
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି)ରେ ଫାଟ ଦେଖିବାକୁ ମିଳିଛି। ଟିକେଟ ବଣ୍ଟାକୁ ନେଇ ନବୀନ ନିବାସରେ କସରତ ଚାଲିଥିବା ବେଳେ ମାଲକାନଗିରିରେ ବିଜେଡିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଧାୟକ ମାନସ ମାଡକାମୀ ସମର୍ଥକ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ପୂରା ଘଟଣାଟି ଏମିତି
ଗତକାଲି କୁମୁଟିଗୁଡ଼ାରେ ବିଜେଡିର ଏକ ଅଫିସ୍ ଘର ଉଦଘାଟନ କରିବା ପାଇଁ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମାଲକାନଗିରି ଯାଇଥିଲେ। ମୁକୁନ୍ଦ ସୋଡିଙ୍କ ସମର୍ଥକଙ୍କ ସହ ମନ୍ତ୍ରୀ ଏହି ଗୃହ ଉଦଘାଟନ କରିବା ସମୟରେ ବିଧାୟକ ମାନସ ମାଡକାମୀଙ୍କ ସମର୍ଥକ ଶୋଭାଯାତ୍ରାରେ ଆସି ସେଠାରେ ପହଞ୍ଚିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ କିଛି ସମୟ ଆଲୋଚନା ହେବା ପରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ମନ୍ତ୍ରୀ ସେଠାରୁ ପଳାଇ ଯାଉଥିବା ବେଳେ ଦୁଇ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା।
କାହିଁକି କନ୍ଦଳ?
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଉଥିବା ବେଳେ ମୁକୁନ୍ଦ ସୋଡିଙ୍କୁ ଟିକେଟ୍ ମିଳିବା ନେଇ ଗ୍ରୀନ୍ ସିଗ୍ନାଲ୍ ମିଳିଥିବା ଚର୍ଚ୍ଚା ହେଉଛି। ସେ କିଛି ଦିନ ତଳେ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି। ଅନ୍ୟପକ୍ଷରେ ବିଧାୟକ ମାନସ ମାଡକାମୀ ନିଜ ସମର୍ଥକଙ୍କ ସହ ଟିକେଟ୍ ପାଇଁ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଏଥିପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି।
ଦଳରେ ଫାଟ ନାହିଁ
ମୁକୁନ୍ଦ ସୋଡି କହିଛନ୍ତି,“ଦଳରେ କୌଣସି ଫାଟ ନାହିଁ। ଆମେ ମିଳିମିଶି କାମ କରିବୁ।”
ସୂଚନାଯୋଗ୍ୟ, ମୁକୁନ୍ଦ ସୋଡ଼ି କିଛି ଦିନ ହେବ ବିଜେପି ଛାଡ଼ି ବିଜେଡ଼ିରେ ମିଶିବା ପରେ ମାଲକାନଗିରି ଜିଲ୍ଲାରେ ବିଜେଡିରେ ଦୁଇ ଗୋଷ୍ଠୀ ସୃଷ୍ଟି ହୋଇଥିଲା।
from Odisha Reporter https://ift.tt/2HCIzmO
No comments:
Post a Comment