
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ପାରିବାରିକ ଆସନ ଆମେଥି ସହିତ ଏକ ଦ୍ୱିତୀୟ ଆସନରୁ ଲଢ଼ିବେ। ସେ ଲଢ଼ିବାକୁ ଥିବା ଦ୍ଵିତୀୟ ସଂସଦୀୟ ଆସନ ୱାଇନାଡ଼ କର୍ଣ୍ଣାଟକା ଏବଂ କେରଳ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ରାହୁଲ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଭଳି ଯୋଜନା ବନାଇଛନ୍ତି। ତେବେ ତାଙ୍କ ପ୍ରାର୍ଥୀତ୍ୱ ନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଦଳର କେରଳ ୟୁନିଟ୍ ସଭାପତି ମୁଲ୍ଲାପାଲ୍ଲି ରାମଚନ୍ଦ୍ରନ୍ କହିଛନ୍ତି ରାହୁଲ ଏହି ଆସନରେ ଲଢ଼ିବାକୁ ରାଜି ହୋଇଛନ୍ତି।
ଏହାର ବଡ଼ କାରଣ ସ୍ୱରୂପ କୁହାଯାଉଛି, ରାହୁଲ ଦକ୍ଷିଣ ଭାରତରେ ମଧ୍ୟ ପ୍ରାର୍ଥୀ ହୁଅନ୍ତୁ ବୋଲି କେରଳ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକା ଆଦି ରାଜ୍ୟମାନଙ୍କର ନେତାମାନେ ବାରମ୍ବାର ଶୀର୍ଷ ନେତୃତ୍ୱ ଉପରେ ଚାପ ପକାଇ ଆସୁଥିଲେ। ଆରମ୍ଭରୁ ରାହୁଲ ରାଜି ହେଉନଥିଲେ ମଧ୍ୟ ପରେ ରାଜି ହୋଇଛନ୍ତି ବୋଲି ରାମଚନ୍ଦ୍ରନ୍ କହିଛନ୍ତି।
୨୦୦୮ ମସିହାରେ କନ୍ନୁର, ମାଲାପ୍ପୁରମ୍ ଏବଂ ୱାଇନାଡ଼ ନିର୍ବାଚନମଣ୍ଡଳୀର ପୁର୍ନଗଠନ ହେବା ସମୟରେ ଏହି ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ଏହି ଆସନରୁ କ୍ରମାଗତ ୨ ଥର ନିର୍ବାଚନରେ ଜିତିଆସୁଥିବା କଂଗ୍ରେସ ପ୍ରାର୍ଥୀ ଏମ୍ଏଲ୍ ଶାହନୱାଜ୍ ୬ ମାସ ତଳେ ମୃତ୍ୟୁବରଣ କରିଛନ୍ତି।
କଂଗ୍ରେସ ଯୁକ୍ତି ଦର୍ଶାଇ ଆସୁଛି ଯେ, ରାହୁଲ ଦକ୍ଷିଣ ଭାରତରୁ ଲଢ଼ିଲେ ଏହା କର୍ମୀମାନଙ୍କର ଜୋଶ୍ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ସେହିଭଳି ତାମିଲନାଡ଼ୁ କଂଗ୍ରେସ ମୁଖ୍ୟ କେଏସ୍ ଆଲାଗିରି କହିଛନ୍ତି, ଦକ୍ଷିଣ ଭାରତରୁ ଲଢ଼ିଲେ ରାହୁଲ ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିପାରିବେ। ସୂଚନାଯୋଗ୍ୟ ଯେ ଆଲାଗିରି ମଧ୍ୟ ଚାହୁଁଥିଲେ ରାହୁଲ ତାଙ୍କ ରାଜ୍ୟ ତାମିଲନାଡ଼ୁରୁ ଲଢ଼ନ୍ତୁ।
ରାହୁଲଙ୍କ ପୂର୍ବରୁ ତାଙ୍କ ମା’ ସୋନିଆ ଗାନ୍ଧି ଏବଂ ଇନ୍ଦିରା ଗାନ୍ଧି ମଧ୍ୟ ଦକ୍ଷିଣ ଭାରତରୁ ଲଢ଼ିସାରିଛନ୍ତି। ତେବେ ସେମାନେ କର୍ଣ୍ଣାଟକରୁ ହିଁ ଲଢ଼ିଥିଲେ। ଇନ୍ଦିରା ୧୯୭୮ରେ ଚିକମାଗାଲୁରରୁ ଏବଂ ସୋନିଆ ୧୯୯୯ରେ କର୍ଣ୍ଣାଟକାର ବେଲ୍ଲାରୀ ଓ ଉତ୍ତରପ୍ରଦେଶର ଆମେଥିରୁ ଲଢ଼ିଥିଲେ। ଏହି ଦୁଇଟି ଆସନରେ ସେ ଯଥାକ୍ରମେ ସୁଷମା ସ୍ୱରାଜ ଏବଂ ସଞ୍ଜୟ ସିଂହଙ୍କୁ ହରାଇଥିଲେ।
from Odisha Reporter https://ift.tt/2HB7uYt
No comments:
Post a Comment