ନୂଆଦିଲ୍ଲୀ: ୧୯୩୦ ମସିହା ମାର୍ଚ୍ଚ ୧୨ରେ ଜାତିର ପିତା ମହାତ୍ମାଗାନ୍ଧି ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି । ଆଜିର କଂଗ୍ରେସ ଗାନ୍ଧିଙ୍କ ନୀତି ବିରୋଧୀ ବୋଲି କହିଛି।
ମହାତ୍ମାଗାନ୍ଧୀ ଜାତିପ୍ରଥା ଓ ଅନ୍ୟାୟକୁ ବିରୋଧ କରୁଥିଲେ। କିନ୍ତୁ ଏବେର କଂଗ୍ରେସ ନିଜର ରାଜନୀତିକ ଉଦ୍ଦେଶ୍ୟ ସାଧନ ଏବଂ ବିଭାଜନ କରିବା ପାଇଁ ଏହାକୁ ଭରପୁର ପ୍ରୟୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେଥିପାଇଁ ସ୍ୱାଧୀନତା ପରେ ଗାନ୍ଧିଜୀ କଂଗ୍ରେସ ଦଳକୁ ଭାଙ୍ଗିଦେବାକୁ ଚିନ୍ତା କରୁଥିଲେ ବୋଲି ସେ କହିଛନ୍ତି। ଏହି ଅବସରରେ ଗାନ୍ଧୀଙ୍କ ନୀତିକୁ ବିଜେପି ଆପଣାଇଛି, ଅନ୍ୟାୟ,ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରୁଛି ବୋଲି ସେ କହିଛନ୍ତି। କଂଗ୍ରେସ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ବେଳେ ବିଜେପି କିଭଳି ଦୁର୍ନୀତିରେ ତାଲା ପକାଏ, ତା’ର ପ୍ରମାଣ ଗତ ୫ ବର୍ଷରେ ସାରା ଭାରତ ଦେଖିଛି ବୋଲି ସେ କହିଛନ୍ତି।
ସେପଟେ ଅହମଦାବାଦରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଘୃଣା, ବିଭାଜନ ସୃଷ୍ଟି କରୁଥିବା ବିଜେପି-ଆରଏସଏସକୁ ହରାଇବା ଦେଶ ପାଇଁ ସବୁଠୁ ବଡ଼ ବଳିଦାନ ହେବ। ଏଥିସହ ଆତଙ୍କବାଦୀଙ୍କ ଉପରେ ସେନାର ଆକ୍ରମଣକୁ ନେଇ ରାହୁଲ କହିଛନ୍ତି, ନିର୍ବାଚନ ବେଳେ ରାଜନୀତିକ ଫାଇଦା ପାଇଁ ଏପରି କରାଯାଇଛି। ଏଥିସହ ସେ ଦେଶରେ ବଢୁଥିବା ବେରୋଜଗାର ସମସ୍ୟା, ନ୍ୟାୟ ପାଇବାରୁ ଦେଶ କିଭଳି ବଞ୍ଚିତ ହୋଇଛି ସେ ସମ୍ପର୍କରେ କହିଥିଲେ।
ଏହି ଅବସରରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଯୋଗ ଦେଇ ପ୍ରଥମଥର ପାଇଁ ଦଳୀୟ ନେତାଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ନିର୍ବାଚନ ବେଳେ ମୁଖ୍ୟ ପ୍ରସଙ୍ଗ ଉଠାଇବା ଉଚିତ। ଏଥିସହ ନିଜ ନେତାଙ୍କୁ ୫ବର୍ଷରେ କଣ କରିଛ, ତା’ର ରିପୋର୍ଟ ମାଗିବା ଉଚିତ ବୋଲି କହିଛନ୍ତି। ଦେଶର ସ୍ବାଧୀନତା ପାଇଁ କଂଗ୍ରେସକୁ ଯେତିକି କଷ୍ଟ କରିବାକୁ ପଡ଼ିଥିଲା ସେତିକି କଷ୍ଟ ଏବେ ମୋଦି ସରକାରକୁ ହଟାଇବା ପାଇଁ କରିବାକୁ ପଡ଼ିବ ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି।
ଅହମଦାବାଦରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା, ଅହମଦ ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି।
from Odisha Reporter https://ift.tt/2TvFMmw
No comments:
Post a Comment