
ଯାଜପୁର(ଅଭୟ ପତି): ଓଡିଶା ବିଧାନ ସଭାର ୧୪୭ ଆସନ ଭିତରୁ ଯାଜପୁର ଜିଲ୍ଲା କୋରେଇ ୫୩ ନମ୍ୱର ଆସନଟି ଗୁରୁତ୍ୱପୂର୍ଣ୍ଣ। ଭୌଗୋଳିକ ହେଉ କିମ୍ୱା ରାଜନୈତିକ, ଉଭୟ ଦୃଷ୍ଟିକୋଣରୁ ଏହି ନିର୍ବାଚନମଣ୍ଡଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୯ବର୍ଷ ଧରି ଏହି ନିର୍ବାଚନମଣ୍ଡଳୀ ବିଜେଡି ହାତରେ ରହିଛି।
ଗତ ସାଧାରଣ ନିର୍ବାଚନରେ ୧ଲକ୍ଷ ୬୧ହଜାର ୯୮ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସ ନାୟକଙ୍କୁ ବିଧାୟକ କରିଥିଲେ। ତାଙ୍କ ପଛକୁ ଥିଲେ କଂଗ୍ରେସ ବିଧାୟକ ପ୍ରାର୍ଥ ବିଶ୍ୱଜିତ୍ ନାୟକ ଓ ସବାଶେଷରେ ଥିଲେ ବରିଷ୍ଠ ବିଜେପି ନେତା ସଞ୍ଚିତା ମହାନ୍ତି।

ନୂଆ କରି ବିଧାୟକ ହୋଇଥିଲେ ଆକାଶ
ଅଭିନେତାରୁ ନେତା ସାଜି ରାଜ୍ୟ ରାଜନୀତିରେ ନୁଆକରି ପାଦ ଥାପିଥିଲେ ଆକାଶ ଦାସ ନାୟକ। ଏକ ଘଡିସନ୍ଧି ମୁହୂର୍ତ୍ତରେ ୨୦୦୯ ନିର୍ବାଚନ ବେଳେ ବିଜେଡିର ଏଠାକାର ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କୁ ଏରିଆ ପାର କରିଥିଲା ରାଜ୍ୟ ନେତୃତ୍ୱ। ଆକାଶଙ୍କୁ ଦିଆଯାଇଥିଲା ଦାୟିତ୍ୱ। ୨୦୧୪ ନିର୍ବାଚନ ବେଳେ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଠୀ ଲେ ଆକାଶ। ହେଲେ ବିଧାୟକ ହେବା ପରେ ପ୍ରତିଶ୍ରୁତି ଦେଇ ରଖିପାରିଲେନି ବୋଲି କୁହନ୍ତି ଅଞ୍ଚଳବାସୀ। ଏଣୁ ଏଥର ବିଜେଡି ଅକାଶଙ୍କୁ ପ୍ରାର୍ଥୀ କଲେ ସେ ଭୋଟରଙ୍କ ରୋଷର ଶିକାର ହେଉଛନ୍ତି ନାଁ ବିଜେଡିକୁ ଆଉ ଥରେ ସୁଯୋଗ ଦେଉଛନ୍ତି ତାହା ଦେଖିବାକୁ ରହିଲା।
ସେତେବଳେ ଆକାଶଙ୍କ ପ୍ରତିଶ୍ରୁତିରେ ରହିଥିଲା ମୁକୁନ୍ଦପୁର ନିକଟ ବୈତରଣି ନଦୀ ଉପରେ ପୋଲ ସଂଯୋଗୀକରଣ। ଯାହାକି ଦୀର୍ଘ ବର୍ଷ ଧରି ହୋଇ ପାରି ନାହିଁ। ଫଳରେ ପ୍ରତିବର୍ଷ ବନ୍ୟା ସମୟରେ ବନ୍ୟାପାଣି ପଶି ସମଗ୍ର କୋରେଇର ୬୦ଭାଗ ଅଞ୍ଚଳ ଜଳମଗ୍ନ ହେଉଛି। ରାସ୍ତାଘାଟ, ଚାଷଜମି, ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହେଉଛି। ଲକ୍ଷାଧିକ ଲୋକଙ୍କ ଦାବି ସତ୍ତ୍ୱେ ଏହି ବ୍ରିଜ୍ ସଂଯୋଗୀକରଣ ଅଦ୍ୟାବଧି ହୋଇ ପାରିଲା ନାହିଁ।
ହେଲେ ଆକାଶଙ୍କ କହିବା କଥା ୨୦୧୪ରେ କୋରେଇ ମଙ୍ଗ ଧରିବାପରେ ସେ ଅନେକ କାର୍ଯ୍ୟ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ କ୍ଷେତ୍ରରେ କୋରେଇରେ ଅନେକ ସୁଧାର ଆଣିଛନ୍ତି। ବିଦ୍ୟୁତ ସମସ୍ୟା ଦୂର କରିବା ନିମନ୍ତେ ନୂତନ ଗ୍ରୀଡ୍ ଷ୍ଟେସନ ବସାଇବା ସହ ମୁକୁନ୍ଦପୁର ବ୍ରିଜ୍କୁ ଗୋଟିଏ ପାର୍ଶ୍ୱର ସଂଯୋଗୀକରଣ କିଛି ପରିମାଣରେ କରାଇଛନ୍ତି।
ବିଜେଡି: ଜଣେ ନିର୍ବିବାଦୀୟ ତଥା ଶାନ୍ତ ସରଳ ବ୍ୟକ୍ତିତ୍ୱ ଭାବେ ଆକାଶଙ୍କୁ ଲୋକେ ଏଠାରେ ଗ୍ରହଣ କରିଛନ୍ତି। ୨୦୧୪ରେ ଏଠାରେ ବିଜେଡି ମଙ୍ଗ ଧରିଥିବା ଏହି ନେତା ଏଥର ଟିକେଟ୍ ରେସ୍ରେ ଜିତୁଛନ୍ତି ନା ହାରୁଛନ୍ତି, ତାହା କିନ୍ତୁ କହିବା କାଠିକର ପାଠ। ଆକାଶ ନୂଆନୂଆ ବିଧାୟକ ହୋଇଥିଲେ ମଧ୍ୟ ପିତା ଶ୍ରମିକ ନେତା ମାୟାଧର ନାୟକଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏବେ ସେ ଜଣେ ସଫଳ ରାଜନେତା। ତାଙ୍କ ସାଙ୍ଗଠନିକ କ୍ଷମତା ମଧ୍ୟ ଉନ୍ନତ ବୋଲି କୁହାଯିବ। ହେଲେ ଗତ ପଞ୍ଚାୟତ ନିର୍ବାଚନ ବେଳେ ସେ ବିରୋଧୀଙ୍କ ଚକ୍ରବ୍ୟୁହରେ
ଫସିଥିଲେ। ଏଣୁ ଏଥର ବିଜେଡି କ୍ଷମତା ଦଖଲ ପାଇଁ ନୂଆ ପ୍ରାର୍ଥୀଙ୍କ ସହଯୋଗ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସରକାରୀ ଚାକିରିରେ ଥିବା ଜନୈକ ଅଫିସର ପିୟୁଷ ପାଣିଙ୍କୁ ବିଜେଡି ଏଠାରୁ ଟିକଟ ଦେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ପଟେ ଯାଜପୁର ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବାହୁବଳୀ ପ୍ରଣବ ପ୍ରକାଶ ଦାସ ଏଠାରୁ ନିର୍ବାଚନ ରଣାଙ୍ଗନରେ ଠିଆହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ନବୀନଙ୍କ ଉତ୍ତରାଧିକାରୀ ଭାବେ ତାଙ୍କର ପୁତୁରା ଅରୁଣ ପଟ୍ଟନାୟକ ଯାଜପୁରରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।
ବିଜେପି: ସେପଟେ କ୍ଷମତାକୁ ଫେରିବା ଲାଗି ପୁଣି ଲାଗି ପଡିଛି ବିଜେପି।୨୦୧୪ରେ ବିଜେପିରୁ ବିଧାୟିକା ପ୍ରାର୍ଥୀ ହୋଇଥିବ ସଞ୍ଚିତା ମହାନ୍ତି ନିଜର ସଂଗଠନିକ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ବର୍ଷେ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଯୁବନେତା ବିଶ୍ୱଜିତ ନାୟକ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାବାଦୀ। କିନ୍ତୁ ବରିଷ୍ଠତା ଦୃଷ୍ଟିରୁ ସଞ୍ଚିତା ଟିକେଟ ପାଇବା ଉପରେ ଦମ୍ୱୋକ୍ତି ପ୍ରକାଶ କରନ୍ତି। ବିଜେପିର ଘରେଘରେ ପଦ୍ମ ନାରା ଏଠାରେ ପ୍ରଭାବୀ ହେବ ବୋଲି ମଧ୍ୟ କୁହାଯାଉଛି।
କଂଗ୍ରେସ: ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲା କଂଗ୍ରେସ। ମାତ୍ର ସେତେବେଳେ କଂଗ୍ରେସର ପ୍ରାର୍ଥୀ ଥିବା ବିଶ୍ୱଜିତ ନାୟକ ଗତବର୍ଷ ବିଜେପିରେ ଯୋଗଦେବା ଫଳରେ କଂଗ୍ରେସର ମଙ୍ଗ ଧରିଛନ୍ତି ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମଟୀ ବନ୍ଦିତା ପରିଡା, ରାଜନୈତିକ ଦୃଷ୍ଟିକୋଣ ତଥା ସାଙ୍ଗଠନିକ ଦକ୍ଷତା ରଖିଥିବା ବନ୍ଦିତା କଂଗ୍ରେସ ଟିକେଟ ପାଇ କୋରେଇରୁ ଲଢ଼ିବା ଆଶା ରଖିଛନ୍ତି। କଂଗ୍ରେସ ପାଇଁ ସେଭଳି କେହି ବଳିଷ୍ଠ ଦାବିଦାର ନ ଥିବାରୁ ବନ୍ଦିତାଙ୍କ ପ୍ରାର୍ଥୀ କରାଯିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2Joaklz
No comments:
Post a Comment