ଗାଁ, ପଖାଳ ଓ ସେଇସବୁ ଦିନମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଗାଁ, ପଖାଳ ଓ ସେଇସବୁ ଦିନମାନ

ଭୁବନେଶ୍ୱର (ଜଗମୋହନ ମହାରଣା): ମନେ ଅଛି ସବୁକଥା ଗୋଟି ଗୋଟି। କିଛି ବି ମନରୁ ପାସୋରି ଯାଇନି। ବିତି ଯାଇଥିବା ଜୀବନ ସିନା ନଈର ଧାର ପରି ହେଲେ ସ୍ମୃତି ସବୁ ସଜଳ ଆଉ ଛଳଛଳ ଆଖିର ଲୁହ ପରି। କେତେ ରଙ୍ଗରେ ବିତିଛି ସେଇସବୁ ଦିନମାନ ଆଉ କେତେ ଅନ୍ତର୍ଦାହ ତା ଭିତରେ। କେତେ ଯେ ଅଝଟପଣ ମା’ର ପଣତ କାନି ତଳେ ଆଉ କେତେ ଯେ ଅନ୍ତରଙ୍ଗତା ଗାଁର ପ୍ରତିଟି ଘଟଣାରେ…..

ଗାଁର ପ୍ରତିଟି କଥା ଗୋଟେ ଗୋଟେ ଉପନ୍ୟାସ। ଖୋଦ୍ ଗାଁରେ ଜନ୍ମ ହୋଇ ବଢ଼ିଥିବା କେହି ବି ମଣିଷ ବୋଧହୁଏ ଅରାଜି ହେବେନି ଆଜି ସମୟରେ ଯେ, ସେ ତା ଗାଁକୁ ନେଇ ଭାବପ୍ରବଣ ନୁହେଁ।

ଆଜି ପଖାଳ ଦିବସ। ଆଉ ଗାଁ ସହ ପଖାଳର ସମ୍ପର୍କ ଯେ କେତେ ନିବିଡ଼ ତାହା କିଏ ବା ନଜାଣେ। ଖାସ୍ ସେଇଥିପାଇଁ ପଖାଳ କଥା ଭାବିଲେ କେତେ ଯେ କଥା ତା ସହ ଟାଣିହୋଇ ଆସେ, ତାହା ଅସରନ୍ତି କାହାଣୀ।

ପଖାଳ ତୋରାଣି ଭିତରେ ଯୋଉ ମଣିଷମାନଙ୍କର ଜୀବନ ଉବୁଟୁବୁ, ସେମାନେ ଯେ କେତେ ଭାବପ୍ରବଣ ପଖାଳକୁ ନେଇ, ତାହା ସେଇମାନେ ହିଁ କହିପାରିବେ।

ମନେ ପଡୁଥିବା ସେଇସବୁ କଥା ଭିତରୁ କେତୋଟି

ପଖାଳ ଓ ଗାଁ: ପଖାଳକୁ କୋଉଠୁ ଆରମ୍ଭ କଲେ ଠିକ୍ ହେବ? ଦିନରୁ ନା ରାତିରୁ ନା  ଦ୍ୱିପ୍ରହରରୁ? ଖରାରୁ ନା ବର୍ଷାରୁ ନା ଶୀତରୁ? ପଖାଳର କୌଣସି ଋତୁ ଅଛିକି? ପଖାଳର କୌଣସି ଗୋଟିଏ ମାତ୍ର ସମୟ ଅଛିକି? ଯେ କୁହାଯିବ ପଖାଳ ଖାଇବାର ଏ ହେଉଛି ନିର୍ଦ୍ଦିଷ୍ଟ ସମୟ ବୋଲି?

ଶୀତଦିନ, ଖଳାବାରି ଓ ପଖାଳ: ଶୀତଦିନ ଘର ପଛପଟ ବାଡ଼ିରେ ପଖାଳ ଖାଇବାର ମଜା ନିଆରା। ତା’ ସାଙ୍ଗରେ ଘର ସାମ୍ନା କୋଉଠି ବି ଟିକିଏ ଜାଗାରେ ବୁଢ଼ିମାଆ ଲଗେଇଥିବା କୋଲାପିଆଜ ଆଉ ରସୁଣ ବୁଦା, ବାସନ ମଜା କୁଣ୍ଡ ମୂଳେ ମନଇଛା ଉଠିଥିବ ଦେଶୀ ଟମାଟ ଗଛ। କଟକି ଧନିଆ, ଲଙ୍କମରିଚ ଆଉ ଆମ୍ବକସିଆ ଅଦା।

ଗୋବର ଆଉ ରଙ୍ଗମାଟିରେ ଲିପା ହେଇଥିବ ଘର ଅଗଣା ଓ ଖଳାବାରି। ନଡ଼ିଆ ଗଛ ଫାଙ୍କରୁ ସକାଳ ୮ଟା ୯ଟା ବେଳକୁ ପଡ଼ିଥିବା ସୁନ୍ଦର କଅଁଳିଆ ଖରା। ଏ ସମସ୍ତେ ପଖାଳର ସାଙ୍ଗ। ଗାଧୁଆ ହଉ କି ଅଗାଧୁଆ ଯାହାକୁ ଯେମିତି ପସନ୍ଦ ଶୀତଦିନିଆ ଠିକ୍ ଏଇ ସମୟରେ ଅଧା ଖରା ଅଧା ଛାଇରେ ବସି ଆମେ ପଖାଳ ଖାଉ। ବାସି ପଖାଳ ସାଙ୍ଗକୁ ଗଲଗଲିଆ ସୋରିଷ ମସଲା ଦିଆ ଲୁଣି ଶୁଖୁଆ ଭଜା, ଆଉ ରସୁଣ ଦି’କୋଲା ମନ୍ଥି ଦେଲେ, ଜିଭ ଆପେ ଟାକେଳା ମାରିଦେବ। କେହି ଅଟକେଇ ପାରିବେନି। ଖାଲି ସେତିକି ନୁହେଁ ଜହ୍ନି, ଭେଣ୍ଡି ପୋଡ଼ା ଚକଟା, ନହେଲେ ବାସି ଆଳୁପୋଡ଼ା ଚକଟାରେ ସୋରିଷତେଲ, ଧନିଆପତ୍ର ଆଉ ଚୁନ୍ ଚୁନ୍ ପିଆଜ ଟିକେ ଗୋଳେଇଦେଲେ ଭାତ ତଡ଼ିନିଏ।

ଖରାଦିନ ଓ ଆମ୍ବ ନସିର ପଖାଳ

ଗଛରେ ଛୋଟ ଛୋଟ ଆମ୍ବ ହେଇଥିବ। ମାହାପୁରୁଙ୍କ ପାଖରେ ଭୋଗଲାଗି ସାରିଥିବ। ଠିକ୍ ସେଇ ମାର୍ଚ୍ଚ, ଏପ୍ରିଲ ସମୟ। ବୁଢ଼ୀମାଆ ପୋଖରୀରୁ ଗାଧୋଇ ଫେରୁଥିବ, ହାତରେ ଗୋଟେ ଡେମ୍ଫଲଗା ଆମ୍ବଟିଏ ଧରି। କାରଣ ବାସି ପଖାଳରେ ସେଇ ଆମ୍ବଡେମ୍ଫକୁ ଭାଙ୍ଗିଲେ ତା ନସିର ମହମହ ବାସ୍ନା ଭାରି ସୁଆଦିଆ। ଛ’ ତିଅଣ ନ’ ଭଜା ଦରକାର ନାହିଁ। ସଜନା ଶାଗକୁ ମୁଗଜାଇ ପକେଇ ଖରଡ଼ା ହେଇଥିବ ନା ତ ବାଡ଼ି ପଛପଟ ବାରମିଶା ଶାଗକୁ ବିରିଗୁଣ୍ଡ ଦେଇ ଖରଡ଼ା ହୋଇଥିବ। ଦି’ ଚାରି କୋଲା ପିଆଜ ଆଉ ଲୁଣ ଲଙ୍କା ଟିକେ ମନ୍ଥି ଦେଲେ ଭାତ ଖାଲି ତଡ଼ି ନଉଥିବ ପେଟ ଭିତରକୁ। ଏଇ ଅନୁଭବ ଯିଏ ପାଇଛି ସେ ଜାଣିଛି।

ଖାଲି ସେତିକି ନୁହେଁ ଏଇ ଖରାଦିନେ ଢୁଙ୍ଗା ଢୁଙ୍ଗା ଖଡ଼ାପତ୍ର ସବୁ ଛନ୍ ଛନ୍ ଦେଖା ଯାଉଥିବ। ଦିନ ୩ଟା ୪ଟା ବେଳକୁ ଖଡ଼ା ଶାଗରେ ମାଆ ଖୁଡ଼ି ସମସ୍ତେ ପାଣି ଦଉଥିବେ। ଠିକ୍ ସେତିକି ବେଳେ ପଡିଶା ଘରର ମା’ଟେ ଆସି ଅଣ୍ଟିରେ ଶାଗ ତୋଳି ନବ। ଭାଜିବ। ଆଉ ଚାଇଁ ପଖାଳ ସାଙ୍ଗରେ ଖାଇବ। ତା’ର ମଜା ଯୋଉ ନାତି ଟୋକା ପାଇଛି ସେ ଜାଣିଛି।

 ଢୁ ଢୁ ବର୍ଷା ସହ ପଖାଳ

ବର୍ଷା ଦିନେ ବି ପଖାଳର ଏକ ଅଲଗା ସ୍ୱାଦ ଥାଏ। ବର୍ଷା ଦିନେ ଛତୁ ଫୁଟେ। ହୁଙ୍କା ଛତୁ, ବାଲି ଛତୁ, ପାଳ ଛତୁ, ମଣ୍ଡା ଛତୁ, ନାଡ଼ଛତୁ ଇତ୍ୟାଦି। ଆଉ ଗହିର ବିଲରେ ସମସ୍ତେ ଅନ୍ଧୁଣୀ, ମୁଗୁରା, ଚାଞ୍ଚ ବସେଇ ମାଛ ମାରନ୍ତି।

ଛତୁ ହେଉ ଅବା ଗହିର ମାଛ। ଯଦି ମିଳିଗଲା ତେବେ ତାକୁ କେଳେଇ କାଳେଇ ସଫାକରି ସୋରିଷ ମସଲା ଦେଇ ଆମ୍ବୁଲ ଖଣ୍ଡେ ପକେଇ ଜୁକୁଜୁକିଆ କି ରାନ୍ଧି ଦେଲେ କେତେ ବେଲା ପଖାଳ ଉଡିବ ତା’ର ଠିକଣା ନାହିଁ । ଯିଏ ଖାଇଚି ସେ ଜାଣିଚି।

ଏମିତି ପଖାଳକୁ ନେଇ ଯେତେ କଥା ଅଛି ତାହା ସରିବନି। କିନ୍ତୁ ଆମମାନଙ୍କର ସମସ୍ୟାଟି ହେଲା ସାଇତି ସଜେଇ ରଖିବାରେ ଆମେ ଓଡିଆମାନେ ଜମା ଧୁରନ୍ଧର ନୁହେଁ।। ସେଇଥିପାଇଁ ପରେ ପସ୍ତେଇବାକୁ ପଡ଼େ।

ଶେଷରେ ଏତିକି ଆଶା… ରସଗୋଲାକୁ ବେଙ୍ଗୁଲୀ ନାନୀ ତା ସମ୍ପତ୍ତି କହି ଜେମିତି ମାଡ଼ି ବସିଛି ଆଉ କେହି ଜଣେ ଅଣଓଡ଼ିଆ ଢୋକେ ପଖାଳ ତୋରାଣି ପିଇ ଦେଇ ନକହୁ ଯେ ପଖାଳ ତା ହଣ୍ଡିଶାଳର ବୋଲି।



from Odisha Reporter https://ift.tt/2Fprnj1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages