
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ପକ୍ଷରୁ ୩୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୫ଟି ସିଟ୍ ରହିଛି।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ। ଏଥିସହିତ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି।
ସେହପିରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ପ୍ରାର୍ଥୀ ହେବେ। ନୂଆପଡ଼ା ବିଧାୟକ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ଏଥର ବିଧାନସଭା ବଦଳରେ ଲୋକସଭା ଆସନ ପାଇଁ ଲଢ଼ିବେ। ସେ କଳାହାଣ୍ଡି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଦେବଗଡ଼ ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ବି ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ମିଳିଛି। ଏଥର ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଜୟରାମ ପାଙ୍ଗୀ କୋରାପୁଟ ସଂରକ୍ଷିତ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ।
ଓଡ଼ିଶା ପାଇଁ ବିଜେପି ପୂର୍ବରୁ ୧୦ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଗତକାଲିର ଘୋଷଣା ପରେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।
ଗତକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସେଣ୍ଟ୍ରାଲ ଇଲେକ୍ସନ କମିଟି ବୈଠକ ପରେ ପ୍ରାର୍ଥୀଙ୍କ ନାମରେ ମୋହର ଲାଗିଥିଲା।
from Odisha Reporter https://ift.tt/2TVpinV
No comments:
Post a Comment