
ନୂଆଦିଲ୍ଲୀ: ଜାତୀୟ ରେକର୍ଡଧାରୀ ଇରଫାନ୍ କେଟି ପ୍ରଥମ ଭାରତୀୟ ଆଥଲେଟ୍ସ ଭାବେ ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ନୋମିରେ ଚାଲିଥିବା ଏସିଆନ୍ ରେସ ୱାକିଂ ଚାମ୍ପିଅନଶିପରେ ଇରଫାନ୍ ୨୦କିମି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି।
ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଧାର୍ଯ୍ୟ ସମୟ ୧ ଘଣ୍ଟା ୨୧ ମିନିଟ୍ ରଖାଯାଇଥିବା ବେଳେ ୨୯ ବର୍ଷୀୟ ଏହି ଭାରତୀୟ ଆଥଲେଟ୍ସ ଜଣକ ୨୦ କିମି ଦୂରତାକୁ ୧ ଘଣ୍ଟା ୨୦ ମିନିଟ୍ ୫୭ ସେକେଣ୍ଡରେ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ଜାପାନର ତୋଶିଜାକୁ ୟୁମାନିଶି ୧:୧୭.୧୫ ସେକେଣ୍ଡ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କଜାଖସ୍ତାନର ଜର୍ଜି ଶେଇଖୋ ୧:୨୦:୨୧ ସେକେଣ୍ଡରେ ଦ୍ୱିତୀୟ ଏବଂ କୋରିଆର ବାଇଅଙ୍ଗକ୍ୱାଙ୍ଗ ଚୋଇ ୧:୨୦:୪୦ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଅଲିମ୍ପିକ୍ସ ରେସ୍ ୱାକ୍ ପାଇଁ କ୍ୱାଲିଫିକେସନ୍ ଚଳିତ ବର୍ଷ ଜାନୁଆରୀଠାରୁ ଆରମ୍ଭ ହୋଇଛି ଏବଂ ଏହା ୩୧ ମେ’, ୨୦୨୦ ପର୍ଯ୍ୟନ୍ତ ଚାଲିବ। ଅଲିମ୍ପିକ୍ସ କ୍ୱାଲିଫିକେସନ୍ ପିରିୟଡ ପାଇଁ ଆଥଲେଟିକ୍ସ ଇଭେଣ୍ଟଗୁଡିକ ଚଳିତ ବର୍ଷ ୧, ମେ’ରୁ ଆରମ୍ଭ ହୋଇ ଜୁନ୍ ୨୯, ୨୦୨୦ରେ ଶେଷ ହେବ। ତେବେ ଅନ୍ୟ କୌଣସି ଭାରତୀୟ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଇରଫାନ୍ ୧:୨୦.୨୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଦଶମ ସ୍ଥାନରେ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଓ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।
କେରଳର ଏହି ରେସ୍ ୱାକର ଗତମାସରେ ଚେନ୍ନାଇରେ ଆୟୋଜିତ ନ୍ୟାଶନାଲ୍ ଓପନ୍ ରେସ୍ ୱାକ୍ ଚାମ୍ପିଅନଶିପର ୨୦ କିମି ଇଭେଣ୍ଟକୁ ୧:୨୬:୧୮ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତର ଆଉ ଦୁଇଜଣ ଆଥଲେଟ୍ ଯଥା ଦେବୀନ୍ଦର ସିଂହ ଓ ଗଣପତି କ୍ରିଷ୍ଣନ୍ ଯଥାକ୍ରମେ ୧:୨୧.୨୨ ସେକେଣ୍ଡ ଏବଂ ୧:୨୨.୧୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ୱାର୍ଲ୍ଡ ଚାମ୍ପିଅନଶିପକୁ କ୍ୱାଲିଫାଏ କରିସାରିଛନ୍ତି। ଦୁହେଁ ଚେନ୍ନାଇ ନ୍ୟାଶନାଲ୍ ରେସ୍ ୱାକ୍ ଚାମ୍ପିଅନଶିପରେ ଦ୍ୱିତୀୟ ଓ ପଞ୍ଚମ ସ୍ଥାନ ହାସଲ କରିଥିଲେ। ମହିଳା ୨୦ କିମି ରେସ୍ ୱାକରେ ସୌମ୍ୟା ବେବି ୧:୩୬.୦୮ ସେକେଣ୍ଡରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ହେଁ, ଅଲିମ୍ପିକ୍ସକୁ କ୍ୱାଲିଫାଏ କରିପାରିନାହାନ୍ତି। ଅଲିମ୍ପିକ୍ସ କ୍ୱାଲିଫିକେସନ୍ ଟାଇମିଂ ୧:୩୧.୦୦ ସେକେଣ୍ଡ ରହିଛି।
from Odisha Reporter https://ift.tt/2F6XKlc
No comments:
Post a Comment