
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ପଣସର ସିଜିନ୍ ଚାଲିଛି। ପଣସକୁ କରି ଜାଣିଲେ ଏହା ମାଂସର ସ୍ୱାଦ ଦେଇଥାଏ। ତେବେ ଆମେ ଘରେ ପ୍ରସ୍ତୁତ କରୁଥିବା ସାଧାରଣ ପଣସ ତରକାରୀ ଠାରୁ ଟିକେ ଅଲଗା ସ୍ୱାଦର ଏକ ବ୍ୟଞ୍ଜନ ତିଆରି କରିବା ଶିଖାଇବୁ। ଏହା ଆପଣଙ୍କୁ “ଚିକେନ୍ 65”ର ସ୍ୱାଦ ଦେବା ସହ ଚଟ୍ପଟା ମଧ୍ୟ ଲାଗିବ।
ଆବଶ୍ୟକୀୟ ଉପକରଣ
ସିଝା ହୋଇଥିବା ପଣସ କଠା, ବଟା ହୋଇଥିବା ବୁଟ ଡାଲି, ଚିନି, ଗରମ ମସଲା, ଅଦା ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର, କଟା ଟମାଟୋ, ତେନ୍ତୁଳି ମଣ୍ଡ, ତେଲ, କାଜୁବଟା ଏବଂ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସିଝା ହୋଇଥିବା ପଣସ କଠାରେ ବଟା ବୁଟଡାଲି, କଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା ଓ ଲୁଣ ପକାଇ ଚକଟି ଦିଅନ୍ତୁ। କରେଇରେ ତେଲ ଗରମ କରି ପଣସ କଠା ଚକଟାକୁ ବରା ଆକାର କରି ଛାଣି ଦିଅନ୍ତୁ।
ଏହା ପରେ ପ୍ୟାନ୍ରେ ତେଲ ଗରମ କରି କଟା ପିଆଜ, କଟା ଅଦା, ରସୁଣ, କଟା କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର ପକାନ୍ତୁ। ଏହା ପରେ ଅଦାରସୁଣ ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କାଜୁବଟା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ।
ମସଲା ଭଲରେ କଷି ହୋଇଗଲା ପରେ ସେଥିରେ ତେନ୍ତୁଳି ମଣ୍ଡ ଓ ଚିନି ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଗରମ ମସଲା ଗୁଣ୍ଡ ଓ ଛଣା ହୋଇଥିବା ପଣସକଠା ବରା ପକାଇ ଭଲ ଭାବେ ମିଶାନ୍ତୁ। ଏହା ପରେ ପଣସ କଠା ବରାରେ ଷ୍ଟିକ୍ ଲଗାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର “ଷ୍ଟିକ୍ ପଣସ” । ଏହାର ଚଟ୍ପଟା ସ୍ୱାଦ ନିଜେ ଚାଖିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଚାଖିବାକୁ ଦିଅନ୍ତୁ।
from Odisha Reporter http://bit.ly/2UOVfxy
No comments:
Post a Comment