
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ମିଶିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଏହାକୁ ତାଙ୍କ ଘର ବାହୁଡ଼ା କୁହାଯାଇପାରିବ। କାରଣ ସେ ପୂର୍ବରୁ ବିଜେଡିରେ ଥିଲେ। ୨୦୦୪ରେ ସେ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ଏହି ଅବସରରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।
ବିଜେଡିରେ ଯୋଗ ଦେବା ପରେ ଜିତୁ କହିଛନ୍ତି,“ବିଜୁ ଜନତା ଦଳ ମୋର ପୁରୁଣା ଘର। ଏବେ ମୁଁ ଘରକୁ ଫେରିଲି। ଖୋର୍ଦ୍ଧାରେ ଏଥର ନିର୍ବାଚନରେ ବି ଦଳକୁ ଜିତାଇବାକୁ ଆମେ କାର୍ଯ୍ୟ କରିବୁ। ଖୋର୍ଦ୍ଧାରେ ଦଳର ସାଂଗଠନିକ ସ୍ଥିତି ବେଶ୍ ଦୃଢ଼ ରହିଛି। ଏଠାରେ ବିଜେପି ପ୍ରାର୍ଥୀ ଜିତିବା ସମ୍ଭବପର ନୁହେଁ।”
୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ।
ସେ ଦୁଇ ଥର ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ୨୦୦୦ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ।
ଜିତୁ ମିତ୍ର ବିଜେଡିରେ ମିଶିବା ପରେ ତାଙ୍କୁ ପୁଣି ଖୋର୍ଦ୍ଧା ଆସନରୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ରାଜେନ୍ଦ୍ର କୁମାର ସାହୁ ବିଜେଡି ଟିକେଟ୍ରେ ଲଢ଼ିଥିଲେ ଓ ଜିତିଥିଲେ।
from Odisha Reporter https://ift.tt/2ERzyTE
No comments:
Post a Comment