କୋଟଲାରେ କଙ୍ଗାରୁ କମାଲ, ସିରିଜ ହାରିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

କୋଟଲାରେ କଙ୍ଗାରୁ କମାଲ, ସିରିଜ ହାରିଲା ଭାରତ

ନୂଆଦିଲ୍ଲୀ: କାମ ଦେଲାନି ବିରାଟ ମ୍ୟାଜିକ୍। କୋଟଲାରେ କମାଲ କରିଛି କଙ୍ଗାରୁ ଟିମ୍। ଲଗାତାର ତିନୋଟି ବିଜୟ ସହ ଆରୋନ ଫିଞ୍ଚଙ୍କ ଅଷ୍ଟ୍ରେଲିଆ ଟିମ୍ ଭାରତଠାରୁ ଦିନିକିଆ ସିରିଜ ଛଡ଼ାଇ ଆଣିଛି। ଖରାପ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ ନିକଟରୁ ୩୫ ରନରେ ହାରି ସିରିଜ ହାତଛଡ଼ା କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଭାରତ ମାଟିରେ ଦିନିକିଆ ସିରିଜ ଜିତି ଇତିହାସ ରଚିଛି। ଚଳିତ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ୨-୦ରେ ଆଗୁଆ ଥିଲା। କିନ୍ତୁ ଭ୍ରମଣକାରୀ ଟିମ୍ ଆଶା ନହରାଇ ଶେଷ ୩ଟି ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ସିରିଜକୁ ୩-୨ରେ ଜିତିନେଇଛି। ବୁଧବାର ଖେଳାଯାଇଥିବା ମ୍ୟାଚରେ ଉସମାନ ଖ୍ୱାଜାଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୭୨ ରନ୍ କରିଥିଲା। ଖ୍ବାଜା ୧୦୬ ବଲରେ ୧୦ ଚୌକା ଓ ୨ ଛକା ସହ ୧୦୦ ଓ ପିଟର ହ୍ୟାଣ୍ଡସ୍କମ୍ବ ୫୨ ରନ୍ କରିଥିଲେ। ଜବାବରେ ଭାରତ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୩୭ ରନ୍ କରିବାକୁ ସକ୍ଷମ ହୋଇଛି।

୨୭୨ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରଥମରୁ ବଡ଼ ଝଟକା ଲାଗିଥିଲା। ଚତୁର୍ଥ ଦିନିକିଆରେ ଶତକ ମାରିଥିବା ଶିଖର ଧୱନ ନିରାଶ କରିଥିଲେ। ସେ ମାତ୍ର ୧୨ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲରେ ୱିକେଟକିପରକ କ୍ୟାରିଙ୍କ ଦ୍ୱାରା ଧରା ପଡ଼ିଥିଲେ। ଏହା ପରେ ରୋହିତ (୫୬) ଓ ଅଧିନାୟକ ବିରାଟ କୋହଲି (୨୦) ସ୍କୋରକୁ ଆଗକୁ ବଢ଼ାଇଥିଲେ। ବିରାଟ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତର ସ୍କୋର ୬୮ ଥିବା ବେଳେ ବିରାଟ (୨)ଙ୍କୁ ମାର୍କସ ଷ୍ଟୋଇନିସ୍ ଆଉଟ୍ କରିଥିଲେ। ଋଷଭ ପନ୍ତ ପୁଣିଥରେ ନିଜର ଫ୍ଲପ୍ ଶୋ’ ଜାରି ରଖି ମାତ୍ର ୧୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ନେଥନ ଲିଅନ୍ ଆଉଟ୍ କରିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର (୧୬) ଭଲ ଆରମ୍ଭ କରିଥିଲେ। ୨୫ତମ ଓଭର ତୃତୀୟ ବଲରେ ସେ ପ୍ରତିପକ୍ଷ ସ୍ପିନର ଆଡାମ ଜାମ୍ପାଙ୍କୁ ଛକା ମାରିଥିଲେ। ପରବର୍ତ୍ତୀ ବଲରେ ଆଉ ଏକ ବଡ଼ ଶଟ ଖେଳିବା ପ୍ରୟାସରେ ଶଙ୍କର ନିଜର ୱିକେଟ ହରାଇ ବସିଥିଲେ। ଏହା ପରେ ଅର୍ଦ୍ଧଶତକ ମାରି ସେଟ ହୋଇସାରିଥିବା ରୋହିତଙ୍କୁ ମଧ୍ୟ ଜାମ୍ପା ପ୍ୟାଭିଲିୟନ ପଠାଇ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ରୋହିତଙ୍କ ଆଉଟ୍ ହେବାର ଦୁଇଟି ବଲ ବ୍ୟବଧାନରେ ରବୀନ୍ଦ୍ର ଜାଡେଜା (୦)ଙ୍କୁ ଜାମ୍ପା ଆଉଟ କରି ଭାରତ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ। ତେବେ ଏହା ପରେ କେଦାର ଯାଦବ ଓ ଭୁବନେଶ୍ୱର କୁମାର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ସପ୍ତମ ୱିକେଟ ପାଇଁ ୮୧ ରନର ଲଢ଼ୁଆ ପାର୍ଟନରଶିପ୍ ଗଢ଼ିଥିଲେ ହେଁ, ଭାରତକୁ ଜିତାଇପାରି ନଥିଲେ। ଭୁବି ୫୪ ବଲରେ ୩ ଚୌକା ଓ ୨ ଛକା ସହ ୪୬ ଏବଂ କେଦାର ୫୭ ବଲରେ ୪ ଚୌକା ଓ ୧ ଛକା ସହ ୪୪ ରନ୍ କରି ଆଉଟ୍ ହୋଇଥଲେ। ଦୁହିଁଙ୍କ ଆଉଟ୍ ପରେ ଭାରତର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା। ଶେଷଭାଗରେ କୁଲଦୀପ ଯାଦବ ୯ ଓ ମହମ୍ମଦ ସାମି ୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଜସପ୍ରୀତ ବୁମରା ୧ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୩ଟି, କମିନ୍ସ ଓ ଝାଇ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ ହାସଲ କରିଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫିଞ୍ଚଙ୍କ ସହ ଇନିଂସ୍ ଓପନ କରିବାକୁ ଆସିଥିବା ଖ୍ୱାଜା ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୭୬ ରନ୍ ଯୋଡ଼ିଥିବା ବେଳେ ଫିଞ୍ଚ (୨୭)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ। ଏହା ପରେ ଖ୍ୱାଜା ଓ ହ୍ୟାଣ୍ଡସ୍କ୍ୱମ ଭଲ ବ୍ୟାଟିଂ କରି ଦଳକୁ ମଜଭୁତ ସ୍କୋର ଅଭିମୁଖେ ନେଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଏହି ଯୋଡ଼ି ୯୯ ରନର ପାର୍ଟନରଶିପ୍ କରିଥିଲେ। ଖ୍ୱାଜା ଏଠାରେ ନିଜର ଦ୍ୱିତୀୟ ଶତକ ମାରିବା ପରେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ। ଏହିଠାରୁ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ମ୍ୟାକ୍ସୱେଲ (୧)ଙ୍କୁ ଜାଡେଜା ନିଜର ଶିକାର ବନାଇଥିବା ବେଳେ ହ୍ୟାଣ୍ଡସ୍କମ୍ବ ମଧ୍ୟ ଅର୍ଦ୍ଧଶତକ ମାରିବା ପରେ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରି ନଥିଲେ।

ମୋହାଲିରେ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଅଷ୍ଟନ ଟର୍ଣ୍ଣର (୨୦) ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଶେଷଭାଗରେ ଝାଇ ରିଚାର୍ଡସନ (୨୯) ଓ ପ୍ୟାଟ୍ କମିନ୍ସ (୧୫) ଦ୍ରୁତ ରନ୍ ସଂଗ୍ରହ କରି ଭ୍ରମଣକାରୀ ଦଳକୁ ୨୭୨ ରନରେ ପହଞ୍ଚାଇଥିଲେ। ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରି (୩) ମଧ୍ୟ ନିରାଶ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ।



from Odisha Reporter https://ift.tt/2u5IUGw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages