
ମାଲକାନଗିରି (ଜିତେନ୍ଦ୍ର ବେଉରା): ମ୍ୟାଟ୍ରିକ୍ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ ହୋଇଛି। ଗଣିତ ପରୀକ୍ଷା ପରେ ଗାଏବ ହୋଇଯାଇଛି ଛାତ୍ରଛାତ୍ରୀଙ୍କ ଓଏମ୍ଆର୍ ସିଟ୍। ୧୦୮ଟି ଓଏମ୍ଆର୍ ସିଟ୍ ଗାଏବ ହୋଇଯାଇଥିବା ନେଇ ଖବର ଆସିଛି।
ଏ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ। ଜିଲ୍ଲାର ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲ୍ରୁ ଛାତ୍ରଛାତ୍ରୀଙ୍କ ଓଏମ୍ଆର୍ ସିଟ୍ ଗାଏବ ହୋଇଯାଇଛି। ଓଏମ୍ଆର୍ ସିଟ୍ ଗୁଡ଼ିକ କୁଆଡ଼େ ଗଲା, ସେ ସଂପର୍କରେ କିଛି ଜଣାପଡ଼ୁନି।
ଏ କଥା ଜଣାପଡ଼ିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରୁ କିପରି ଓଏମ୍ଆର୍ ସିଟ୍ ଗାଏବ ହେଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍। ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ପଚରାଉଚରା କରାଯାଉଛି।
ଗତକାଲି ଗଣିତ ପରୀକ୍ଷା ହୋଇଥିଲା। ଗୋଟେ ଦିନ ଭିତରେ ଏତେ ବଡ଼ ବିଭ୍ରାଟ କିପରି ହେଲା, ସେ ନେଇ ଏବେ ଅଡ଼ୁଆରେ ପଡ଼ିଯାଇଛି ମାଧ୍ୟମିକ ଶିକ୍ଷା ପରିଷଦ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ଖବର ଆସିଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଗତକାଲି ଗଣିତ ପ୍ରଶ୍ନପତ୍ରର ‘ସେଟ୍ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ମଧ୍ୟ ୮ ଜଣ ଗିରଫ ହୋଇଛନ୍ତି। ହିନ୍ଦୀ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଖବର ବି ଆସିଥିଲା। ତେବେ ସେଗୁଡ଼ିକ ପୁରୁଣା ବର୍ଷର ପ୍ରଶ୍ନପତ୍ର ବୋଲି ଯାଞ୍ଚ ପରେ ଜଣାପଡ଼ିଥିଲା।
from Odisha Reporter https://ift.tt/2EmLcFK
No comments:
Post a Comment