
ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା ଉଭୟ ଦିନିକିଆ ଓ ଟି-୨୦ରେ ଶ୍ରୀଲଙ୍କାକୁ ହରାଇ ଟେଷ୍ଟ ସିରିଜ ପରାଜୟର ମଧୁର ପ୍ରତିଶୋଧ ନେଇଛି। ରବିବାର ରାତିରେ ଖେଳାଯାଇଥିବା ଟି-୨୦ ସିରିଜର ଚୂଡ଼ାନ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଡିଏଲ ନିୟମରେ ଶ୍ରୀଲଙ୍କାକୁ ୪୫ ରନରେ ପରାସ୍ତ କରିଛି। ଏଥିସହ ଘରୋଇ ଟିମ ତିନିମ୍ୟାଚ ବିଶିଷ୍ଟ ଏହି ସିରିଜକୁ କ୍ଲିନସୁଇପ କରିନେଇଛି।
ଏହି ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨ ୱିକେଟ ହରାଇ ୧୯୮ ରନ କରିଥିଲା। ଦଳ ପକ୍ଷରୁ ଆଇଡେନ ମର୍କରାମ ୧୫ ଓ ରୀଜା ହେଣ୍ଡ୍ରିକ୍ସ ୬୬ (୫୨ ବଲ) ରନ୍ କରି ଆଉଟ ହୋଇଥିଲେ। ତେବେ ଡ୍ୱେନ ପ୍ରିଟୋରିୟସ ୭୭ (୪୨ ବଲ, ୭ ଚୌକା, ୩ ଛକା) ଓ ଜେପି ଡୁମିନି ୧୪ ବଲରେ ୨ ଚୌକା ଓ ୩ ଛକା ସହ ୩୪ ରନ କରି ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ସୁରଙ୍ଗା ଲାକମଲ ଓ ଜେଫରୀ ଭାଣ୍ଡରସେ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ଏହି ବଡ଼ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୧.୧ ଓଭରରେ ୬ ୱିକେଟ ହରାଇ ୧୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡ଼ିବା ପରେ ଶ୍ରୀଲଙ୍କା ଆଗରେ ଡିଏଲ ନିୟମ ଅନୁଯାୟୀ ୧୭ ଓଭରରେ ୧୮୩ ରନର ଟାର୍ଗେଟ ରଖାଯାଇଥିଲା। କିନ୍ତୁ ଭମ୍ରଣକାରୀ ଟିମ୍ ୧୫.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା।
ଦଳ ପକ୍ଷରୁ ନିରୋଶାନ ଡିକୱେଲା ୩୮, ଇଶୁରୁ ଉଦାମା ୩୬ ଓ ଆଞ୍ଜେଲୋ ପରେରା ୧୫ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଡିଲେ ଫେଲୁକୱାୟୋ ୪ଟି, ଜୁନିୟର ଡାଲା ଓ ଲୁଥୋ ସିପାମ୍ଲା ୨ଟି ଲେଖାଏ ୱିକେଟ ହାସଲ କରିଥିଲେ। ପ୍ରିଟୋରିୟସ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ହେଣ୍ଡ୍ରିକ୍ସ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ।
from Odisha Reporter https://ift.tt/2UaERY7
No comments:
Post a Comment