ନବୀନଙ୍କ ଉପରେ ବର୍ଷିଲେ ରାହୁଲ, ଦେଲେ ପ୍ରତିଶ୍ରୁତିର ଲମ୍ବା ତାଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ନବୀନଙ୍କ ଉପରେ ବର୍ଷିଲେ ରାହୁଲ, ଦେଲେ ପ୍ରତିଶ୍ରୁତିର ଲମ୍ବା ତାଲିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ କ୍ଷମତାକୁ ଆସିଲେ ମନର କଥା କହିବ ନାହିଁ ବରଂ ଲୋକଙ୍କ ମନକଥା ଶୁଣି ସରକାର ଚଳାଇବ। ଓଡ଼ିଶାରେ ୪-୫ଜଣ ଅଫିସରଙ୍କ ରାଜ୍‌ ନୁହେଁ, ଜନତାଙ୍କ ସରକାର ସ୍ଥାପନ କରାଇବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ଏହାସହିତ ମହିଳା ଓ ଚାଷୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ ପ୍ରତିଶ୍ରୁତିର ଏକ ଲମ୍ବାଚଉଡ଼ା ଘୋଷଣା କରିଛନ୍ତି।
ଆଜି ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁରରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶକୁ ସମ୍ବୋଧିତ କରିଥିଲେ ରାହୁଲ। ଜୟପୁରର ଏକମ୍ବାରେ ଦଳର ପରିବର୍ତ୍ତନ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ଧୁମାନେ କୋଟିପତି ପାଲଟୁଛନ୍ତି। ବଡ଼ବଡ଼ ବ୍ୟବସାୟ କରୁଛନ୍ତି ଓ ପ୍ଲେନରେ ବୁଲୁଛନ୍ତି। ଗରିବ, ଖଟିଖିଆ, ଆଦିବାସୀ, ଦୁର୍ବଳ ବର୍ଗ ଓ ମା’-ଭଉଣୀଙ୍କ ସରକାର ଚାଲିନି କିମ୍ବା ସେମାନଙ୍କ କଥା ଶୁଣାଯାଉନି। ମାତ୍ର କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ଜନତାଙ୍କ ସରକାର ପ୍ରତିଷ୍ଠା କରାଇବ ବୋଲି ଶ୍ରୀ ଗାନ୍ଧି କହିଛନ୍ତି।

ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ। ଓଡ଼ିଶାରେ ଆପଣଙ୍କ ପାଖରେ ସବୁ ସମ୍ପଦ ଭରି ରହିଛି। କିନ୍ତୁ ସବୁକିଛି ଛଡ଼ାଇ ନିଆଯାଉଛି। ଓଡ଼ିଶାର ଚାଷୀ ଋଣ ଛାଡ଼ କଥା କହିଲେ ମୋଦି ଓ ନବୀନ ମନା କରୁଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ ଓଡ଼ିଶାରେ ଋଣ ଛାଡ଼ ହେବ। ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ୨୫୦୦ ଟଙ୍କାରେ ମିଳୁଛି। କିନ୍ତୁ ଏଠି ମାତ୍ର ୧୬୦୦ଟଙ୍କା। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ୨୬ ଶହ ଟଙ୍କାରୁ କମ୍‌ ଏମ୍‌ଏସ୍‌ପି ଦିଆଯିବ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ସେହିପରି ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ସର୍ବଦା ଲଢ଼େଇ କରି ଆସିଛି। କିନ୍ତୁ ଆଦିବାସୀ ଓ ଚାଷୀଙ୍କ ଜମିକୁ ଶିଳ୍ପ ପାଇଁ ମୋଦିଙ୍କ ସହ ମିଶି ନବୀନବାବୁ ଛଡ଼ାଇ ନେଉଛନ୍ତି। କଂଗ୍ରେସ ଛତିଶଗଡ଼ରେ ନିୟମ କରିଛୁ ଶିଳ୍ପ ନହେଲେ ଜମି ଫେରସ୍ତ କରିବାକୁ ହେବ। ଆଦିବାସୀ ଓ ଚାଷୀଙ୍କ ବିନା ଅନୁମତିରେ, ପଂଚାୟତର ବିନା ଅନୁମୋଦନରେ ସରକାର ଜମି ଅଧିଗ୍ରହଣ କରିପାରିବେ ନାହିଁ। ଆଉ ଆଦିବାସୀଙ୍କୁ ନିଜ ଜମି ପାଇଁ ବଜାର ଦର ତୁଳନାରେ ୪ ଗୁଣ ଅଧିକ ଦର ମିଳିବ। ଚାଷୀଙ୍କୁ ଏବେ କେନ୍ଦ୍ରର ମୋଦି ସରକାର ଦିନକୁ ସାଢ଼େ ୩ ଟଙ୍କା ଦେଉଛନ୍ତି। ଚାଷୀଙ୍କ ପ୍ରତି ଉପହାସ କରାଯାଉଛି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ଉପାର୍ଜନ ଦେବ। ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ଏହି ଅର୍ଥ ଯିବ, ଯେପର୍ଯ୍ୟନ୍ତ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ନହୋଇଛି। କଂଗ୍ରେସ ପୂର୍ବରୁ ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା, ଚାଷୀ ଋଣ ଛାଡ଼, କମ୍ପ୍ୟୁଟର କ୍ରାନ୍ତି ଭଳି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରିଥିଲା। ତେଣୁ କଂଗ୍ରେସ ସର୍ବଦା ଗରିବ,ଦଳିତ, ଦୁର୍ବଳ ବର୍ଗ ଓ ମା-ଭଉଣୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି।

ଏହି ଅବସରରେ ସେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ଆକର୍ଷଣୀୟ ଘୋଷଣା କରିଛନ୍ତି। ଶ୍ରୀ ଗାନ୍ଧି କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ସମସ୍ତ ପ୍ରକାର ମାଗଣା ଶିକ୍ଷା ଉପଲବ୍ଧ ହେବ। ବିଧବାଙ୍କ ପେନସନକୁ ମାସିକ ୨ହଜାର ଟଙ୍କାକୁ ବୃଦ୍ଧି, ପ୍ରତି ପଂଚାୟତରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଫିସର ନିଯୁକ୍ତି, ଝିଅମାନଙ୍କୁ ବିବାହ ନିମନ୍ତେ ଆର୍ଥିକ ସହାୟତା, ଛୋଟ ବ୍ୟବସାୟରେ ସମ୍ପୃକ୍ତ ମହିଳାଙ୍କ ସ୍ୱାର୍ଥରକ୍ଷା ପାଇଁ ଅର୍ଥ ନିଗମ ସ୍ଥାପନ କରାଯିବ ବୋଲ ଶ୍ରୀ ଗାନ୍ଧି କହିଛନ୍ତି।

ଏହାବ୍ୟତୀତ ରାହୁଲ ତାଙ୍କ ଭାଷଣରେ ସୁନାବେଡ଼ା ‘ହାଲ୍’ର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ୟୁପିଏ ସରକାର କ୍ଷମତାରେ ଥିବାବେଳେ ‘ହାଲ’ରେ ୧୨୬ଟି ଯୁଦ୍ଧ ବିମାନ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରତ୍ୟେକ ବିମାନ ୫୨୬କୋଟି ଟଙ୍କାରେ ନିର୍ମାଣ ହୋଇଥାନ୍ତା। କିନ୍ତୁ ମୋଦି ସରକାର ଆସିବା ପରେ ବାୟୁସେନାଠୁ ୩୦ ହଜାର କୋଟି ଟଙ୍କା ନେଇ ନିଜର ବନ୍ଧୁ ଅମ୍ବାନୀଙ୍କୁ ଦେଇଛନ୍ତି। ଯିଏକି ୪୫ ହଜାର କୋଟି ଟଙ୍କା ଋଣରେ ବୁଡ଼ି ରହିଛି। ‘ହାଲ’ରେ ଏହି ଯୁଦ୍ଧବିମାନ ନିର୍ମାଣ ହୋଇଥିଲେ ଓଡ଼ିଶାର ଲୋକମାନେ ନିଯୁକ୍ତି ପାଇପାରିଥାନ୍ତେ। କିନ୍ତୁ ମୋଦି ତାହା କରାଇ ଦେଲେନି। ମୋଦି ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ ଆଇନରେ ସଂଶୋଧନ ପାଇଁ ହୋଇଥିବା ବାରମ୍ବାର ଉଦ୍ୟମ ସମ୍ପର୍କରେ ମଧ୍ୟ ରାହୁଲ ସୂଚନା ଦେଇଥିଲେ।

ଏହାପୂର୍ବରୁ ରାହୁଲ ଜୟପୁରର ଗାନ୍ଧିଛକସ୍ଥିତ ଶିବସାଇ ଫଙ୍କସନ ହଲରେ ଦଳର ପ୍ରାୟ ୫୦୦ ଜଣ ମହିଳା ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆନ୍ତର୍ଜାତିକ ମହିଳା ଦିବସରେ ଆୟୋଜିତ ଏହି ମହିଳା ସମାବେଶରେ ରାହୁଲ ମହିଳାମାନଙ୍କ ସହ ଭାବବିନିମୟ କରିବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଆଜିର ଏହି ଦୁଇଟି ଯାକ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ଟିଏସ୍ ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ ଓ ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ରହିଥିଲେ।



from Odisha Reporter https://ift.tt/2J1IqeI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages