
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପୁଣିଥରେ ବିଜେପିକୁ ଫେରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଯଦିଓ ଉଭୟ ନେତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନି, ତଥାପି ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ବୟାନରୁ ଏଭଳି ସଙ୍କେତ ମିଳିଛି।
ବିଜେପି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ସିଂହ ଆଜି ସାମ୍ବାଦିକମାନଙ୍କୁ ବିଜୟ ଓ ଦିଲ୍ଲୀପଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେହି ଆମ ଦଳରୁ ଯାଇନାହାନ୍ତି। ସମସ୍ତେ ଆମ ସହ ଅଛନ୍ତି। ତାଙ୍କର ଏହି ପଦେ କଥା ବିଜୟଙ୍କ ବିଜେପିକୁ ଫେରିବା ଚର୍ଚ୍ଚା ଅଧିକ ବଳ ଦେଇଛି। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରୁ ପୁରା ମୂଳପୋଛ ହୋଇଯିବ। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବାପରେ ଓଡ଼ିଶାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅନେକ ନେତା ବିଜେପିକୁ ଆସିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ଏବେ ବିଜେଡିରେ କମ୍ପନ ସୃଷ୍ଟି ହେଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଶ୍ରୀ ସିଂହ କହିଛନ୍ତି ଯେ ଏ ନିଷ୍ପତ୍ତି ଦଳର ସଂସଦୀୟ ବୋର୍ଡ ଓ ପ୍ରଧାନମନ୍ତ୍ରୀ ନିଜେ ନେବେ। ଓଡ଼ିଶା ପ୍ରତି ମୋଦିଙ୍କ ସ୍ନେହ ଓ ଭଲ ପାଇବା ପୂର୍ଣ୍ଣ ମାତ୍ରାରେ ରହିଛି। ପୂରା ତାକତ ସହିତ ବିଜେପି ଲଢ଼ିବ ଓ ସରକାର ଗଢ଼ିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୩୦ତାରିଖରେ ବିଜୟ ଓ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଇଥିଲେ ମଧ୍ୟ କୌଣସି ଦଳରେ ସାମିଲ ହୋଇନାହାନ୍ତି। ଉଭୟ ନେତା ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ତାହା ଘଟିନାହିଁ। ବିଜେପିର ଜଣେ ବରିଷ୍ଠ ନେତା ଏହି ଦୁଇ ନେତାଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେମାନଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି।
from Odisha Reporter https://ift.tt/2XVsNcr
No comments:
Post a Comment