ବିଜେପି ପାଇଁ ଚିନ୍ତା ବଢ଼ାଉଛନ୍ତି ଅସନ୍ତୁଷ୍ଟ କର୍ମୀ, ଶକ୍ତି ଯୋଗାଡୁଛି କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ବିଜେପି ପାଇଁ ଚିନ୍ତା ବଢ଼ାଉଛନ୍ତି ଅସନ୍ତୁଷ୍ଟ କର୍ମୀ, ଶକ୍ତି ଯୋଗାଡୁଛି କଂଗ୍ରେସ

ଖଡ଼ିଆଳ (ମାୟାଧର ସରାଫ): ରାଜ୍ୟ ରାଜନୀତିରେ ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ତଳୀର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ରାଜ୍ୟର ଏହି ଉପାନ୍ତ ଜିଲାର ସମୀକରଣ ସର୍ବଦା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଥାଏ। କଳାହାଣ୍ଡି ଲୋକସଭା ଅଧିନରେ ଥିବା ଏହି ବିଧାନସଭା ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ହେବ ନିର୍ବାଚନ। ପ୍ରାର୍ଥୀପତ୍ର ଦାଖଲ ସରିବା ପରେ ଏବେ ଏଠାରେ ରାଜନୈତିକ ପରିବେଶ ବେଶ ସରଗରମ ରହିଛି।


ରାଜନୈତିକ ସ୍ଥିତି
ଖଡିଆଳ ବିଧାନସଭା ଆସନରୁ କଂଗ୍ରେସ ୭ ଥର, ଜନତା ଦଳ ଓ ବିଜୁ ଜନତା ଦଳ ୪ ଥର, ସ୍ୱାଧୀନ ୨ ଥର ଓ ଭାରତୀୟ ଜନତା ପାର୍ଟି ୨ ଥର ବିଜୟୀ ହୋଇଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଜେପି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କୁ ୭ ହଜାର ୧୧୬ ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ ।
କିନ୍ତୁ ୨୦୧୯ ନିର୍ବାଚନରେ ରାଜନୈତିକ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ପୁଣି ଥରେ ବିଜୁ ଜନତା ଦଳକୁ ଫେରିଛନ୍ତି ।
ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତିଙ୍କୁ ବିଜେପି ଏଥର ପ୍ରାର୍ଥୀ କରିଛି । ଏହା ସହିତ କଂଗ୍ରେସରୁ ଅଧିରାଜ ପାଣିଗ୍ରାହୀ ଓ ବିଜୁ ଜନତା ଦଳରୁ ଗତ ଥରର ପ୍ରାର୍ଥୀ ଲମ୍ବୋଦର ନିଆଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ବି ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ଅଛି ।

ନିର୍ବାଚନ ମଣ୍ତଳୀର ସମସ୍ୟା:
ଖଡିଆଳ ନିର୍ବାଚନ ମଣ୍ତଳୀ ରାଜ୍ୟର ଏକ ଏମିତି ନିର୍ବାଚନ ମଣ୍ତଳୀ ଯେଉଁଠିକୁ ଆଜିଯାଏ ରେଳ ଯୋଗାଯୋଗ ସମ୍ଭବ ହୋଇପାରିନି। ଏଠାରେ ଖଣି ଓ କାରଖାନା ମଧ୍ୟ ନାହିଁ । ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ହେଉଛି ଲୋକଙ୍କ ମୁଖ୍ୟ ବେଉଷା । ଚାଷ କାମ ସରିଲେ ଏଠାକାର ଲୋକେ ଦାଦନ ଖଟିବାକୁ ଯିବା ପରମ୍ପରା ରହିଛି। ନିର୍ବାଚନ ମଣ୍ତଳୀର ଅଧାରୁ ଅଧିକ ଗାଁରେ ବିଶୁଦ୍ଧ ପାନୀଳ ଜଳ ପରିବର୍ତ୍ତେ ମିଳେ ଫ୍ଲୋରାଇଡ ଯୁକ୍ତ ଜଳ। ଜଳ ସେଚନର ବ୍ୟବସ୍ଥା ସ୍ୱପ୍ନରେ ରହି ଯାଇଛି । ଖଡିଆଳ ଓ ନୂଆପଡା ବିଧାନସଭାର ମଝାରେ ନିର୍ମାଣ କରାଯାଉଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଲ୍ପ ୧୯ ବର୍ଷ ପରେ ବି ଅସଂପୂର୍ଣ୍ଣ। ଉଚ୍ଚ ଶିକ୍ଷା କିମ୍ବା ବୈଷୟିକ ଶିକ୍ଷା ତାଲିମର କୌଣସି ବ୍ୟବସ୍ଥା ଏଠାରେ ନାହିଁ ।

୨୦୧୯ରେ କାହାର ସ୍ଥିତି କେମିତି ରହିବ

ବିଜେପି: ୨୦୧୯ର ନିର୍ବାଚନରେ ବିଜେପିର ପ୍ରାର୍ଥୀ ଚୟନ ଦଳୀୟ କନ୍ଦଳକୁ ବଢାଇ ଦେଇଛି। ଏଠାକାର ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କୁ ଚଳିତ ନିର୍ବାଚନରେ ଦଳ ଟିକେଟ ନ ଦେବାରୁ ସେ ବିଜେଡିକୁ ଘର ବାହୁଡା କରିଛନ୍ତି । ଅନ୍ୟପକ୍ଷେ ବିଜେଡିରୁ ବିଜେପିକୁ ଆସି ବିଧାୟକ ହୋଇଥିବା ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀଙ୍କୁ ଦଳ ପ୍ରାର୍ଥୀ କରିଛି । ହେଲେ ରୀତାରାଣୀଙ୍କ ପ୍ରାର୍ଥିତ୍ୱକୁ କର୍ମୀ ବିରୋଧ କରିଛନ୍ତି । ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇ ନ ପାରିଲେ ରୀତାଙ୍କ ପାଇଁ ନିର୍ବାଚନୀ ବେତରଣୀ ପାର ହେବା କଷ୍ଟକର ହୋଇ ପଡ଼ିବ। ତେବେ ଦଳ ଏଠାରେ ନିଜର ସଂଗଠନକୁ ସୁଦୃଢ଼ କରି ପାରିଛି ଏବଂ ଯାଦବ ଭୋଟ ବ୍ୟାଙ୍କ ହାତେଇବା ଉପରେ ନଜର ରଖିଛି।

କଂଗ୍ରେସ:  ଗତ ୨୦୧୪ ନିର୍ବାଚନରେ ଖଡିଆଳ ବିଧାନସଭାରେ କଂଗ୍ରେସର ସ୍ଥିତି ଖରାପ ନ ଥିଲେ ମଧ୍ୟ ମାତ୍ର ୭ ହଜାର ୧୧୬ ଭୋଟରେ ହାରି ଯାଇଥିଲେ ଅଧିରାଜ ପାଣିଗ୍ରାହୀ। ଇତି ମଧ୍ୟରେ ସେ ତାଙ୍କ ସ୍ଥିତି ଆହୁରି ଶକ୍ତ କରିପାରିଛନ୍ତି। ଦଳକୁ ସଂଗଠିତ କରି ପାରିଛନ୍ତି । ଜଙ୍ଗଲ ଜମି ହିତାଧିକାରୀ ଓ ଯୁବ ଗୋଷ୍ଠୀଙ୍କ ପସନ୍ଦ ପାଲଟିଛନ୍ତି ଅଧିରାଜ । ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏଠାରେ ଭଲ ଫଳ କରିଥିଲା।

ବିଜେଡି: ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଲମ୍ବୋଦର ନିଆଲଙ୍କୁ ଦଳ ପୁଣି ଚଳିତ ନିର୍ବାଚନରେ ପ୍ରାର୍ଥୀ କରାଇଛି। ଯାଦବ ଭୋଟ ଓ ଆଦିବାସୀ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ଦଳରେ ଯୋଗଦାନ ବିଜେଡି ପାଇଁ ରାସ୍ତା ସୁଗମ ହୋଇଛି।



from Odisha Reporter https://ift.tt/2FEW2J8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages