
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ବୁଡ଼ି ରହିଥିବା କମ୍ପାନୀମାନେ ଏବେ ଯେଉଁ ମୋବାଇଲ ଫୋନ୍ ବାଣ୍ଟୁଛନ୍ତି ତା’ର ପ୍ରକୃତ ହିତାଧିକାରୀ କିଏ, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି। ଏହାସହିତ ଅର୍ଥନୀତିକ ଅପରାଧ ଶାଖା ନିର୍ଦ୍ଦେଶକଙ୍କୁ ରାଜ୍ୟ ବିଜେପିର ପ୍ରତିନିଧି ଦଳ ଭେଟି ବେଆଇନ ଭାବେ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ ଫୋନ୍ ବଣ୍ଟାଯିବା ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ଛତ୍ରଛାୟାରେ ରହିଥିବା ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ, ଚିଟଫଣ୍ଡ କମ୍ପାନୀ, ଧାନ କିଣାରେ ଚାଷୀଙ୍କୁ ଠକିଥିବା ମିଲର ମାଲିକମାନେ ଏବେ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମୋବାଇଲ୍ ସମସ୍ତ ୩୧୪ଟି ବ୍ଲକରେ ବାଣ୍ଟିବାକୁ ଯାଉଛନ୍ତି। ଜିଲ୍ଲା ଏବଂ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ ବଣ୍ଟାକୁ ଏକ ସରକାରୀ ଯୋଜନା ଭଳି ତଦାରଖ କରୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ସେହି ମୋବାଇଲ ବଣ୍ଟା ନେଇ କୌଣସି ଟେଣ୍ଡର ହୋଇନାହିଁ କି ସରକାରୀ ସ୍ତରରେ କୌଣସି ବଜେଟ ବ୍ୟବସ୍ଥା ନାହିଁ।
ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୦ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ ବାଣ୍ଟିବା ପାଇଁ ମସୁଧା ଚାଲିଛି। ସରକାରଙ୍କ ବିନା ନିଷ୍ପତ୍ତିରେ କାହିଁକି ଏତେ ମୋବାଇଲ ବଣ୍ଟା ଯାଉଛି ଓ ସମ୍ପୃକ୍ତ ଘରୋଇ କମ୍ପାନୀମାନେ କାହିଁକି ଏହି ଅର୍ଥ ଦେଉଛନ୍ତି ତାକୁ ନେଇ ପ୍ରଶ୍ନ କରିବା ସହ ଏହା ପଛରେ ଏକ ବୃହତ୍ ଆର୍ଥିକ ଅନିୟମିତତାର ଗନ୍ଧ ବାରି ହେଉଥିବା ଶ୍ରୀ ମହାନ୍ତି କହିଛନ୍ତି। ବ୍ୟାପକ ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିବା ତାମିଲ ଖଣି ବେପାରୀ ତ୍ରିବେଣୀ ଆର୍ଥ ମୁର୍ଭସ, ସିରାଜୁଦ୍ଦିନ କମ୍ପାନୀ, ଧାନ କିଣା ଦୁର୍ନୀତିରେ ସମ୍ପୃକ୍ତ ମା’ ଉତ୍ତରାଣୀ ରୋଲର ଆଣ୍ଡ ଫ୍ଲୋର ମିଲ୍, ଆରିୟା ମାଇନିଂ ଆଣ୍ଡ ଟ୍ରେଡିଙ୍ଗ କର୍ପୋରେଶନ, କଲ୍ୟାଣୀ ଏଣ୍ଟରପ୍ରାଇଜେସ୍ ସହ ଅନେକ କମ୍ପାନୀ ଏହି ବେନିୟମ ମୋବାଇଲ୍ ଯୋଗାଣରେ ସଂପୃକ୍ତ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା ନିର୍ଦ୍ଦେଶକଙ୍କୁ ଭେଟି ୨୦ ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ କେଉଁଠୁ ଆସିଲା ଓ ବିନା ସରକାରୀ ନିର୍ଦ୍ଦେଶରେ ଏହା କାହିଁକି ବଣ୍ଟା ଯାଉଛି ତଥା ଏହାର ହିତାଧିକାରୀ କିଏ, ତା’ର ତଦନ୍ତ ପାଇଁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଜେପି ମିଡିଆ ପ୍ରଭାରୀ ଜୟନ୍ତ କୁମାର ଜେନା, ଲିଗାଲ ସେଲ୍ ସଦସ୍ୟ ରବି ଶଙ୍କର ପଟ୍ଟନାୟକ, ଯୁବମୋର୍ଚ୍ଚାର ସତ୍ୟବ୍ରତ ନାୟକ, ଲିଗାଲ କୋଆର୍ଡିନେଟର ଅନିଲ କୁମାର ଶତପଥୀ, ବିଶ୍ୱରଞ୍ଜନ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।
from Odisha Reporter https://ift.tt/2TyLIKD
No comments:
Post a Comment