
ଇସ୍ଲାମାବାଦ: ପାକିସ୍ତାନର ଗୋଟିଏ ପରେ ଗୋଟିଏ ମିଛି ଧରା ପଡ଼ିବାରେ ଲାଗିଛି। ବାଲାକୋଟ୍ରେ ଥିବା ଯେଉଁ ଜୈଶର ତଥାକଥିତ ମଦ୍ରାସା ବା ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ବୋମା ମାଡ଼ କରିଥିଲା, ସେଠାକୁ କୌଣସି ଗଣମାଧ୍ୟମକୁ ଛଡ଼ା ଯିବନାହିଁ ବୋଲି ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ମିରାଜ୍-୨୦୦୦ରେ ମଦ୍ରାସାର କ’ଣ କ୍ଷତି ଘଟିଛି, ତାକୁ ପରଖିବା ପାଇଁ ପାକିସ୍ତାନ ମିଡିଆ ସହ କିଛି ଅନ୍ତର୍ଜାତୀୟ ମିଡିଆ ଗ୍ରାଉଣ୍ଡ ଜିରୋକୁ ଯିବାକୁ ଚାହିଁଥିଲେ। ହେଲେ ପାକ୍ ସେନା ଓ ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି।
ପୂର୍ବରୁ ପାକିସ୍ତାନ ସରକାର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଦାବି କରିଥିଲେ। ଯଦି କ୍ଷୟକ୍ଷତି ହୋଇନାହିଁ, ତା’ହେଲେ କ’ଣ ପାଇଁ ପାକିସ୍ତାନ ସେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାକୁ ଛାଡ଼ୁନାହିଁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଆଜି କ୍ରମାଗତ ତୃତୀୟ ଥର ପାଇଁ ରୟଟର୍ସର ଏକ ଟିମ୍ ପାହାଡ଼ ଉପରେ ଥିବା ଜୈଶ ମଦ୍ରାସା ଦେଖିବାକୁ ଚାହିଁଥିଲେ। ହେଲେ ସେମାନଙ୍କୁ ପାହାଡ଼ ଉପରକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ସୁରକ୍ଷା ଦୃଷ୍ଟିର ଆଳ ଦେଖାଇ ପାକିସ୍ତାନ ସେନା ରୟଟର୍ସ ଟିମ୍କୁ ଫେରାଇ ଦେଇଛି। ଆଗାମୀ ଦିନରେ ମଧ୍ୟ ସେହି ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମକୁ ପାହାଡ଼ ଉପରକୁ ଛଡ଼ା ଯିବ ନାହିଁ ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି।
ରୟଟର୍ସ ଟିମ୍ କେବଳ ୧୦୦ ମିଟର ଦୂରରୁ ଏବଂ ପାହାଡ଼ ତଳୁ ଜୈଶର ମଦ୍ରାସାକୁ ଦେଖି ପାରିବ। ପାହାଡ଼ ତଳୁ ଯେଉଁ ଦୃଶ୍ୟ ଦେଖାଯାଉଛି, ତାହା କେବଳ କିଛି ଗଛ ମଧ୍ୟରେ ଏକ କୋଠା ଥିବା ଜଣାପଡ଼ୁଛି। ହେଲେ କ’ଣ କ୍ଷୟକ୍ଷତି ହୋଇଛି, ତା’ର ଆକଳନ କରାଯାଇ ପାରୁନାହିଁ। ରୟଟର୍ସ ପକ୍ଷରୁ ବୁଧବାର ଦିନ ଏକ ଫଟୋ ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ବୋମା ମାଡ଼ ପରେ ମଧ୍ୟ ଜୈଶର ମଦ୍ରାସା ସୁରକ୍ଷିତ ରହିଛି। ତେବେ ପୂର୍ବରୁ ଏହାକୁ ମଦ୍ରାସା ଭାବେ ବ୍ୟବହାର କରାଯାଉଥିଲା।
ଗତବର୍ଷ ଜୁନ୍ ମାସରେ ମଦ୍ରାସାକୁ ବନ୍ଦ କରିଦିଆଯାଇଥିବା ଗାଁ ଲୋକମାନେ ରୟଟର୍ସକୁ କହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହି ମଦ୍ରାସା ନିକଟରେ ଜୈଶ-ଏ-ମହମ୍ମଦର ନାଁ ଥିବା ଏକ ଫଳକ ଲାଗିଥିଲା। ହେଲେ ଏହାକୁ ପରବର୍ତ୍ତୀ ଅବସ୍ଥାରେ ହଟାଇ ଦିଆଯାଇଛି।
କୁହାଯାଉଛି, ମଦ୍ରାସା ବନ୍ଦ କରି ଜୈଶ ପକ୍ଷରୁ ଏଠାରେ ଆତଙ୍କୀଙ୍କୁ ଟ୍ରେନିଂ ଦିଆଯାଉଥିଲା। ଭାରତର ଏୟାର ଷ୍ଟ୍ରାଇକ୍ ବେଳେ ଏହି କ୍ୟାମ୍ପରେ ୩୦୦ରୁ ଅଧିକ ଆତଙ୍କବାଦୀ ଏବଂ ସେମାନଙ୍କ ଟ୍ରେନର ଥିଲେ। ଏୟାର ଷ୍ଟ୍ରାଇକ୍ରେ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ପାକିସ୍ତାନ ଏହାକୁ ସ୍ୱୀକାର କରୁନାହିଁ। ଏବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଥିବାରୁ ପାକିସ୍ତାନ କ୍ଷୟକ୍ଷତି ସମ୍ପର୍କରେ ମିଛ କହୁଥିବା ପ୍ରମାଣିତ ହୋଇଛି।
from Odisha Reporter https://ift.tt/2TIh15X
No comments:
Post a Comment