୩ଥର ଜିତିଛି। ମୋହନ ମାଝି ଏଠାରୁ ୨ ଦୁଇ ଥର ଜିତି ସରକାରରେ ଉପମୁଖ୍ୟ ସଚେତକ ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ଓ ପାନୀୟଜଳ। ଏହା ସହିତ କୃଷିର ବିକାଶ ପାଇଁ ନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମୀ। ଚାଷ ଜମିକୁ ପହଞ୍ଚି ପାରୁନି ପାଣି। ରୋଜଗାର ପାଇଁ ଯୁବପିଢ଼ୀ ଦୂର ସହରକୁ ଯାଇ ଦାଦନ ଖଟନ୍ତି। ନିର୍ବାଚନ ମଣ୍ଡଳୀରେ ଖଣି ଓ ବିଲାତି ଓଡ଼ିଶା ପରି ବହୁ ଛୋଟ ବଡ଼ କାରଖାନା ଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ମିଳୁନି କର୍ମନିଯୁକ୍ତି। ଫଳରେ ଦାଦନ ଖଟିବାକୁ ଆଦିବାସୀ ଯୁବକ ଯାଉଛି ପଡ଼ୋଶୀ ରାଜ୍ୟକୁ।

ବିଜେଡି : ଏହି ନିର୍ବାଚନ ମଣ୍ଡଳୀକୁ ଗତ ଦୁଇଥର ବିଜେଡି ଜିତିଥିଲେ ସୁଧା ପ୍ରତିଥର ନୁଆ ପ୍ରାର୍ଥୀ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଜେଡିରେ ଏବେ ଅନେକ ଆଶାୟୀ। କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ଓ କେନ୍ଦୁଝରଗଡ଼ ପୌରପରିଷଦର ପୂର୍ବତନ ଅଧକ୍ଷ୍ୟା ତଥା ବର୍ତ୍ତମାନ କାର୍ଯ୍ୟରତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ମୀନା ମାଝି ଏବେ ବିଜେଡିରୁ ବିଧାୟକ ଟିକେଟ ଆଶାୟୀ। ଏମାନଙ୍କ କହିବା କଥା ଏହି ନିର୍ବାଚନ ମଣ୍ଡଳୀରେ ଆଶା ଅନୁଯାଇ ବିକାଶ ହୋଇନାହିଁ। ଏବେବି ଗରିବ ଆଦିବାସୀମାନେ ବିଭିନ୍ନ ଯୋଜନାରୁ ବଞ୍ଚିତ ଅଛନ୍ତି। ସୁଯୋଗ ମିଳିଲେ ବିଧାୟକ ଭାବେ ନିର୍ବାଚିତ ହୋଇ ଏମାନଙ୍କର ଉନ୍ନତୀ ପାଇଁ ସେମାନେ କାମ କରିବେ ବୋଲି କହୁଛନ୍ତି।

ବିଜେପି : ସେହିପରି ବିଜେପିର ମୋହନ ମାଝି ଏଠାରୁ ୨ ଦୁଇ ଥର ଜିତି ସରକାରରେ ଉପମୁଖ୍ୟ ସଚେତକ ହୋଇଥିଲେ। ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସେ କାମ କରି ନାହାଁନ୍ତି । ଫଳରେ  ନିଜର ଦବଦବା ଥାଇ ସୁଧା ଗତ ଦୁଇଟି ନିର୍ବାଚନ ହାରିଛନ୍ତି ମୋହନ। ଏଣୁ ସେ ୫ମ ଥର ଲାଗି ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ମୋହନଙ୍କୁ ଭୋଟର ଚାହୁଁ ନାହାଁନ୍ତି। ଗତ ପଞ୍ଚାୟତ ନିର୍ବାଚନ ବେଳେ ସେ ବିଜେଡି ସାଙ୍ଗରେ ମିଶି ଜିଲ୍ଲା ପରିଷଦ ସିଟ‌୍‍ଟିକୁ ବିଜେଡି ହାତକୁ ଟେକି ଦେଇଥିଲେ। ଯାହାକୁ କର୍ମୀମାନେ ବହୁ ବିରୋଧ କରିଥିଲେ। ଏପରିକି ପଞ୍ଚାୟତ ନିର୍ବାଚନ ପରେ ମଧ୍ୟ ନିଜ ଦଳକୁ ପଛରେ ପକାଇ ବିଜେଡି ସାଙ୍ଗରେ ମିଶି ବ୍ଲକ ଅଧ୍ୟକ୍ଷା ପଦ ନିମନ୍ତେ ସମସ୍ତ ଜୋର ଲଗାଇଥିଲେ ବୋଲି ଅଭିଯୋଗ ହୁଏ। ଯାହାକୁ ନେଇ ନିଜ ଦଳର କର୍ମୀ ତାଙ୍କ ଉପରେ ଅସନ୍ତୁଷ୍ଟ। ଏସବୁ ସତ୍ୱେ ଦଳ ଅନ୍ୟମାନଙ୍କୁ ଅଣଦେଖା କରି ମୋହନକୁ ଟିକଟ ଦେଇଛି। ଏଣୁ ଏଥର କ’ଣ ହେବ କହିବା ସମ୍ଭବ ନୁହେଁ। ଏପଟେ ବିଜେପିରେ ୧୫ ବର୍ଷଧରି କାମ କରିଥିବା ଓ ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଥିବା କିରଣବାଳା ନାଏକ ଦୌଡରୁ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା। ଏଣୁ ସେ ସ୍ୱାଧୀନ ଭାବେ ଲଢିବାକୁ ସେ ମନସ୍ତ କରିଛନ୍ତି।

ଜେଏସପି : କିଛିଦିନ ତଳେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଜନ ସମୃଦ୍ଧୀ ପାର୍ଟି(ଜେଏସପି) ନାମରେ ଏକ ଦଳ ଗଠନ କରିଥିଲେ। ଏଣୁ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ସନାତନ ମହାକୁଡଙ୍କର ସମର୍ଥିତ ପ୍ରାର୍ଥୀ ଦ୍ୱାରିକାନାଥ ନାଏକ ଜନ ସମୃଦ୍ଧି ପାର୍ଟି ( ଜେଏସପି)ରୁ ଦାବିଦାର ଅଛନ୍ତି। ଯଦିଓ ଦଳ ପକ୍ଷରୁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା ହୋଇନାହିଁ, ତେବେ ଦଳ ପକ୍ଷରୁ ଟିକେଟ ପାଇଁ ପଳାଶପଙ୍ଗା ସରପଞ୍ଚ ସଂଜୟ ନାଏକ ଆଶାୟୀ ଅଛନ୍ତି। ହେଲେ ଦଳରୁ ନିଜେ ସଭାପତି ଇସ୍ତଫା ଦେବାପରେ ଏବେ ଆଶଙ୍କା ମଧ୍ୟରେ ଜେଏସ୍‌ପି। ହେଲେ ସନାଙ୍କ ସମର୍ଥନ ଯାହାପ୍ରତି ରହିବ ସେ ନିଶ୍ଚୟ ଜିତିବେ ବୋଲି କୁହାଯାଉଛି।

କଂଗ୍ରେସ :  ଦୀର୍ଘ ୨୩ ବର୍ଷଧରି କ୍ଷମତାରୁ ଦୁରରେ ଥିବା କଂଗ୍ରେସ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା । କାରଣ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଲୋକ। ଯାହାକୁ ନେଇ କର୍ମିମାନେ ଉତ‌୍‍ଫୁଲିତ। ଏପଟେ କଂଗ୍ରେସର ଜିତିବା ଆଶା ଅଧିକ ଥିବା ପରିଲକ୍ଷିତ କରି ଆଶାୟୀମାନଙ୍କର ମଧ୍ୟ ଭିଡ ଦେଖା ଦେଇଛି। ଗତ ନିର୍ବାଚନରେ ହାରିଥିବା ବିଦ୍ୟାଧର ଦେହୁରୀ ଓ ନୂଆକରି ଦଳରେ ସାମିଲ ହୋଇଥିବା ଶିବ ଶଙ୍କର ମାରାଣ୍ଡି ଦୌଡରେ ଅଛନ୍ତି। ବିଜେଡି ଓ ବିଜେପି ଦିର୍ଘ ବର୍ଷ କ୍ଷମତାରେ ଥାଇମଧ୍ୟ ନିର୍ବାଚନ ମଣ୍ଡଳୀର ସେଭଳି ଆଖି ଦୃଶିଆ ବିକାଶ କରିପାରି ନ ଥିବା କହୁଛନ୍ତି ଆଶାୟୀ ପ୍ରାର୍ଥୀମାନେ।



from Odisha Reporter https://ift.tt/2FonDwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages