ବୁଲି ଯାଆନ୍ତୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ବୁଲି ଯାଆନ୍ତୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା। ଏଠାକୁ ଥରେ ବୁଲି ଆସିଲେ ବହୁ ଜାଗା ଭ୍ରମଣ କରି ପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ। ଏଥିପାଇଁ ନିଜ ବ୍ୟସ୍ତବହୁଳ ଜୀବନରୁ ଥରେ ସମୟ ବାହାର କରି ପରିବାର ବା ସାଙ୍ଗସାଥୀଙ୍କ ସହ ଗଞ୍ଜାମ ଜିଲ୍ଲା ଭ୍ରମଣ କରନ୍ତୁ।

କ’ଣ ଦେଖିବେ ?

ଏହି ଅବସରରେ ଆପଣ ବିଲୋପ ହେବାକୁ  ଥିବା  କୃଷ୍ଣସାର ମୃଗ ଦେଖିପାରିବେ। ଏହି ପ୍ରଜାତିର ହରିଣ ସମଗ୍ର ଦେଶରେ ବିଲୋପ ହେବାକୁ ବସିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାର ଭେଟନଇ ଏବଂ ବୁଗୁଡ଼ା ଆଦି ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି। ସେହିଭଳି ଗଞ୍ଜାମର ଐତିହାସିକ ସହର ବୁଗୁଡ଼ାରେ କାଠର କୋଣାର୍କ ବିରଞ୍ଜି ନାରାୟଣ ମନ୍ଦିର ବୁଲି ଦେଖିପାରିବେ। ଏହାର କାରୁକାର୍ଯ୍ୟ ଏପରି ହୋଇଛି ଯେ, ନିର୍ମାଣର ୩୫୦ ବର୍ଷ ପରେ ମଧ୍ୟ ଏହା ଖୁବ୍‌ ଆକର୍ଷଣୀୟ ଦେଖାଯାଉଛି। ଏହାକୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ବୋଲି କୁହାଯାଏ।

 ଦେଖନ୍ତୁ ବିଲୁପ୍ତ ପ୍ରାୟ କୃଷ୍ଣସାର ମୃଗ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରଠାରୁ ଆସ୍କା ଦେଇ ଗଲେ ଆପଣ ଭେଟନଇ ଅଞ୍ଚଳକୁ ଯାଇପାରିବେ। ସେଠାରେ ଆପଣ ଯାହା ଦେଖିବେ ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଦେବ। କାରଣ ସେଠାକୁ ଗଲେ ଆପଣ ଦେଖିବାକୁ ପାଇବେ ଗଞ୍ଜାମର ଗୌରବ ଏବଂ ଗର୍ବର ପ୍ରତୀକ କୃଷ୍ଣସାର ମୃଗ ବା ବାଲିହରିଣ ବା ବ୍ଲାକ୍‌ ବ୍ଲକ୍‌। ସାରା ଦେଶରେ ଏହି ପ୍ରାଣୀ ପ୍ରାୟ ଲୋପ ପାଇବାକୁ ବସିଛନ୍ତି।

ଏଠାକୁ ଥରେ ଆସିଲେ କିଛି ସମୟ ଛିଡା ହୋଇ ମନଭରି ହରିଣଙ୍କୁ ଦେଖିବାକୁ ଇଚ୍ଛା ହେବ। ଆପଣ ଏଠାରେ ସୁନ୍ଦର ଏବଂ ଦଳ ଦଳ ହୋଇ ବୁଲୁଥିବା କୃଷ୍ଣସାର ମୃଗ ଦେଖିବାକୁ ପାଇବେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା  ଏହି ମୃଗ଼ମାନଙ୍କୁ କେହି ଶିକାର କରନ୍ତି ନାହିଁ। ସ୍ଥାନୀୟ ଜନସାଧାରଣ ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ଉଦ୍ୟମ କରୁଛନ୍ତି। ଆଉ ମୃଗମାନଙ୍କୁ ଆପଣ ଦେଖିଲେ ଜାଣି ପାରିବେ ଯେ, ସେମାନେ ଯେପରି ମଣିଷଙ୍କ ସହ ଏକାଠି ବସବାସ କରୁଛନ୍ତି। ଆପଣ ସେଠାରେ ଜଙ୍ଗଲ ଭିତରେ ବା ବାହାରେ ମଧ୍ୟ ଏହି ବ୍ଲାକ୍‌ ବକ୍‌ମାନେ ବୁଲୁଥିବାର ଦେଖିବାକୁ ପାଇବେ।

ପ୍ରତି ବ୍ଲାକ୍‌ବକ୍‌ ଦଳରେ ଗୋଟିଏ ମାତ୍ର ଅଣ୍ଡିରା ହରିଣ ରହିଥାଏ। ଆଉ ଯଦି କେହି ଅଣ୍ଡିରା ହରିଣ ଆସି ସେହି ଦଳରେ ପ୍ରବେଶ କରିବାକୁ ଚେଷ୍ଟା କରେ ତାହାଲେ, ସେଠାରେ ସେମାନଙ୍କ ମଧ୍ୟରେ ଲଢ଼େଇ ହୋଇଥାଏ। କେବଳ ଅଣ୍ଡିରା ହରିଣମାନଙ୍କ ଦେହ କଳା ଏବଂ ଧଳା ରଙ୍ଗର। ଆଉ ଅନ୍ୟ ସବୁ ହରିଣମାନଙ୍କ ରଙ୍ଗ ଧଳା ଏବଂ ମାଟିଆ ରଙ୍ଗର ହୋଇଥାଏ।

 ବୁଲି ଯାଆନ୍ତୁ କାଠର କୋଣାର୍କ ମନ୍ଦିର

ଆପଣ ଭେଟନଇ ଅଞ୍ଚଳରୁ କୃଷ୍ଣସାର ମୃଗ ଦେଖିସାରି ଗଞ୍ଜାମ ବୁଗୁଡ଼ା ଯାଇପାରିବେ। ସେଠାରେ ପ୍ରସିଦ୍ଧ କାଠର ତିଆରି ବିରଞ୍ଚି ନାରାୟଣ ମନ୍ଦିର ବୁଲିପାରିବେ। ଗଞ୍ଜାମର ଏକ ଛୋଟ ସହର ବୁଗୁଡ଼ା ଐତିହାସିକ ସହର ଭାବେ ଜଣାଶୁଣା। ତେବେ ଏହି ଅଞ୍ଚଳର ମୁଖ୍ୟ ଆର୍କଷଣ ହେଉଛି କାଠର କୋଣାର୍କ ବିରଞ୍ଜି ନାରାୟଣ ମନ୍ଦିର।

୧୭୭୭ ମସିହାରେ ଭଞ୍ଜ ବଂଶୀୟ ରାଜା ଶ୍ରୀକର ଭଞ୍ଜ ଦେବଙ୍କ ଦ୍ୱାରା ନିର୍ମିତ  ଏହି ମନ୍ଦିରର ସୌନ୍ଦର୍ଯ୍ୟ ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ  ରହିଛି। ଏଠାରେ ଅଧିଷ୍ଠାତା ଭାବେ ବିରଞ୍ଚି ନାରାୟଣ ପୂଜା ପାଇଥାନ୍ତି। ଏହି ମନ୍ଦିର ଏପରି ଶୈଳୀରେ ତିଆରି ହୋଇଛି ଯେ, ଅସ୍ତଗାମୀ ସୂର୍ଯ୍ୟଙ୍କ ଅନ୍ତିମ କିରଣ ବିରଞ୍ଚି ନାରାୟଣଙ୍କ ମୂର୍ତ୍ତିର ପାଦଦେଶରେ ହିଁ ପଡ଼ିଥାଏ।

ମନ୍ଦିରଟି ସୂର୍ଯ୍ୟଙ୍କ ରଥ ଆକୃତିର ତିଆରି ହୋଇଛି। ତାହା ଏକ ଚକ ବିଶିଷ୍ଟ ଏବଂ ସେଥିରେ ୭ଟି ଅଶ୍ୱମୂର୍ତ୍ତି ରହିଛି। ଆଉ ମନ୍ଦିରର ଛାତ ତମ୍ବା ଚାଦରରେ ତିଆରି ହୋଇ ତା ଉପରେ ମାଟିର ପଟାସବୁ ଖଞ୍ଜା ଯାଇଛି। କିନ୍ତୁ ଏଠାରେ ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ପ୍ରାୟ ୩୫୦ ବର୍ଷ ତଳେ ଶିଳ୍ପୀ ହାତରେ ତିଆରି ହୋଇଥିବା କାଠର କାରୁକାର୍ଯ୍ୟ ଏବେ ମଧ୍ୟ ଆକର୍ଷଣୀୟ ଦେଖାଯାଉଛି।

ଆଉ ମନ୍ଦିର ଚାରିପାଖରେ ସେ ସମୟର ପ୍ରାଚିନ ଶୈଳୀରେ ଅଙ୍କିତ ପୌରାଣିକ ଚିତ୍ର ଆପଣ ଦେଖିବାକୁ ପାଇବେ।  ସେଠାକୁ ଯାଇ ନ ଦେଖିଲେ ଆପଣଙ୍କ ବିଶ୍ୱାସ ହେବ ନାହିଁ ଯେ, ସତରେ କ’ଣ ଓଡ଼ିଆ କାରଗର ଏବଂ ଚିତ୍ରଶିଳ୍ପୀମାନେ ଏତେ ସୁନ୍ଦର କାରୁକାର୍ଯ୍ୟ କରିପାରନ୍ତି। ସେହି ମନ୍ଦିରକୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ବା ଦ୍ୱିତୀୟ କୋଣାର୍କ ବୋଲି କୁହାଯାଏ।

 ପ୍ରତି ରବିବାର ହୁଏ ସ୍ୱତନ୍ତ୍ର ପୂଜା

ଏହି ମନ୍ଦିରର ଶାମ୍ବ ଦଶମୀ ଏବଂ ମାଘ ସପ୍ତମୀ ହେଉଛି ମୁଖ୍ୟ ପର୍ବ। ପ୍ରତି ରବିବାର ଏଠାରେ ସ୍ୱତନ୍ତ୍ର ପୂଜା ବିଧି ହୋଇଥାଏ। ମନ୍ଦିର ପରିସରରେ ଏକ ପବିତ୍ର କୂଅ ମଧ୍ୟ ରହିଛି। ସେହି ଜଳକୁ ମୁଣ୍ଡରେ ସିଞ୍ଚନ କଲେ ସବୁ ପ୍ରକାର ଚର୍ମ ରୋଗ ଭଲ ହୁଏ ବୋଲି ବିଶ୍ୱାସ ରହିଛି।

 ପୂଜା ପାଉଛନ୍ତି ୩ ବିଗ୍ରହ

ମନ୍ଦିରର ୪୮ଟି ସ୍ତମ୍ଭ କେବଳ ପଥରରେ ତିଆରି ହୋଇଛି ।  ଅବଶିଷ୍ଟ ସ୍ତମ୍ଭ ଶାଳ ଏବଂ ତାଳ କାଠରେ ତିଆରି ହୋଇଛି। ମନ୍ଦିରରେ ୩ଟି ବିଗ୍ରହ ପୂଜା ପାଇଥାନ୍ତି। ସେମାନେ ହେଲେ ଦାରୁ ବିଗ୍ରହ, ଶୀଳା ବିଗ୍ରୟ ଏବଂ ଧାତୁ ବିଗ୍ରହ।

କିପରି ଯିବେ

ଓଡ଼ିଶା ରାଜଧାନୀ ଭୁବନେଶ୍ୱରଠାରୁ ଗଞ୍ଜାମର ଦୂରତା ୧୬୭ କିମି। ଆପଣ ନିତିଦିନ ଯିବା ଆସିବା କରୁଥିବା ଯାତ୍ରୀବାହୀ ବସ୍‌, ଟ୍ରେନ୍‌ କିମ୍ବା ଟ୍ୟାକ୍ସି କରି ମଧ୍ୟ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।

ତେବେ ଆପଣ ଏହି ସ୍ଥାନକୁ ଯେ କୌଣସି ଋତୁରେ ମଧ୍ୟ ଯାଇପାରିବେ। ତେଣୁ ଆପଣଙ୍କ ବ୍ୟସ୍ତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଗଞ୍ଜାମ ଯାଇ ଥରେ ବୁଲିଆସନ୍ତୁ।



from Odisha Reporter https://ift.tt/2TcC8Jb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages