
ବଡ଼ଚଣା (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏବେ ଆଶ୍ୱସ୍ତ। ଶେଷରେ ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନିଜ ନାମ ନ ଦେଖି ଜିଲ୍ଲାର ଯେଉଁ ୪ ବିଧାୟକ ଚିନ୍ତାରେ ଥିଲେ ସେମାନଙ୍କ ମଧ୍ୟରେ ଜଣେ ଥିଲେ ଅମର। ତାଙ୍କ ଟିକଟ କଟିବା ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଶେଷରେ ହାଇ କମାଣ୍ଡ ପୁଣି ଥରେ ଅମରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଆଉ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ଘୋଷଣା କରିଛନ୍ତି।
ବିଜେଡି ବଡ଼ଚଣା ବିଧାନସଭା ଆସନରୁ ପ୍ରାର୍ଥୀ ରିପିଟ୍ କରିଛି। ହେଲେ ଏବେ ପ୍ରଶ୍ନ, ଟିକଟ ସିନା ପାଇଲେ, ଅମର ଦଳର ବିଶ୍ୱାସ ରଖି ପାରିବେ ତ?
କାରଣ ଏବେ ରାଜନୈତିକ ପାଣିପାଗ ବଦଳି ଯାଇଛି। ୨୦୧୪ ନିର୍ବାଚନରେ ବିଜେଡି ବିଦ୍ରୋହୀ ଅମର ନାୟକ ଟିକଟ ନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ଯଦିଓ ନିର୍ବାଚନରେ ହାରିଥିଲେ ତଥାପି ୨୬ ହଜାରରୁ ଅଧିକ ଭୋଟ ପାଇଥିଲେ। ଏବେ ଅମର ନାୟକ ବିଜେପି ପ୍ରାର୍ଥୀ। ସେ ଜଣେ ଯୁବନେତା। ଯୁବଗୋଷ୍ଠୀଙ୍କ ସମର୍ଥନ ବେଶି ତାଙ୍କ ସହ ରହିଛି।
ମୋଦି ହାୱା ସହ ବିଜେପିର ସାଂଗଠନିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ଦଳ ପ୍ରତି ଜନସମର୍ଥନ ବଢୁଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଅନ୍ୟପକ୍ଷେ ଅମର ବିଜେପିରେ ମିଶିବା ପରେ ସେ ମଧ୍ୟ ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ଲାଗି ପଡ଼ିଛନ୍ତି। ଏପରି ପରିସ୍ଥିତିରେ ଅମର ଶତପଥୀଙ୍କ ପାଇଁ ବିଜୟର ପଥ ଗତଥର ପରି ସହଜ ହେବନାହିଁ। ଏଥର ଜିତିବା ତାଙ୍କ ପାଇଁ କଷ୍ଟ ସାଧ୍ୟ ହେବ ବୋଲି କୁହାଯାଉଛି।
ବଡଚଣା ପାଇଁ କଂଗ୍ରେସ କିନ୍ତୁ ଟିକଟ ଫାଇନାଲ କରିପାରୁନି। ଏହି ଆସନରେ ଦଳର ପୁରୁଖା ନେତା ସୀତାକାନ୍ତ ମହାପାତ୍ର ଓ ଯୁବନେତା ଶୁଭେନ୍ଦୁ ମହାନ୍ତି ଟିକଟ ପାଇଁ ଆଶାୟୀ। କାହାକୁ ଟିକଟ ମିଳିବ ତାହା ଏବେ ବି ଅସ୍ପଷ୍ଟ । ଜଣେ ଟିକଟ ପାଇଲେ ଅନ୍ୟ ଜଣକ କଣ କରିବେ ? ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହେବେ ନା କୌଣସି ଦଳକୁ ସମର୍ଥନ କରିବେ ? ଯାହା ବି କରନ୍ତୁ, କଂଗ୍ରେସ ବିଦ୍ରୋହୀଙ୍କ ଭୂମିକା ଭୋଟ ଅଙ୍କକୁ ଗଡ଼ବଡ଼ କରିଦେବ ଏ କଥା ନିଶ୍ଚିତ । କଂଗ୍ରେସ ସ୍ଥିତି ତ ନିଶ୍ଚୟ ଦୁର୍ବଳ ରହିବ। ତେବେ କଂଗ୍ରେସ ବିଦ୍ରୋହୀ, ଯେଉଁ ଦଳକୁ ସମର୍ଥନ କରିବେ ତା’ର ପଲା ଭାରୀ ହେବା ସ୍ୱାଭାବିକ।
from Odisha Reporter https://ift.tt/2OA80GN
No comments:
Post a Comment