
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଆସନ୍ତାକାଲିଠାରୁ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ତେବେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଦେଖାଯାଇଛି ବିଭ୍ରାଟ। ପରୀକ୍ଷା କେନ୍ଦ୍ରରୁ ଗାଏବ ହୋଇଯାଇଛି ସିସିଟିଭି।
ପୁରୀ ଜିଲ୍ଲା ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ୍ରେ ଘଟିଛି ଏହି ଅଭାବନୀ ଘଟଣା। ଏହି ପରୀକ୍ଷାକେନ୍ଦ୍ରରୁ ଦୁଇଟି ସିସିଟିଭି ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ କେହି ଦୁର୍ବୃତ୍ତ ସିସିଟିଭି ଚୋରି କରି ନେଇଥିବା ସନ୍ଦେହ କରାଯାଉଛି। ଏନେଇ ସାତପଡ଼ା ଫାଣ୍ଡିରେ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଚଳିତ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେବା ଓ ଓଏମ୍ଆର୍ ଶୀଟ୍ ଗାଏବ ହେବା ଭଳି ଘଟଣାକୁ ନେଇ ଉଭୟ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଏବଂ ବୋର୍ଡ କର୍ତ୍ତୃପକ୍ଷ ଅପ୍ରୀତିକର ସ୍ଥିତିରେ ପଡ଼ିଥିବା ବେଳେ କାଉନ୍ସିଲ୍ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ସିସିଟିଭି ଗାଏବ ହୋଇଯିବା ଘଟଣା କାଉନ୍ସିଲ୍କୁ ଅକଳିଆ ସ୍ଥିତିରେ ପକାଇଛି।
ଚଳିତବର୍ଷ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୬୯ ହଜାର ୫୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୦୨ଟି ଏଗ୍ଜାମିନେସନ୍ ମ୍ୟାନେଜମେଣ୍ଟ ହବ୍ କରାଯାଇଛି।
ମ୍ୟାଟ୍ରିକ୍ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନ ହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାଡ୍ ଓ ପର୍ଯ୍ୟାପ୍ତ ଅବଜର୍ଭର ନିଯୁକ୍ତ କରାଯାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଏବଂ କାଲ୍କୁଲେଟର ନେଇ ପାରିବେ ନାହିଁ। ପରୀକ୍ଷା ଦିନ ସକାଳ ସାଢ଼େ ୯ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷାରେ ପ୍ରଶ୍ନପତ୍ର ପହଞ୍ଚିବ।
from Odisha Reporter https://ift.tt/2UnD4fb
No comments:
Post a Comment