
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଓଡ଼ିଶା ଗରିବ ନୁହେଁ। ଏଠାରେ ପ୍ରାକୃତିକ ସମ୍ପଦ ପୂରି ରହିଛି। କିନ୍ତୁ ରାଜ୍ୟ ସରକାରଙ୍କ ନୀତି ଓ ଉଦ୍ଦେଶ୍ୟ ଠିକ୍ ନାହିଁ। ଯଦି ବିଜେଡିର ଉଦ୍ଦେଶ୍ୟ ଠିକ୍ ଥାଆନ୍ତା, ତା’ହେଲେ ରାଜ୍ୟର ଉନ୍ନତି ହୋଇଥାଆନ୍ତା।”
ଆଜି ସୁନ୍ଦରଗଡ଼ରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭଳି ଭାବେ ରାଜ୍ୟର ବିଜେଡି ସରକାରକୁ ସମାଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ,“ଯଦି ବିଜେଡିର ଉଦ୍ଦେଶ୍ୟ ଠିକ୍ ଥାଆନ୍ତା, ତା’ହେଲେ ଚାଷୀକୁ ଉଚିତ୍ ଦାମ୍ ମିଳୁ ଥାଆନ୍ତା। ଓଡ଼ିଶାରେ ୮ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯାଇଛି। ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ଥିଲେ ଆହୁରି ଅଧିକ ଲୋକ ପକ୍କା ଘର ପାଇଥାଆନ୍ତେ। ସେହିଭଳି ଖଣିରୁ ମିଳୁଥିବା ଟଙ୍କାରୁ ରାଜ୍ୟର ବିକାଶ ହୋଇପାରି ଥାଆନ୍ତା।”
ଭୋଟରଙ୍କ ଆହ୍ୱାନ ଦେଇ ମୋଦି କହିଥିଲେ,“ବିଜେଡି ଆପଣମାନଙ୍କ ଉନ୍ନତିରେ ବ୍ରେକ୍ ଲଗାଇ ଦେଇଛି। ଏଭଳି ସରକାରକୁ ବଦଳା ଯିବା ଦରକାର କି ନାହିଁ?”
ମୋଦି ଆଜି ଏଠାକୁ ଆସିବା ପୂର୍ବରୁ ଏକ ଟ୍ୱିଟ୍ କରି କହିଥିଲେ ଯେ ଏଥର ଓଡ଼ିଶାରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରି ଦେବ। ଏହି କଥାକୁ ସେ ଆଜି ସଭାରେ ବି କହିଥିଲେ।
ସେ କହିଥିଲେ, ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ। ଲୋକେ ବିଜେପିକୁ ଭୋଟ୍ ଦେବାକୁ ମନସ୍ଥ କରିସାରିଛନ୍ତି। ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ। ଦେଶରେ ବି ବିଜେପି ପୁଣି ପୂର୍ଣ୍ଣ ବହୁମତ ସରକାର ଗଢ଼ିବ।
ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ରରେ ଯେମିତି ଏକ ମଜବୁତ ସରକାର ଅଛି ଓଡ଼ିଶାରେ ବି ସେମିତି ସରକାର ଦରକାର। ଓଡ଼ିଶା ମଜବୁତ ହେବା ଦରକାର। ଆଉ ମଜବୁତ ଓଡ଼ିଶା ପାଇଁ ଏଠାରେ ପଦ୍ମ ଫୁଟିବା ଦରକାର।
ବିଜେଡି ଓ କଂଗ୍ରେସକୁ ବି ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ବିଜେପି ପରିବାର ଅବା ଟଙ୍କା ଉପରେ ଆଧାରିତ ନୁହେଁ। କର୍ମକର୍ତ୍ତାଙ୍କ ଝାଳରେ ବିଜେପି ତିଆରି ହୋଇଛି। ଏବେ ସାରା ଦେଶରେ ବିଜେପି ବାନା ଉଡୁଛି। ଲୋକେ ବିଜେପିକୁ ଗ୍ରହଣ କରିଛନ୍ତି। ସବୁ ବର୍ଗର ଲୋକେ ଦଳରେ ସାମିଲ ହେଉଛନ୍ତି। ବିକାଶକୁ କେବଳ ବିଜେପି ଜନଆନ୍ଦୋଳନର ରୂପ ଦେଇଛି।
ସେ ଆହୁରି କହିଥିଲେ, ଆଦିବାସୀ ଓ ଦଳିତଙ୍କୁ କଂଗ୍ରେସ ଓ ବିଜେଡି କେବଳ ଭୋଟ୍ ବ୍ୟାଙ୍କ କରିଛନ୍ତି। ସେମାନଙ୍କ ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଇ ନାହାନ୍ତି। ସେଥିପାଇଁ ଓଡ଼ିଶାରେ କଂଗ୍ରେସ ନିଶ୍ଚିହ୍ନ ହେବାକୁ ବସିଛି।
କଂଗ୍ରେସ ଉପରେ ବର୍ଷି ମୋଦି କହିଥିଲେ, ବିଜେପି ଦେଶରୁ ମାଓବାଦୀମାନଙ୍କୁ ହଟାଇବାକୁ ପ୍ରୟାସ କରୁଛି। କିନ୍ତୁ କଂଗ୍ରେସ ସେମାନଙ୍କୁ ସମର୍ଥନ କରୁଛି। ସେହିଭଳି ଏବେକାର ସରକାର ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି। କିନ୍ତୁ ପୂର୍ବ ସରକାର ଏମିତି ପଦକ୍ଷେପ ନେଉ ନଥିଲେ।
ଆଜିର ନିର୍ବାଚନୀ ସଭାରେ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ର ଦଳୀୟ ପ୍ରାର୍ଥୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।
from Odisha Reporter http://bit.ly/2I3zQuC
No comments:
Post a Comment