
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି।
ନୂଆଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି।
ଏହି ଅବସରରେ ପ୍ରକାଶ ବେହେରା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶଧାରାରେ ଆକର୍ଷିତ ହୋଇ ସେ ବିଜେପିରେ ମିଶିଛନ୍ତି। ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତାଙ୍କର ଭରସା ଅଛି। ୫ ବର୍ଷ ହେବ ଦେଶରେ ପ୍ରଗତି ହେଉଛି। ବିରୋଧୀ ଦଳରେ ଥିଲେ ବି ସେ ତାଙ୍କ ବିକାଶ କାର୍ଯ୍ୟକୁ ଅନୁସରଣ କରିଥିଲେ। କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଦ୍ୱାରା ଓଡ଼ିଶାର ବିକାଶ ହୋଇଛି। ଆଜି ତାଙ୍କୁ ପ୍ରଧାନମନ୍ତ୍ରୀ ଦଳରେ ସାମିଲ ହୋଇ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି।
ସେ କହିଥିଲେ,“ମୁଁ ମୋ ନିର୍ବାଚନ ମଣ୍ଡଳୀରେ ବିକାଶର ନାରା ନେଇ କାର୍ଯ୍ୟ କରୁଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିକାଶର ନାରା ନେଇ ସାରା ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ଯୁବଗୋଷ୍ଠୀକୁ ଆକୃଷ୍ଟ କରିଛି। ଆଗାମୀ ଦିନରେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ଓ କେ.ଭି ସିଂହଦେଓଙ୍କ ନେତୃତ୍ୱରେ ଦଳ ଓଡ଼ିଶାରେ ବିକାଶ କରିବ। ମୁଁ ବିଜେପି ପାଇଁ ମନପ୍ରାଣ ଦେଇ ଭାବେ କାର୍ଯ୍ୟ କରିବି।”
ପ୍ରକାଶଙ୍କୁ ଦଳକୁ ସ୍ୱାଗତ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା କହିଥିଲେ ଯେ ତାଙ୍କର ଯୋଗଦାନ ଦ୍ୱାରା ଦଳ ଆହୁରି ସୁଦୃଢ଼ ହୋଇଛି। କେବଳ କଟକ କିମ୍ବା କେନ୍ଦ୍ରପଡ଼ା ନୁହେଁ ପୂରା ଉପକୂଳ ଓଡ଼ିଶାରେ ବିଜେପି ଏବେ କାୟା ବିସ୍ତାର କରୁଛି। ତାଙ୍କର ଯୋଗଦାନ ଦ୍ୱାର ଦଳ ଏଠାରେ ଆହୁରି ସଶକ୍ତ ହେବ। ପ୍ରକାଶ ଜଣେ ଭଲ ନେତା ଭାବେ କେବଳ ସାଲେପୁର ନୁହେଁ, ପୂରା କଟକରେ ବି ଜଣାଶୁଣା।
ପ୍ରକାଶ ବେହେରାଙ୍କୁ ବିଜେପି ସାଲେପୁରରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।
ପ୍ରକାଶ ଗତକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। ସେ ସେଥିରେ ଲେଖିଥିଲେ ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ।
ସେ ଆହୁରି ଲେଖିଥିଲେ,“ମୁଁ ୨୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ ଅବହେଳା କଲା। ସେଥିପାଇଁ ଦୁଃଖର ସହିତ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।”
ସୂଚନାଯୋଗ୍ୟ, ପ୍ରାୟ ବର୍ଷେ ହେଲାଣି ପ୍ରକାଶ ଆଉ କଂଗ୍ରେସର ଦଳୀୟ ଚିହ୍ନ ବ୍ୟବହାର କରୁ ନଥିଲେ। ୨୦୦୦, ୨୦୦୪ ଓ ୨୦୦୯ରେ ପ୍ରକାଶ କଂଗ୍ରେସ୍ ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। ତେବେ ତିନି ଥର ହାରିବା ପରେ ୨୦୧୪ରେ ସେ ବିଜୟୀ ହୋଇଥିଲେ।
from Odisha Reporter https://ift.tt/2ucaFgx
No comments:
Post a Comment