
ନୀଳଗିରି(ରଶ୍ମୀରଞ୍ଜନ ଦାସ): ଦେଶର ରାଜନୈତିକ ଇତିହାସରେ ନୀଳଗିରିର ସ୍ଥାନ ସ୍ୱତନ୍ତ୍ର। ୫୬୪ଟି ଗଡ଼ଜାତ ରାଜ୍ୟ ମଧ୍ୟରୁ ପ୍ରଥମ କରି ନୀଳଗିରି ୧୯୪୭ ମସିହାରେ ନଭେମ୍ବର ୧୪ ତାରିଖରେ ସ୍ୱାଧୀନ ଭାରତରେ ମିଶିଥିଲା। ଦେଶର ପ୍ରଥମ ଗଡ଼ଜାତ ରାଜ୍ୟର ମିଶ୍ରଣ ଅନ୍ୟ ଗଡ଼ଜାତ ରାଜ୍ୟ ମିଶ୍ରଣ ପାଇଁ ବାଟ ଦେଖାଇଥିଲା। ୧୯୫୧ ପ୍ରଥମ ବିଧାନ ସଭା ନିର୍ବାଚନରେ ଏହି ଆସନରୁ ନୀଳଗିରିରେ ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଉଥିବା କୈଳାଶ ଚନ୍ଦ୍ର ମହାନ୍ତି ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
କଣ ରହିବ ନିର୍ବାଚନୀ ଇସ୍ୟୁ
ଯାଜପୁର ଲୋକସଭା ଅଧୀନରେ ଥିବା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଅଧିକାଂଶ ଲୋକ ଜଙ୍ଗଲରୁ ପତ୍ର ତୋଳି ପରିବାର ଚଳାଉଥିବା ବେଳେ ଆଉ କିଛି ନିର୍ଜୀବ ପଥରକୁ ଜୀବଦାନ କରି ଅର୍ଥ ଉପାର୍ଜ୍ଜନ କରିଥାନ୍ତି। ନୀଳଗିରି ବଉଲଗଡିଆର ପଥର ଶିଳ୍ପ ସମଗ୍ର ଦେଶରେ ପ୍ରସିଦ୍ଧ। ହେଲେ ଅଞ୍ଚଳର ହଜାର ହଜାର ପଥର କାରିଗରଙ୍କ ପାଇଁ ସେଭଳି କୌଣସି ପଦକ୍ଷେପ ଜନପ୍ରତିନିଧିମାନେ ନେଇ ନାହାଁନ୍ତି ବୋଲି କହନ୍ତି ଭୋଟର। ଅନ୍ୟପକ୍ଷେ ବଉଳଗଡ଼ିଆରେ କୁଟୀର ଶିଳ୍ପ, ସ୍କିଲ ଇଣ୍ଡିଆରେ କୁଶଳୀ କାରିଗରଙ୍କ ପାଇଁ ଅନେକ ଯୋଜନା କରିଥିବା ବର୍ତ୍ତମାନର ବିଧାୟକ କହିଛନ୍ତି ।

ଗୋଟିଏ ହେଲେ ଶିଳ୍ପ ବା କଳା କାରଖାନା ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ହୋଇପାରିନି। ପଥର ମାଫିଆଙ୍କ ଦୌରାତ୍ମ୍ୟର ଶିକାର ହୋଇଛନ୍ତି ପଥର ଶିଳ୍ପୀ। କଟକଣା ସତ୍ତ୍ୱେ ପ୍ରତିଦିନ ବ୍ଲାଷ୍ଟିଂ କରାଯାଇ ପଥର ଚୋରା ଚାଲାଣ ହେଉଛି। ଏଠାରେ ଥିବା ପଞ୍ଚଲିଙ୍ଗେଶ୍ୱର, କୁଲଢିଆ ଅଭୟାରଣ୍ୟ, ଜଗନ୍ନାଥ ମନ୍ଦିର ଓ ନୀଳଗିରି ପ୍ୟାଲେସ ଭଳି ବହୁ ପର୍ଯ୍ୟଟନସ୍ଥଳୀ ଆଜି ବି ଅବହେଳିତ। ଏସବୁ ବ୍ୟତୀତ ହାତୀ ଆତଙ୍କ ଏହି ଅଞ୍ଚଳବାସୀଙ୍କ ମୁଖ୍ୟ ସମସ୍ୟା । ଏସବୁ ସମସ୍ୟାର ସମାଧାନ ଏଥର ନିର୍ବାଚନର ମୁଖ୍ୟ ଇସ୍ୟୁ ରହିବ।
ବିଜେଡି: ଚଳିତ ବିଧାନସଭା ନିର୍ବାଚନରେ ଏହି ଆସନରୁ ଲଢିବା ପାଇଁ ଆଶୟୀଙ୍କ ତାଲିକା ବେଶ ଲମ୍ବିଲାଣି। ୨୦୧୪ ନିର୍ବାଚନରେ ବିଜେଡି ଟିକଟରେ ଲଢି ସୁକାନ୍ତ ନାୟକ ୫୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ହେଲେ ଏବେ ସେ ବିଜେଡି ଛାଡ଼ି ବିଜେପିରେ । ଅନ୍ୟପକ୍ଷେ ୩୬ ହଜାରରରୁ ଅଧିକ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିର ସୁଷମା ବିଶ୍ୱାଳ ଏବେ ବିଜେଡିରେ। ତେଣୁ ସେ ବିଜେଡିରୁ ଟିକେଟ ପାଇବା ଏକପ୍ରକାର ସ୍ଥିର। ଅନ୍ୟପକ୍ଷେ ବିଜେପିରୁ ବହିଷ୍କୃତ ହୋଇଥିବା ସନ୍ତୋଷ ଖଟୁଆଙ୍କର ପ୍ରଭାବ ମଧ୍ୟ ଏଠାରେ ଭଲ ଅଛି। ସେ ବିଜେଡିରେ ମିଶି ପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଯଦି ସେ ବିଜେଡିରେ ମିଶିବେ ତେବେ ଦଳ କାହାକୁ ଟିକଟ ଦେବ ସେ ନେଇ ପ୍ରଶ୍ନ ଉଠୁଛି। ଏମାନଙ୍କ ବ୍ୟତୀତ ଆଉ କେତେକଙ୍କ ନାମ ମଧ୍ୟ ବିଜେଡି ଆଶାୟୀ ତାଲିକାରେ ଶୁଣିବାକୁ ମିଳୁଛି।
ବିଜେପି: ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ନୀଳଗିରି ବିଧାନସଭା ଆସନରେ ୪ଟି ଜିଲ୍ଲା ପରିଷଦ ଜୋନ ଦଖଲକୁ ନେଇଥିଲା। ଅଧିକାଂଶ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଆସନ ବିଜେପି ଦଖଲ କରି ନିଜ ସ୍ଥିତି ଜାହିର କରିଥିଲା। ତେଣୁ ଏଥର ବିଧାନ ସଭା ଆସନ ହାତେଇବା ଲକ୍ଷ୍ୟ ରଖିଛି ବିଜେପି।

ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ୨୦୧୪ ସାଧାରଣ ନିର୍ବାଚନରେ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ହାରି ଥିଲେ। ତେବେ ପ୍ରତାପ ନୀଳଗିରି ଅଞ୍ଚଳର ବାସିନ୍ଦା ହୋଇଥିବାରୁ ସେ ଏଥର ନୀଳଗିରି ବିଧାନସଭା ଆସନରୁ ଲଢିବା ପାଇଁ ଆଶା ରଖିଛନ୍ତି। ଅବଶ୍ୟ ସେ ଏ ନେଇ କେବେ ମୁହଁ ଖୋଲି ନାହାନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାକୁ ସୁଚାର ରୂପେ ପାଳନ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷେ ଗତ ନିର୍ବାଚନରେ ବିଜେଡି ଟିକଟରୁ ଜିତି ବିଧାୟକ ହୋଇଥିବା ସୁକାନ୍ତ ନାୟକ ଏବେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି। ସେ ଦଳରେ ମିଶିଲେ ତେଣୁ ଦଳ ତାଙ୍କୁ ମଧ୍ୟ ଟିକଟ ଦେଇପାରେ ବୋଲି ଅଲୋଚନା ହେଉଛି।
କଂଗ୍ରେସ: ନୀଳଗିରିରେ କଂଗ୍ରେସର ଆଶାୟୀଙ୍କ ତାଲିକା ବି କିଛି ଛୋଟ ନୁହେଁ । କଂଗ୍ରେସର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ପୁଣିଥରେ ଟିକେଟ୍ ଦୌଡରେ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ପୂର୍ବତନ ସ୍ୱାଧୀନ ବିଧାୟକ ଚିତ୍ତ ଷଡଙ୍ଗୀ। ଅକ୍ଷୟ କଂଗ୍ରେସର ଜଣେ ପୁରୁଣା ମୁହଁ । ଗତ ୨୦୧୪ ନିର୍ବାଚନରେ ଜିଲ୍ଲାର ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ଓ ସୋରର ତିନି ତିନିଥର ବିଧାୟକ ହୋଇଥିବା କାର୍ତ୍ତିକ ମହାପାତ୍ର ନୀଳଗିରିରୁ ଲଢୁଥିଲେ। ତେଣୁ ଅକ୍ଷୟ ଟିକେଟରୁ ବଞ୍ଚିତ ହୋଇଥିଲେ। ହେଲେ କାର୍ତ୍ତକଙ୍କ ପରଲୋକ ପରେ ତାଙ୍କର ରାସ୍ତା ଏବେ ସଫା।
ଅନ୍ୟାନ୍ୟ: ସିପିଆଇ(ଏମ୍)ରୁ ଯୋଗାନନ୍ଦ ପଣ୍ଡା ଲଢିବା ଏକ ପ୍ରକାର ନିଶ୍ଚିତ। ତାଙ୍କର କିଛି ପକେଟ୍ ଭୋଟ ରହିଛ।
ନୀଳଗିରି ବିଧାନ ସଭା ମଣ୍ଡଳୀ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଠାରେ ଆଶୟୀଙ୍କ ସଂଖ୍ୟା ଅଧିକ। କିନ୍ତୁ ଦଳର ନିଷ୍ପତି ପରେ ଯେଉଁମାନେ ଟିକେଟରୁ ବଞ୍ଚିତ ହେବେ ସେମାନେ ସ୍ୱାଧୀନ ଭାବେ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି ଯାହା ଉଭୟ ବିଜେଡି ଓ ବିଜେପି ପାଇଁ କିଛିଟା ସମସ୍ୟା ସୃଷ୍ଟି କରିପାରେ।
from Odisha Reporter https://ift.tt/2Y9iZvp
No comments:
Post a Comment